ଟି-୨୦ ବିଶ୍ୱକପ୍ : ଆଜି ପାକିସ୍ତାନ-ଆଫଗାନିସ୍ତାନ ଲଢ଼େଇ

42

ଚଳିତ ଟି-୨୦ ବିଶ୍ବକପ୍‌ ସୁପର-୧୨ରେ ଶୁକ୍ରବାର ଦୁବାଇରେ ଦୁଇ ପ‌ଡ଼ୋଶୀ ଦେଶ ପାକିସ୍ତାନ ଓ ଆଫ୍‌ଗାନିସ୍ତାନ ମୁହାଁମୁହିଁ ହେବେ । ପାକିସ୍ତାନ ନିଜର ଦୁଇଟି ଯାକ ମ୍ୟାଚ୍‌ ଜିତିଥିବାରୁ ଦୃଢ଼ ସ୍ଥିତିରେ ରହିଛି। ଅନ୍ୟପକ୍ଷରେ ଆଫ୍‌ଗାନିସ୍ତାନ ବଡ଼ ବ୍ୟାବଧାନରେ ସ୍କଟଲାଣ୍ଡକୁ ହରାଇ ଦେଇଛି । ଏହି ମ୍ୟାଚ୍‌ରେ ଏହି ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ ଦେଖାଇଛି। ତେଣୁ ଦୁଇ ଟ୍ରଫି ଦାବିଦାର ଭାରତ ଓ ନ୍ୟୁଜିଲାଣ୍ଡକୁ ମାତ୍‌ ଦେଇଥିବା ବାବର ଆଜମଙ୍କ ନେତୃତ୍ବାଧୀନ ପାକିସ୍ତାନ ଆଜି ମ୍ୟାଚ୍‌ରେ ଆଫ୍‌ଗାନିସ୍ତାନକୁ ହାଲ୍‌କା ଭାବେ ନେବନି । ସ୍କଟଲାଣ୍ଡ ବିପକ୍ଷରେ ଆଫ୍‌ଗାନିସ୍ତାନ ବ୍ୟାଟର୍‌ମାନେ ଯେପରି ବିସ୍ଫୋରକ ଖେଳିଲେ ତାହା ପାକିସ୍ତାନ ବିପକ୍ଷରେ ସମ୍ଭବ ହେବନି ।

ହଜରାତୁଲ୍ଲା ଜଜାଇ, ରହମାନୁଲ୍ଲା ଗୁର୍ବାଜ ଓ ନଜିବୁଲ୍ଲା ଜଦ୍ରାନଙ୍କ ଭଳି ବିସ୍ଫୋରକ ବ୍ୟାଟର୍ ଏବଂ ରସିଦ ଖାନ୍‌ ଓ ମୁଜୀବ-ଉର-ରହମାନଙ୍କ ଭଳି ବିଶ୍ବସ୍ତରୀୟ ସ୍ପିନରଙ୍କୁ ନେଇ ଆଫଗାନିସ୍ତାନ ଦଳ ସନ୍ତୁଳିତ ରହିଛି। ‌‌ଟସ୍‌ ଜିତିଲେ ଏହି ଦଳର ବୋଲିଂ ନିଷ୍ପତ୍ତି ପ୍ରଥମ ପସନ୍ଦ ରହିବ। ରସିଦ ଓ ମୁଜୀବଙ୍କ ପ୍ରଦର୍ଶନ ଶ୍ରେଷ୍ଠ ‌ରହିଲେ ବିଶ୍ବର ଯେ କୌଣସି ଦଳକୁ ଅଟକାଇବାକୁ ସକ୍ଷମ। ବ୍ୟାଟର୍‌ମାନେ ଭଲ ପ୍ରଦର୍ଶନ କରୁଛନ୍ତି ହେଲେ ବଡ଼ ମ୍ୟାଚ୍‌ରେ ଚାପ ନେବାର ଅଭିଜ୍ଞତା ହାସଲ କରିବାକୁ ପଡ଼ିବ।

ଅନ୍ୟପକ୍ଷରେ ପାକିସ୍ତାନର ୩ ଦ୍ରୁତ ବୋଲର ସାହିନ ଶାହ ଆଫ୍ରିଦି, ହାସନ ଅଲୀ ଓ ହାରିସ ‌ର‌ୌଫ ଏପର୍ଯ୍ୟନ୍ତ ବ୍ୟାଟର୍‌ଙ୍କୁ ବାନ୍ଧି ରଖିପାରିଛନ୍ତି । ତେବେ ଏହି ତ୍ରିମୂର୍ତ୍ତି ଆଫ୍‌ଗାନିସ୍ତାନକୁ ଅଟକାଇ ପାରିବେ କି ? ଏମାନଙ୍କ ସହ ଅଭିଜ୍ଞ ସ୍ପିନର ମହମ୍ମଦ ହାଫିଜ ଏବଂ ଇମାନ ୱାସିକ ଓ ସଦାବ ଖାନଙ୍କ ପାଇଁ ମଧ୍ୟ ଆଫଗାନିସ୍ତାନ ଉପରେ ଭାରି ପଡ଼ିପାରନ୍ତି । ପାକିସ୍ତାନ ବ୍ୟାଟର୍‌ ଯଦି ଶୁକ୍ରବାର ସଫଳ ହୁଅନ୍ତି ତେବେ ଆଫଗାନିସ୍ତାନ ଉପରେ ଚାପ ରହିବ । ଏପର୍ଯ୍ୟନ୍ତ ପାକିସ୍ତାନର ଟପ୍‌ ଅର୍ଡର ବ୍ୟାଟର୍‌ ଅଧିନାୟକ ବାବର ଆଜମ ଓ ମହମ୍ମଦ ରିଜୱାନ ପୂରା ଫର୍ମରେ ଥିବା ପ୍ରମାଣ କରିସାରିଛନ୍ତି । ଦୁଇ ଓପନର୍‌ ବିଫଳ ହେଲେ ଫକର ଜାମନ ଓ ମହମ୍ମଦ ହାଫିଜଙ୍କୁ ଦାୟିତ୍ବ ତୁଲାଇବେ । ଫଳରେ ପାକିସ୍ତାନ ଚଳିତ ବିଶ୍ବକପ୍‌ରେ ହ୍ୟାଟ୍ରିକ ବିଜୟ ସହ ନାମିବ୍ୟା ଓ ସ୍କଟ୍‌ଲାଣ୍ଡ ମ୍ୟାଚ୍‌ ପୂର୍ବରୁ ପ୍ରାୟତଃ ସେମିଫାଇନାଲ୍‌ ସ୍ଥାନ ପକ୍କା କରିବାକୁ ଚାହିଁବ ।

ସେପଟେ, ଚଳିତ ଟି-୨୦ ବିଶ୍ବକପ୍‌ରେ ଦୁଇଟି ଲେଖାଏଁ ପରାଜୟ ବରଣ କରିଥିବା ‌ବାଂଲାଦେଶ ଓ ୱେଷ୍ଟ୍‌ଇଣ୍ଡିଜ୍‌ ଶୁକ୍ରବାର ସାର୍‌ଜାରେ ମୁହାଁମୁହିଁ ହେବେ । ୨ରୁ ୨ଟି ଯାକ ହାରିଥିବାରୁ ଉଭୟ ଦଳ ପାଇଁ ସେମିଫାଇନାଲ୍‌ ଆଶା ଉଜ୍ଜୀବିତ ରଖିବାକୁ ଆଜି ମ୍ୟାଚ୍‌ ଗୁରୁତ୍ବପୂର୍ଣ୍ଣ । ତେଣୁ ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ କର ବା ମର ସଦୃଶ । ସୁପର-୧୨ରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାଠୁ ୱେଷ୍ଟଇଣ୍ଡିଜ୍‌ ହାରିଥିଲା ବେଳେ ଶ୍ରୀଲଙ୍କା ଓ ମୋର୍ଗାନଙ୍କ ଦଳଠୁ ବାଂଲାଦେଶ ପରାସ୍ତ ହୋଇଥିଲା ।