ଆଇସିସି ଟେଷ୍ଟ ରାକିଙ୍ଗ୍: ୬ ବର୍ଷ ପରେ ଟପ୍-୧୦ରୁ ଆଉଟ୍ ହେଲେ କୋହଲି । ପନ୍ତଙ୍କୁ ମିଳିଲା ଫାଇଦା । ଜାଣନ୍ତୁ, କେତେ ନମ୍ବର ସ୍ଥାନରେ ରହିଲେ ରିଷଭ…

119

କନକ ବ୍ୟୁରୋ: ଆଇସିସି ତରଫରୁ ଜାରି ହୋଇଛି ତାଜା ଟେଷ୍ଟ ରାକିଙ୍ଗ୍ । ଯେଉଁଥିରେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଲାଗିଛି ବଡ ଝଟକା । ୬ ବର୍ଷ ପରେ ପ୍ରଥମ କରି ବିରାଟ କୋହଲି ଟେଷ୍ଟ ରାକିଙ୍ଗର ଟପ୍-୧୦ରେ ସ୍ଥାନ ପାଇନାହାଁନ୍ତି । ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟରେ କୋହଲି ସେଭଳି କୌଣସି ବଡ ଇଂନିସ ଖେଳି ପାରିନଥିଲେ । ଦୁଇଟି ଇଂନିସରେ ସେ କେବଳ ୧୧ ଓ ୨୦ ରନ୍ କରିଥିଲେ । ଆଉ ଏହାର ପରିଣାମ ସ୍ୱରୂପ ଏବେ ଟେଷ୍ଟ ରାକିଂର ୧୩ ନମ୍ବର ସ୍ଥାନକୁ ଖସିଯାଇଛନ୍ତି ବିରାଟ କୋହଲି ।

ଭାରତୀୟ କ୍ରିକେଟର ବିରାଟ କୋହଲି ଟପ-୧୦ରୁ ବାହାରି ଯାଇଥିବାବେଳେ, ୱିକେଟ କିପର ରିଷଭ ପନ୍ତଙ୍କୁ କିନ୍ତୁ ନୂଆ ରାକିଂରେ ବଡ ଫାଇଦା ମିଳିଛି । ଶେଷ ୬ଟି ଟେଷ୍ଟରେ ପନ୍ତ ୨ଟି ଶତକ ଓ ୩ଟି ଅର୍ଧଶତକ ଅର୍ଜନ କରିଥିବାରୁ ଏବେ ଲିଷ୍ଟର ୫ମ ସ୍ଥାନକୁ ଉଠିଛନ୍ତି ପନ୍ତ । ତାଙ୍କ ସହିତ ଅଧିନାୟକ ରୋହିତ ଶର୍ମା ଗୋଟିଏ ସ୍ଥାନ ତଳକୁ ଖସି ଏବେ ଲିଷ୍ଟର ୯ମ ସ୍ଥାନରେ ରହିଛନ୍ତି । କେବଳ ରିଷଭ ଓ ରୋହିତ ଦୁଇ ଭାରତୀୟ କ୍ରିକେଟର ଟେଷ୍ଟ ରାକିଙ୍ଗର ଟପ୍-୧୦ରେ ସ୍ଥାନ ପାଇଛନ୍ତି ।

ଲିଷ୍ଟର ପ୍ରଥମ ସ୍ଥାନରେ ଇଂଲଣ୍ଡ କ୍ରିକେଟର ଜୋ ରୁଟ୍ ଥିବାବେଳେ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଦୁଇ  ଅଷ୍ଟ୍ରେଲୀୟ କ୍ରିକେଟର ଯଥାକ୍ରମେ ମାର୍ନସ ଲମ୍ବୁଚେଞ୍ଜ ଓ ଷ୍ଟିଭ୍ ସ୍ମିଥ୍ ରହିଛନ୍ତି । ତାଙ୍କ ପଛକୁ ଚତୁର୍ଥ ସ୍ଥାନରେ ବାବର ଆଜମ୍ ରହିଥିବାବେଳେ, ପନ୍ତ ପଞ୍ଚମ, ୱିଲିୟମସନ୍ ଷଷ୍ଠ, ଉସମାନ ଖ୍ୱାଜା ସପ୍ତମ ସ୍ଥାନରେ ରହିଛନ୍ତି । ସେହିଭଳି କରୁଣାରତ୍ନେ ଅଷ୍ଟମ ସ୍ଥାନରେ ଥିବାବେଳେ ରୋହିତ ନବମ, ବେୟୋରେଷ୍ଟ ଦଶମ ସ୍ଥାନରେ ରହିଛନ୍ତି ।