କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ କ୍ରିକେଟ ବିଶ୍ୱକପ ପ୍ରଥମ ସେମିଫାଇନାଲରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ମୁକାବିଲା ହେବ । ୪ଥରର ବିଜେତା ଭାରତ କ୍ରମାଗତ ତୃତୀୟ ଥର ଫାଇନାଲ ପ୍ରବେଶ କରିବା ଲକ୍ଷ୍ୟରେ ରହିଛି । ଉଭୟ ଦଳ ଅପରାଜିତ ରହି ସେମିଫାଇନାଲରେ ପଂହଚିସାରିଛନ୍ତି । କ୍ୱାର୍ଟରରେ ଭାରତ ଅଷ୍ଟ୍ରେଲିଆକୁ ଓ ପାକିସ୍ତାନ, ଆଫଗାନିସ୍ତାନକୁ ହରାଇ ସେମିଫାଇନାଲକୁ ଆସିଛି । ବରିଷ୍ଠ ଦଳ ଭଳି କନିଷ୍ଠ ଦଳ ବି ପାକିସ୍ତାନ ବିପକ୍ଷରେ ପ୍ରାଧାନ୍ୟ ବିସ୍ତାର କରିଆସିଛି । ୨୦୧୮ ସଂସ୍କରଣ କନିଷ୍ଠ ବିଶ୍ୱକପରେ ଭାରତ ଫାଇନାଲରେ ପାକିସ୍ତାନକୁ ୨୦୩ ରନର ବଡ ବ୍ୟବଧାନରେ ହରାଇ ବିଜେତା ହୋଇଥିଲା ।

Advertisment

publive-image

ସେହିଭଳି ଏସିଆ କପ ଫାଇନାଲରେ ମଧ୍ୟ ପାକିସ୍ତାନକୁ ହରାଇ ଭାରତ ବିଜେତା ହୋଇଥିଲା । କିନ୍ତୁ ଇତିହାସକୁ ଦୋହରାଇବାକୁ ହେଲେ ପ୍ରିୟମ ଗର୍ଗଙ୍କ ଯୁବ ଦଳକୁ ଆଜି ଭଲ କ୍ରିକେଟ ଖେଳିବାକୁ ପଡିବ । ପ୍ରାରମ୍ଭିକ ବ୍ୟାଟସମ୍ୟାନ ଯଶସ୍ୱୀ ଜୟସ୍ୱାଲ ୪ ମ୍ୟାଚରୁ ୩ ଅର୍ଧଶତକ ହାସଲ କରି ଭରସାଯୋଗ୍ୟ ରହିଛନ୍ତି । ଭାରତୀୟ ସମୟ ଦିନ ସାଢେ ଗୋଟାଏରେ ଏହି ମ୍ୟାଚ ଖେଳାଯିବ । ତେବେ ପୋଚେଫଷ୍ଟ୍ରୁମରେ ଖେଳାଯିବାକୁ ଥିବା ଆଜିର ଏହି ହାଇଭୋଲଟେଜ ମ୍ୟାଚ ଉପରେ ବର୍ଷା ବାଧକ ସାଜିପାରେ । ପୋଚେଫଷ୍ଟ୍ରୁମ ଆକାଶ ଆଜି ମେଘାଚ୍ଛନ୍ନ ଥିବା ବେଳେ ଅପରାହ୍ନ ୩ଟାରେ ବର୍ଷା ହେବାନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।