କନକ ବ୍ୟୁରୋ: ଟି-୨୦ ବିଶ୍ୱକପରେ ପ୍ରଥମ ମ୍ୟାଚରେ ପରାଜୟ ଟିମ୍ ଇଣ୍ଡିଆ ଖେଳାଳିଙ୍କ ପାଇଁ ମହଙ୍ଗା ହେବାରେ ଲାଗିଛି । ଦଳର ଖେଳାଳିମାନେ ଆଇସିସି ଟି-୨୦ ରାକିଙ୍ଗରେ ତଳକୁ ତଳକୁ ଖସିବାକୁ ଲାଗିଥିବାବେଳେ , ପାକିସ୍ତାନ ଦଳର ଖେଳାଳିମାନେ ଟି-୨୦ ରାକିଙ୍ଗର ଉପରକୁ ଉଠିବାରେ ଲାଗିଛନ୍ତି । ଏପରିକି ଅଧିନାୟକ ବିରାଟ କୋହଲି ଆଇସିସି ଟି-୨୦ ରାକିଙ୍ଗର ପଞ୍ଚମ ସ୍ଥାନକୁ ଖସିଆସିଛନ୍ତି ।

Advertisment

ସଦ୍ୟ ପ୍ରକାଶିତ ଆଇସିସି ଟି-୨୦ ରାକିଙ୍ଗ ତାଲିକାରେ ବେଶ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି । ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପାକିସ୍ତାନ ବିପକ୍ଷରେ ଦମଦାର ଇଂନିସ ଖେଳିଥିଲେ ମଧ୍ୟ ଗୋଟିଏ ସ୍ଥାନ ତଳକୁ ଖସି ଏବେ ରାକିଙ୍ଗର ପଞ୍ଚମ ସ୍ଥାନରେ ରହିଛନ୍ତି । ସେହିପରି ଟିମ୍ ଇଣ୍ଡିଆ ଓପନର କେ ଏଲ୍ ରାହୁଲ ମଧ୍ୟ ଷଷ୍ଠ ସ୍ଥାନରୁ ଖସି ଏବେ ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ମାନେ ଲଗାତାର ରାକିଙ୍ଗର ଉପରକୁ ଉଠିବାରେ ଲାଗିଛନ୍ତି ।

ଭାରତ ବିପକ୍ଷରେ ଚମତ୍କାର ପ୍ରଦର୍ଶନ ପରେ ପାକିସ୍ତାନୀ ଖେଳାଳି ମହମ୍ମଦ ରିଜବାନ ତିନୋଟି ସ୍ଥାନ ଉପରକୁ ଉଠି ଏବେ ବ୍ୟାଟିଂ ରାକିଙ୍ଗର ଚତୁର୍ଥ ସ୍ଥାନରେ ପହଞ୍ଚି ଯାଇଛନ୍ତି । ସେହିପରି ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ପାକିସ୍ତାନୀ ଅଧିନାୟକ ବାବର ଆଜମ । ଏହି ଦୁଇ ପାକିସ୍ତାନୀ ଖେଳାଳି ଯଥାକ୍ରମେ ଆଇସିସି ରାକିଙ୍ଗରେ ୮୨୦ ଏବଂ ୭୨୭ ପଏଣ୍ଟ ହାସଲ କରିଛନ୍ତି ।
ସେହିପରି ଦକ୍ଷିଣ ଆଫ୍ରିକାର ଖେଳାଳି ଏଡେନ୍ ମାର୍କରାମ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍ ବିରୋଧରେ ଯଥାକ୍ରମେ ୪୦ ଓ ୫୧ ରନର ଇଂନିସ ଖେଳିବା ପରେ ଏହି ତାଲିକାର ତୃତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି । ତେବେ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ଇଂଲଣ୍ଡର ଖେଳାଳି ଡେଭିଡ୍ ମଲାନ୍ । ସେ ୮୩୧ ପଏଣ୍ଟ ସହିତ ଏହି ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଇସିସି ଟି-୨୦ ବ୍ୟାଟିଂ ତାଲିକାର ଶୀର୍ଷ ସ୍ଥାନରେ ଏବେ ଇଂଲଣ୍ଡ ଖେଳାଳି ଡେଭିଡ୍ ମଲାନ୍ ରହିଥିବାବେଳେ, ଦ୍ୱିତୀୟରେ ବାବର ଆଜମ, ତୃତୀୟରେ ଏଡେନ୍ ମାର୍କରମ, ଚତୁର୍ଥରେ ମହମ୍ମଦ ରିଜବାନ, ପଞ୍ଚମରେ ବିରାଟ କୋହଲି ରହିଛନ୍ତି ।