ମହିଳା ଟି-୨୦ ବିଶ୍ୱକପ୍: ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭାରତକୁ ଝଟକା । ମ୍ୟାଚ୍ ଖେଳିନପାରନ୍ତି ସ୍ମୃତି ମାନ୍ଧାନା ।

131

କନକ ବ୍ୟୁରୋ: ଭାରତୀୟ ମହିଳା କ୍ରିକେଟ୍ ଟିମ୍ ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରେ ଅଛି । ଫ୍ରେବୁଆରୀ ୧୦ ତାରିଖରୁ ଏଠାରେ ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ଖେଳାଯିବ । ତେବେ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଆସନ୍ତା ୧୨ ତାରିଖରୁ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳି ବିଶ୍ୱକପ ଆରମ୍ଭ କରିବ । ହେଲେ ଏହା ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ ଝଟକା । ଦଳର ଉପ-ଅଧିନାୟକ ତଥା ଓପନର ସ୍ମୃତି ମାନ୍ଧାନା ଆହତ ହୋଇଛନ୍ତି । ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିବା କାରଣରୁ ସେ ପାକିସ୍ତାନ ବିପକ୍ଷ ମ୍ୟାଚରୁ ବାଦ୍ ପଡିପାରନ୍ତି ବୋଲି ସୂଚନା ମିଳୁଛି ।

ଆଇସିସି ଟି-୨୦ ବିଶ୍ୱକପରେ ଭାରତୀୟ ଟିମ୍ ଦମଦାର ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି । ଏପରି ସ୍ଥିତିରେ ସ୍ମୃତି ମାନ୍ଧାନା ଦଳରୁ ବାହାରେ ବସିବା ଦଳ ପାଇଁ ନିଶ୍ଚୟ ଏକ ଶକ୍ତ ଝଟକା ହେବ । ସ୍ମୃତି ମାନ୍ଧାନା ଓପନିଂରୁ ଆସି ଦଳ ପାଇଁ ବଡ ପାଳି ଖେଳିଥାନ୍ତି । ଏକପ୍ରକାର ଦଳର ବ୍ୟାଟିଂ କ୍ରମ ତାଙ୍କ ଉପରେ ଭରସା କରେ । ତେଣୁ ପାକିସ୍ତାନ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ସେ ଆହତ ହେବା ଟିମ୍ ମ୍ୟାନେଜମେଣ୍ଟକୁ ଚିନ୍ତାରେ ପକାଇଛି । ସୂଚନାଯୋଗ୍ୟ ଯେ, ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ଅଭ୍ୟାସ ମ୍ୟାଚ୍ ମଧ୍ୟ ଖେଳିନଥିଲେ ସ୍ମୃତି ମାନ୍ଧାନା । ଅଭ୍ୟାସ ମ୍ୟାଚରେ ଫିଲ୍ଡିଂ କରୁଥିବା ସମୟରେ ତାଙ୍କ ଆଙ୍ଗୁଠିରେ ଏହି ଆଘାତ ଲାଗିଥିଲା ।

ଅନ୍ୟପଟେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ହରମନପ୍ରୀତ ସିଂହ ମଧ୍ୟ ଖେଳିବା ଓ ନଖେଳିବା ନେଇ ସମ୍ଭାବନା ଦେଖାଦେଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ତ୍ରି-ରାଷ୍ଟ୍ରୀୟ ସିରିଜରେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା । ଏହାପରେ ବି ଏପର୍ଯ୍ୟନ୍ତ ସେ ସମ୍ପୂର୍ଣ୍ଣ ଭାବେ ଫିଟ୍ ହୋଇନାହାଁନ୍ତି । ତେଣୁ ପାକିସ୍ତାନ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ସେ ମ୍ୟାଚ୍ ଖେଳୁଛନ୍ତି କି ନଖେଳୁଛନ୍ତି ତାହା ଦେଖିବା ବାକି ରହିଲା ।

ଚଳିତ ମହିଳା ଟି-୨୦ ବିଶ୍ୱକପରେ ଭରାତୀୟ ଦଳ ଗ୍ରୁପ-ବିରେ ସ୍ଥାନ ପାଇଛି । ଆସନ୍ତା ଫେବ୍ରୁଆରୀ ୧୨ ତାରିଖରେ ଦଳ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ । ଏହାପରେ ଫେବ୍ରୁଆରୀ ୧୫ ତାରିଖରେ ଦଳ ୱେଷ୍ଟଇଣ୍ଡିଜ୍ ବିରୋଧରେ ମ୍ୟାଚ୍ ଖେଳିବ । ଏହାପରେ ୧୮ ତାରିଖରେ ଇଂଲଣ୍ଡ ଓ ୨୦ ତାରିଖରେ ଆର୍ୟଲ୍ୟାଣ୍ଡ ବିପକ୍ଷରେ ଲିଗ୍ ମ୍ୟାଚ୍ ଖେଳିବ ଭାରତୀୟ ମହିଳା କ୍ରିକେଟ୍ ଦଳ ।