କନକ ବ୍ୟୁରୋ: ଅକ୍ଟୋବର ୫ ତାରିଖରୁ ଭାରତରେ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ୍ । ଏଥିପାଇଁ ଏବେ ଜୋରସୋରରେ ପ୍ରସ୍ତୁତି ଚଳାଇଛି ବିସିସିଆଇ । ତେବେ ଏହାରି ଭିତରେ ବିଶ୍ୱକପକୁ ନେଇ ଆସିଛି ବଡ ଖବର । ଆସନ୍ତା ଅଗଷ୍ଟ ୧୦ ତାରିଖରୁ ଲୋକମାନେ ଅନଲାଇନ୍ ଜରିଆରେ ବିଶ୍ୱକପ୍ ମ୍ୟାଚ୍ ପାଇଁ ଟିକେଟ୍ ବୁକ୍ କରିପାରିବେ । ଅର୍ଥାତ ଅନଲାଇନ୍ ଜରିଆରେ ଲୋକମାନେ ଅଗଷ୍ଟ ୧୦ ତାରିଖରୁ ଟିକେଟ୍ କିଣିପାରିବେ ବୋଲି ସୂଚନା ମିଳିଛି ।

Advertisment

ଗତ ଗୁରୁବାର ଦିନ ବିସିସିଆଇ ସମ୍ପାଦକ ଜୟ ଶାହା କହିଥିଲେ ଯେ, ରାଜ୍ୟସଂଘମାନଙ୍କ ସହ ବୈଠକ ପରେ ଟିକେଟ୍ ବିକ୍ରି ପ୍ରକ୍ରିୟା ଆରମ୍ଭ ହେବ । ପ୍ରତିଟି ରାଜ୍ୟ ସଂଘକୁ ଟିକେଟର ମୂଲ୍ୟ ଧାର୍ଯ୍ୟ କରିବାକୁ ଜୁଲାଇ ୩୧ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା । ଏହାପରେ ଏବେ ଅଗଷ୍ଟ ୧୦ ତାରିଖରୁ ଅନଲାଇନ୍ ଟିକେଟ୍ ଉପଲବ୍ଧ ହେବା ନେଇ ସୂଚନା ମିଳିଛି । ତେବେ ଏଥିସହିତ ଆହୁରି ମଧ୍ୟ କୁହାଯାଇଛି ଯେ, ଲୋକମାନେ ଅନଲାଇନ୍ ଟିକେଟ୍ ବୁକ୍ କଲେ ବି, ସେମାନଙ୍କୁ ଷ୍ଟାଡିୟମରୁ କାଗଜ ଟିକେଟ୍ ସଂଗ୍ରହ କରିବାକୁ ପଡିବ । ତେବେ ଯାଇ ସେମାନେ ଷ୍ଟାଡିୟମରେ ପ୍ରବେଶ କରିପାରିବେ ।

ନିୟମ ଅନୁସାରେ, ଆଇସିସି ଏବଂ ବିସିସିଆଇକୁ ପ୍ରତି ମ୍ୟାଚରେ ୩ଶହ ଗେଷ୍ଟ ଟିକେଟ୍ ମିଳିବ । ରାଜ୍ୟସଂଘମାନଙ୍କୁ ଆଇସିସିକୁ ଲିଗ୍ ମ୍ୟାଚ୍ ପିଛା ୧୨୯୫ଟି ଟିକେଟ୍ ଦେବାକୁ ପଡିବ । ତେବେ ଭାରତର ମ୍ୟାଚ୍ ଏବଂ ସେମିଫାଇନାଲ ମ୍ୟାଚ ପାଇଁ ଏହି ଟିକେଟର ସଂଖ୍ୟା କେବଳ ୧୩୫୫ ରହିବ । ଏଥିସହିତ ବିସିସିଆଇର ସୂଚନା ମୁତାବକ, ଯଦି ଆଇସିସି ଏବଂ ବିସିସିଆଇ ଏହାବାଦ୍ ଆହୁରି ଅତିରିକ୍ତ ଟିକେଟ୍ କିଣିବାକୁ ଚାହିଁବ, ତେବେ ରାଜ୍ୟସଂଘ ଏହାକୁ ମଧ୍ୟ ପ୍ରଦାନ କରିବ ।

ସୂଚନାଯୋଗ୍ୟ ଯେ, ଟିକେଟ୍ ବିକ୍ରି ନେଇ ନିଷ୍ପତ୍ତି ହେବା ସହିତ, ଏଥର ବିଶ୍ୱକପରେ ଫ୍ୟାନ୍ସମାନଙ୍କୁ ଷ୍ଟାଡିୟମରେ ମାଗଣାରେ ପାଣି ମିଳିବ ବୋଲି ନିଷ୍ପତ୍ତି ହୋଇଛି । ପ୍ରତିଟି ଷ୍ଟାଡିୟମରେ ଏଥର ପ୍ରଂଶସକଙ୍କୁ ମାଗଣାରେ ପାଣି ଯୋଗାଇ ଦିଆଯିବ ଜୟ ଶାହା ସୂଚନା ଦେଇଛନ୍ତି ।