ଶେଫାଳିଙ୍କ ସ୍ୱର୍ଣ୍ଣିମ ସଫଳତା । ଟି-୨୦ ମହିଳା କ୍ରିକେଟ ତାଲିକାରେ ଏକ ନମ୍ବର ସ୍ଥାନ ଦଖଲ କଲେ ୧୬ବର୍ଷୀୟା ଭାରତୀୟ ଝିଅ । ୧୯ଟି ସ୍ଥାନ ଉପରକୁ ଉଠି ହେଲେ ନମ୍ବର ୱାନ୍ ।

266

କନକ ବ୍ୟୁରୋ: ୧୬ବର୍ଷୀୟା ଶେଫାଳି ବର୍ମାଙ୍କ ବଡ ସଫଳତା । ଟି ଟ୍ୱେଂଟି କ୍ରିକେଟରେ ଶେଫାଳିଙ୍କ ବ୍ୟାଟିଂ ସମସ୍ତଙ୍କୁ ଚକିତ କରିଛି । ତାଙ୍କ ଦମଦାର ପ୍ରଦର୍ଶନ ଯୋଗୁଁ ଭାରତୀୟ ଦଳକୁ ପ୍ରାୟ ସବୁ ମ୍ୟାଚରେ ଫାଇଦା ମିଳିଛି । ଏବଂ ଏହା ବଦଳରେ ଟିମ୍ ଇଣ୍ଡିଆ ଟି-ଟ୍ୱେଂଟି ବିଶ୍ୱକପ ସେମିଫାଇନାରେ ଦମଦାର ପ୍ରଦର୍ଶନ କରି ଫାଇନାଲକୁ ଟିକଟ କାଟିବା ପାଇଁ ପ୍ରସ୍ତୁତ ହେଉଛି ।

ଗୁରୁବାର ଦିନ ଖେଳାଯିବାକୁ ଥିବା ସେମିଫାଇନାଲରେ ଇଂଲଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ । ଠିକ୍ ଏହାର ଦିନକ ପୂର୍ବରୁ ଭାରତୀୟ ପ୍ରଶଂସକଙ୍କୁ ଖୁସି ଖବର ମିଳିଛି । ଟି-ଟ୍ୱେଂଟି ମହିଳା କ୍ରିକେଟ ର ୧ନମ୍ବର ବ୍ୟାଟ୍ସମ୍ୟାନ ବନିଯାଇଛନ୍ତି ଶେଫାଳି । ବଡ କଥା ହେଉଛି ବୁଧବାର ଆଇସିସି ଦ୍ୱାରା ଜାରି କରାଯାଇଥିବା ର୍ୟାକିଙ୍ଗରେ ୧୯ଟି ସ୍ଥାନ ଉପରକୁ ଉଠି ୧ନମ୍ବରରେ ପହଂଚିଛନ୍ତି ୧୬ବର୍ଷୀୟା ଏହି ପ୍ରତିଭାବାନ ଖେଳାଳି ।

ମାତ୍ର ୧୮ଟି ଆର୍ନ୍ତଜାତୀୟ ଟି-ଟ୍ୱେଂଟି ଖେଳିଥିବା ଶେଫାଳି ୪୭, ୪୬, ୩୯ ଓ ୨୯ ରନ୍ କରିଥିବା ଇନିଂସ ଖେଳିଛନ୍ତି । ଏହି ସମୟରେ ସେ ଲଗାତର ଦୁଇଥର ପ୍ଲେୟାର ଅଫ୍ ଦ ମ୍ୟାଚ ମଧ୍ୟ ହୋଇସାରିଛନ୍ତି । ଶେଫାଳି ବର୍ମା ୭୬୧ ପଏଂଟ ସହ ୧ନମ୍ବରରେ ରହିଛନ୍ତି । ନ୍ୟୁଜିଲାଣ୍ଡର ସୁଜି ବ୍ୟାଟ୍ସ ପ୍ରଥମରୁ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି । ତାଙ୍କ ନିକଟରେ ରହିଛି ୭୫୦ପଂଏଟ । ସୁଜି ଅକ୍ଟୋବର ୨୦୧୮ରୁ ୧ନମ୍ବର ସ୍ଥାନରେ ରହିଥିଲେ ।