ବିସିସିଆଇ ଦାବିକୁ ଅଗ୍ରାହ୍ୟ କଲା ଆଇସିସି ! ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଜୁନ୍ ୧୬ରେ ହେବ କଡା ଟକ୍କର ।

240

କନକ ବ୍ୟୁରୋ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ପକ୍ଷରୁ ଆସିଛି ବଡ ନିଷ୍ପତ୍ତି । ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଯବାନ ସହିଦ ହେବା ପରେ ପାକିସ୍ତାନ ସହ ସମ୍ପର୍କ ବିଚ୍ଛିନ୍ନ କରିବା ପାଇଁ ନିଷ୍ପତ୍ତି ନେଇଥିଲା ଭାରତ । ଆଉ ଏଥିପାଇଁ ୨୦୧୯ ବିଶ୍ୱକପରେ ପାକିସ୍ତାନ ସହ ଖେଳାଯିବ ମ୍ୟାଚକୁ ବାତିଲ କରିବା ସହ ପାକିସ୍ତାନକୁ ବିଶ୍ୱକପରୁ ବାଦ ଦେବା ପାଇଁ ଆଇସିସିକୁ ଚିଠି ଲେଖିଥିଲା ବିସିସିଆଇ । ତେବେ ବିସିସିଆଇର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ । ଆଇସିସି ପକ୍ଷରୁ କୁହାଯାଇଛି ଯେ, ଏଭଲି ମାମଲାରେ ଆଇସିସିର କୌଣସି ସମ୍ବନ୍ଧ ନାହିଁ । ଏବଂ କୌଣସି ଦେଶକୁ ବିଶ୍ୱକପରୁ ବହିଷ୍କାର କରିବା ପାଇଁ କୌଣସି କ୍ରିକେଟ୍ ପରିଷଦ ଦାବି କରିପାରିବ ନାହିଁ । ଆଇସିସିର ଏଭଳି କିଛି ନିୟମ ନଥିବା ସ୍ପଷ୍ଟ କରିଛନ୍ତି ଆଇସିସି ଚେୟାରମ୍ୟାନ୍ ।

ଆଇସିସିର ଏଭଳି ନିଷ୍ପତ୍ତି ପରେ ଏବେ ଅପେକ୍ଷା ଆସନ୍ତା ଜୁନ ମାସ ୧୬ ତାରିଖକୁ । ଯେତେବେଳେ ବିଶ୍ୱକପରେ ମୁହାଁମୁହିଁ ହେବେ ବିଶ୍ୱର ଦୁଇ ପ୍ରମୁଖ ପାରମ୍ପରିକ ପ୍ରତିଦ୍ୱନ୍ଦି ଦଳ ଭାରତ ଏବଂ ପାକିସ୍ତାନ । ଦୁଇ ଦେଶ ମଧ୍ୟରେ ଆତଙ୍କବାଦକୁ ନେଇ ବିବାଦ ତ୍ରୀବ ରୂପ ନେଇଥିବା ବେଳେ, ଏଭଳି ପରିସ୍ଥିତିରେ ଦୁଇ ଦେଶ ମଧ୍ୟରେ ହେବାକୁ ଥିବା କ୍ରିକେଟ୍ ଲଢେଇ ବହୁତ୍ୱ ଗୁରୁତ୍ୱ ରଖୁଛି । ସୂଚନା ଅନୁଯାୟୀ, ଗତ ଫେବୃଆରୀ ମାସ ୧୪ ତାରିଖରେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ ହେବା ପରେ, ପାକିସ୍ତାନ ସହ ଭାରତ ସମସ୍ତ ସମ୍ପର୍କ ବିଚ୍ଛିନ୍ନ କରିଛି । ଏହା ସହ ବିଶ୍ୱକପରେ ପାକିସ୍ତାନ ସହ ନଖେଳିବା ଏବେ ପାକିସ୍ତାନକୁ ବିଶ୍ୱକପରୁ ବହିଷ୍କାର କରିବା ପାଇଁ ବିସିସିଆଇ ଆଇସିସିକୁ ଚିଠି ଲେଖି ଦାବି କରିଥିଲା । ଯେଉଁ ଦାବିକୁ ଆଇସିସି ପ୍ରତ୍ୟାଖ୍ୟାନ କରିଛି ।