କନକ ବ୍ୟୁରୋ : ଆସନ୍ତା କାଲି ହେବ ବିଶ୍ୱକପ୍ କ୍ରିକେଟର ଫାଇନାଲ ମୁକାବିଲା । ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତା କାଲି ଗୁଜରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଏହି ଫାଇନାଲ ମ୍ୟାଚ୍ । ଏହାକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଛି । କିଏ ଜିତିବ ବିଶ୍ୱକପ ଫାଇନାଲ ମ୍ୟାଚ୍ । ଏହାସହ କିଛି ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ୧୯୮୩ ଓ ୨୦୧୧ ରେ ଭାରତୀୟ ଟିମ୍ ବିଶ୍ୱକପ ଜିତିବା ପରେ ପୁରସ୍କାର ରାଶି ବାବଦରେ କେତେ ଟଙ୍କା ପାଇଥିଲା ଓ ଆସନ୍ତା କାଲି ବିଜୟୀ ଟିମକୁ କେତେ ଟଙ୍କା ପୁରସ୍କାର ରାଶି ମିଳିବ ।

Advertisment

୨୦୧୧ ମସିହାରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ବିଶ୍ୱକପ ଜିତିଥିଲା । ସେତେବେଳେ ଭାରତୀୟ ଟମକୁ ବହୁମାତ୍ରାରେ ପୁରସ୍କାର ରାଶି ମିଳିଥିଲା । ୨୦୨୩ ରେ ଯେଉଁ ଟିମ୍ ବିଶ୍ୱକପ ଜିତିବ ସେହି ଟିମକୁ ୩୩ କୋଟିରୁ ଅଧିକ ଟଙ୍କା ମିଳିବ । ଏହାସହ ଉପ ବିଜେତା ଟିମକୁ ଅଧା ଟଙ୍କା ମିଳିବ ।

କପିଳ ଦେବଙ୍କ ନେତୃତ୍ୱରେ ୧୯୮୩ ମସିହାରେ ଭାରତୀୟ ଟିମ୍ ମଧ୍ୟ ବିଶ୍ୱକପ ଜିତିଥିଲା । ସେତେବେଳେ ପ୍ରତି ଖେଳାଳୀଙ୍କୁ ଦୈନିକ ଭତ୍ତା ଆକାରରେ ୫୦ ପାଉଣ୍ଡ ମିଳୁଥିଲା । ଏନେଇ ସେତେବେଳର ୱିକେଟ୍ କିପର ସୟଦ କିରମାନୀ ଏକ ସାକ୍ଷାତକାରରେ କହିଥିଲେ କି ତାଙ୍କୁ ଦୈନିକ ଭତ୍ତା ଭାବେ ୫୦ ପାଉଣ୍ଡ ମିଳୁଥିଲା । ଏଥିଷର ସେ ମଧ୍ୟାହ୍ନ ଭୋଜନ, ରାତି ପାଇଁ ଖାଦ୍ୟ, କପଡା ସଫା କରିବା ଭଳି କାମରେ ଲଗାଉଥିଲେ । ପୁରା ଟୁରରେ ତାଙ୍କୁ ବୋନଓ ଆକାରରେ ମାତ୍ର ୧୫ ହଜାର ଟଙ୍କା ମିଳିଥିଲା ।

୨୮ ବର୍ଷ ପରେ ଯେତେବେଳେ ଭାରତୀୟ ଟିମ୍ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ବିଶ୍ୱକପ ବିଜୟୀ ହୋଇଥିଲା ସେତେବେଳେ ବିସିସିଆଇ ଖେଳାଳୀଙ୍କ ଉପରେ ଟଙ୍କା ବର୍ଷା କରିଥିଲା । ବିଶ୍ୱକପ୍ ସ୍କ୍ୱାର୍ଡରେ ସାମିଲ ଥିବା ସମସ୍ତ ଭାରତୀୟ ଭାରତୀୟ ଖେଳାଳୀଙ୍କୁ ବିସିସିଆଇ ୨ କୋଟି ଟଙ୍କା ଲେଖାଏଁ ପ୍ରଦାନ କରିଥିଲା । ଏହା ବ୍ୟତୀତ ସେତେବେଳେ ବିଭିନ୍ନ ରାଜ୍ୟ ସରକାର ଓ କମ୍ପାନୀମାନେ ପୁରସ୍କାର ପ୍ରଦାନ କରିଥିଲେ ।
୨୦୧୧ ବିଶ୍ୱକପରେ ମୋଟ ପୁରସ୍କାର ରାଶି ୮ ମିଲିୟନ ଆମେରିକୀୟ ଡଲାର ବା ୬୬ କୋଟି ଟଙ୍କା ନିର୍ଦ୍ଧାରିତ କରାଯ୍ଧବଥିଲା । ଏହି କ୍ରମରେ ଭାରତୀୟ ଟିମକୁ ୨୫ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା   । ସେହିଭଳି ଉପବିଜେତା ଶ୍ରୀଲଙ୍କାକୁ ୧୨.୫ କୋଟି ଟଙ୍କା ପ୍ରଦାନ କରାଯାଇଥିଲା ।

୨୦୨୩ ବିଶ୍ୱକପ ପାଇଁ ମଧ୍ୟ ପୁରସ୍କାର ରାଶି ଘୋଷଣା ହୋଇଛି । ବିଜେତା ଟିମକୁ ୩୩.୧୭ କୋଟି, ଉପ ବିଜେତା ଟିମକୁ ୧୬ କୋଟି ୫୮ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯିବ । ସେହିଭଳି ସେମି ଫାଇନାଲରେ ପରାଜିତ ହୋଇଥିବା ଦୁଇଟି ଟିମକୁ ୬.୬୩ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏହା ବ୍ୟତୀତ ଗ୍ରୁପ ପର୍ଯ୍ୟାୟରେ ବିଜୟୀ ଟିମକୁ ୩୩.୧୭ ଲକ୍ଷ ଟଙ୍କା ମିଳିବ । ମୋଟ ଉପରେ ଆଇସିସି ଦ୍ୱାରା ୮୨.୯୫ କୋଟି ଟଙ୍କା ପୁରସ୍କାର ଆକାରରେ ପ୍ରଦାନ କରାଯିବ ।

୧୯୮୩ ମସିହାରେ ଯେତେବେଳେ ଭାରତୀୟ ଟିମ ବିଜେତା ହୋଇଥିଲା ସେତେବେଳେ ବିସିସିଆଇ ପାଖରେ ଏତେ ଟଙ୍କା ନଥିଲା । ଏବେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ବିସିସିଆଇର ପରିସ୍ଥିତି ସେତେବେଳେ ଭଲ ନଥିଲା । ସେତେବେଳେ ଗାୟୀକା ଲତା ମଙ୍ଗେସକର ମାଗଣାରେ ଅନେକ ଗୀତ ଗାଇଥିଲେ ।