କନକ ବ୍ୟୁରୋ: କନକ ବ୍ୟୁରୋ: ଖେଳାଳିମାନଙ୍କର ନୂଆ ଟି-୨୦ ରାଙ୍କିଙ୍ଗ୍ ଜାରି କଲା ଆଇସିସି । ବୁଧବାର ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ପକ୍ଷରୁ ଖେଳାଳିମାନଙ୍କର ରାଙ୍କିଙ୍ଗ୍ ପ୍ରକାଶ କରାଯାଇଛି । ତେବେ ଏହି ରାଙ୍କିଙ୍ଗରେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜୋଶ୍ ହେଜେଲଉଡଙ୍କୁ ଫାଇଦା ମିଳିଛି । ଟି-୨୦ ବୋଲିଂ ରାଙ୍କିଙ୍ଗରେ ସେ ୪ଟି ସ୍ଥାନ ଉପରକୁ ଉଠି, ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ତେବେ ଶ୍ରୀଲଙ୍କା ବିପକ୍ଷ ସିରିଜରେ ତାଙ୍କର ଦମଦାର ପ୍ରଦର୍ଶନ ତାଙ୍କ ରାଙ୍କିଙ୍ଗ ଉପରେ ପ୍ରଭାବ ପକାଇଛି ।

Advertisment

ଅନ୍ୟପଟେ ଦକ୍ଷିଣ ଆଫ୍ରିକାର ଚାଇନାମ୍ୟାନ୍ ବୋଲର ତବରେଜ ଶମ୍ସି ଏହି ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି । ଶ୍ରୀଲଙ୍କାର ସ୍ପିନର ବାନିନ୍ଦୁ ହସରଙ୍ଗା ଓ ଇଂଲଣ୍ଡର ଆଦିଲ ରସିଦ ଗୋଟିଏ ସ୍ଥାନ ତଳକୁ ଖସି ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ଅଛନ୍ତି ।

ଅନ୍ୟପଟେ ବ୍ୟାଟ୍ସମ୍ୟାନମାନଙ୍କର ରାଙ୍କିଙ୍ଗରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍ ଫିଞ୍ଚ ଗୋଟିଏ ସ୍ଥାନ ତଳକୁ ଖସି ଏବେ ୭ମ ସ୍ଥାନରେ ଅଛନ୍ତି । ପାକିସ୍ତାନ ଅଧିନାୟକ ବାବର ଆଜମ ଓ ମହମ୍ମଦ ରିଜବାନ ପ୍ରଥମ ଦୁଇଟି ସ୍ଥାନରେ ଅଛନ୍ତି । ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଭିତରେ ଲୋକେଶ ରାହୁଲ ଚତୁର୍ଥ ଓ ବିରାଟ କୋହଲି ଦଶମ ସ୍ଥାନରେ ଅଛନ୍ତି ।

ସେପଟେ ଅଲରାଉଣ୍ଡର ରାଙ୍କିଙ୍ଗରେ ସବୁଠୁ ଅଧିକ ଫାଇଦା ମିଳିଛି ୟୁଏଇର ଖେଳାଳି ରୋହନ ମୁସ୍ତଫାଙ୍କୁ । ସେ ପାଞ୍ଚଟି ସ୍ଥାନ ଉପରକୁ ଉଠି ଏବେ ୭ମ ସ୍ଥାନରେ ରହିଛନ୍ତି । ଏହି ଲିଷ୍ଟରେ ଆଫାଗାନିସ୍ତାନ ଖେଳାଳି ମହମ୍ମଦ ନବି ୨୬୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଅଛନ୍ତି । ଏହା ପଛକୁ ସକିବ ଅଲ୍ ହାସନ, ମୋଇନ୍ ଅଲ୍ଲୀ, ମ୍ୟାକ୍ସୱେଲ ରହିଛନ୍ତି ।