ଆଇସିସି ଟେଷ୍ଟ ର‍୍ୟାଙ୍କିଙ୍ଗ । ଟପ୍ ଟେନରେ ମୟଙ୍କ, ଦ୍ୱିତୀୟ ସ୍ଥାନରେ କୋହଲି ।

485

କନକ ବ୍ୟୁରୋ : ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ମଙ୍ଗଳବାର ଟେଷ୍ଟ ର‍୍ୟାଙ୍କିଙ୍ଗ ଜାରି କରିଛି । ଭାରତୀୟ କ୍ରିକେଟ ଟିମ୍‌ର ଯୁବ ଓପନର ମୟଙ୍କ ଅଗ୍ରଓ୍ଵାଲ୍‌ ନିଜର ଦ୍ୱିଶତକ ଓ ବିସ୍ଫୋରକ ବ୍ୟାଟିଂ ବଳରେ ଶ୍ରେଷ୍ଠ ୧୦ଟି ସ୍ଥାନରେ ସାମିଲ ହୋଇପାରିଛନ୍ତି । ଆଇସିସି ମଙ୍ଗଳବାର ଜାରି କରିଥିବା ର‍୍ୟାଙ୍କିଙ୍ଗ ତାଲିକାର ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ଭାରତରୁ ୪ ଜଣ ଖେଳାଳି ସାମିଲ ହୋଇପାରିଛନ୍ତି । ଏମାନେ ହେଲେ ବିରାଟ କୋହଲି, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ ଓ ମୟଙ୍କ ଅଗ୍ରଓ୍ଵାଲ ।

ବ୍ୟାଟିଂ କ୍ଷେତ୍ରରେ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ ୯୩୧ ପଏଣ୍ଟ ହାସଲ କରିବା ସହିତ ତାଲିକାର ଶୀର୍ଷରେ ସ୍ଥାନରେ ପହଂଚିଥିବା ବେଳେ ଇଂଲଣ୍ଡର ବେନ୍‌ ଷ୍ଟୋକସ୍‌ ନବମ ସ୍ଥାନରେ ଅଛନ୍ତି । ଏହି ର‍୍ୟାଙ୍କିଙ୍ଗରେ ବିରାଟ କୋହଲିଙ୍କ ସ୍ଥାନ ଦ୍ୱିତୀୟ । ବିରାଟ ଓ ଷ୍ଟିଭ୍‌ଙ୍କ ମଧ୍ୟରେ କେବଳ ୩ ପଏଣ୍ଟ ପାର୍ଥକ୍ୟ ରହିଛି ।

ମୟଙ୍କ ଅଗ୍ରଓ୍ଵାଲ ପୂର୍ବରୁ ୧୩ତମ ସ୍ଥାନରେ ଥିଲେ କିନ୍ତୁ ବାଂଲାଦେଶ ବିପକ୍ଷରେ ଦ୍ୱିତୀୟ ଶତକ ହାସଲ କରିବା ପରେ ସେ ୧୦ମ ସ୍ଥାନରେ ପହଂଚିଛନ୍ତି । ରୋହିତ ଶର୍ମା ୩ଟି ସ୍ଥାନକୁ ଖସିଯାଇଥିବାରୁ ସେ ଶ୍ରେଷ୍ଠ ୧୦ଜଣିଆ ତାଲିକାରେ ସାମିଲ ହୋଇ ପାରିନାହାନ୍ତି । ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେ ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନରେ ଅଛନ୍ତି ।