କନକ ବ୍ୟୁରୋ : କ୍ରିକେଟ ଖେଳ ପାଇଁ ଆସିଲା ନୂଆ ନିୟମ । ଯାହାକୁ ଜାଣିବା ଉଭୟ କ୍ରିକେଟର ଓ କ୍ରିକେଟପ୍ରେମୀଙ୍କ ପାଇଁ ଆବଶ୍ୟକ । ମଙ୍ଗଳବାର ମେରିଲବୋନ କ୍ରିକେଟ କ୍ଲବ ଦ୍ୱାରା ନୂଆ ନିୟମ ବାବଦରେ ଘୋଷଣା କରାଯାଇଛି । ଯାହାକୁ ଆସନ୍ତା ୧ ଅକ୍ଟୋବର ୨୦୨୨ରୁ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚରେ ଲାଗୁ କରାଯିବ । ତେବେ ନୂଆ ନିୟମରେ କଣ ବଦଳିଲା ଓ ଏଥିରେ କାହାକୁ ମିଳିବ ଫାଇଦା ତାହା ଉପରେ ନଜର ପକାନ୍ତୁ ।
ନୂଆ ନିୟମ ଅନୁସାରେ ଯଦି କେହି ବ୍ୟାଟର କ୍ୟାଚ୍ ଆଉଟ ହୁଅନ୍ତି ତେବେ କ୍ରିଜକୁ ଆସିଥିବା ନୂଆ ବ୍ୟାଟର ହିଁ ବ୍ୟାଟିଂ କରିବେ । ପୂର୍ବରୁ ଏହି ନିୟମ ଭିନ୍ନ ଥିଲା । ପୂର୍ବରୁ କୌଣସି ଖେଳାଳୀ କ୍ୟାଚ୍ ଆଉଟ ହେଉଥିଲେ ନନଷ୍ଟ୍ରାଇକରେ ଥିବା ବ୍ୟାଟର ଯଦି ଆଉଟ ହେଉଥିବା ବ୍ୟାଟରଙ୍କୁ କ୍ରିଜରେ କ୍ରସ କରି ସାରିଥାନ୍ତି ତେବେ ପରବର୍ତ୍ତୀ ବଲରେ ନନଷ୍ଟ୍ରାଇକରେ ଥିବା ଖେଳାଳୀ ହିଁ ବ୍ୟାଟିଂ କରିବାକୁ ସୁଯୋଗ ପାଇଥାନ୍ତି ।
ସେହିଭଳି କରୋନା କାରଣରୁ ବଲରେ ଲାଳ ଲଗାଇବା ବନ୍ଦ କରାଯାଇଥିଲା । କରୋନା ପରେ ଏହି ନିୟମ ବଦଳିବ ବୋଲି ସମସ୍ତେ ଭାବୁଥିଲେ । କିନ୍ତୁ ଆଇସିସି ଏହାକୁ ନେଇ ବଡ ନିଷ୍ପତ୍ତି ନେଇଛି । ଏଣିକି ବଲରେ ଛେପ ବା ଲାଳ ଲଗାଇବାକୁ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ କରାଯାଇଛି । କେବଳ ବଲରେ ଝାଳ ଲଗାଇପାରିବେ ଖେଳାଳୀ । ଏହାବାଦ୍ ଯଦି ଖେଳ ସମୟରେ କୌଣସି ଜୀବ କିମ୍ବା ବ୍ୟକ୍ତି ପଡିଆ ଭତିରକୁ ଚାଲି ଆସନ୍ତି ତେବେ ଏହାକୁ ଡେଡ ବଲ ଘୋଷିତ କରାଯିବ । ଏହା ସେତେବେଳେ କରାଯିବ ଯେତେବେଳେ ଏହା ଖେଳକୁ ପ୍ରଭାବିତ କରିବ ।
କେବଳ ଏତିକି ନୁହେଁ ଯଦି ଫିଲ୍ଡିଂ ସମୟରେ କୌଣସି ଫିଲ୍ଡର ନିୟମ ବାହାରେ ଚଳପ୍ରଚଳ କରନ୍ତି ତେବେ ବ୍ୟାଟିଂ କରୁଥିବା ଟିମକୁ ୫ ରନ ଦିଆଯିବ । ପୂର୍ବରୁ ଫିଲ୍ଡରଙ୍କ ଅଜବ ପ୍ରକାର ଫିଲ୍ଡିଂ ଶୈଳୀ କାରଣରୁ ବ୍ୟାଟିଂ କରୁଥିବା ଟିମକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ସେହିଭଳି ଯଦି କୌଣସି ବଲ ବ୍ୟାଟରଙ୍କୁ ପିଚରୁ ବାହାରକୁ ବାହାରିବାକୁ ବାଧ୍ୟ କରୁଥାଏ ତେବେ ତାହାକୁ ନୋ ବଲ କରି ଦିଆଯିବ ।
ୱାଇଡ ବଲକୁ ନେଇ ମଧ୍ୟ ନିୟମରେ ବଡ ପରିବର୍ତ୍ତନ ଆଣିଛି ଆଇସିସି । ବ୍ୟାଟର ଯଦି କୌଣସି ଭିନ୍ନ ସଟ୍ ଖେଳିବାକୁ ପ୍ରୟାସ କରି ଭିନ୍ନ ଶୈଳୀରେ ଛିଡା ହୁଅନ୍ତି ଏବଂ ବୋଲର ସେହି ଅନୁଯାୟୀ ବଲ ପକାନ୍ତି । ତେବେ ବ୍ୟାଟରଙ୍କ ପୋଜିସନକୁ ଦୃଷ୍ଟିରେ ରଖି ୱାଇଡ ବଲ ବାବଦରେ ନିଷ୍ପତ୍ତି ନିଆଯିବ । ପୂର୍ବରୁ ଷ୍ଟମ୍ପ ଠାରୁ ବଲ କେତେ ଦୂରରେ ପଡୁଛି ତାହାକୁ ନେଇ ୱାଇଡ ବଲ ବାବଦରେ ନିଷ୍ପତ୍ତି ନିଆଯାଉଥିଲା ।
ଏହାବାଦ୍ କ୍ରିକେଟର ନୂଆ ନିୟରେ ଯେଉଁ ବଡ ପରିବର୍ତ୍ତନ କରାଯାଇଛି ତାହା ହେଲା, ମାଙ୍କଡିଂ ଆଉଟ୍ । ନୂଆ ନିୟମରେ ମାଙ୍କଡିଂ ଆଉଟକୁ ସଠିକ୍ ବୋଲି ଦର୍ଶାଯାଇଛି । ଯାହାକୁ ଆଇସିସି ସ୍ୱିକୃତି ଦେଇଛି । ମାଙ୍କଡିଂ ଆଉଟକୁ ଏବେ ରନ୍ ଆଉଟ ଭାବେ ଗଣାଯିବ ।