ଯୁଦ୍ଧ ଅପରାଧରେ ଫଶିଲେ ରୁଷ ରାଷ୍ଟ୍ରପତି । ଆଇସିସି କାଠଗଡ଼ାରେ ପୁଟିନ ଦୋଷୀ ସାବ୍ୟସ୍ତ, ପୁଟିନଙ୍କ ନାଁରେ ଗିରଫ ୱାରେଣ୍ଟ ଜାରି

177

କନକ ବ୍ୟୁରୋ : ଯୁଦ୍ଧ ଭିତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ଲାଗିଛି ଝଟକା । ଯୁଦ୍ଧ ସମୟରେ ଯୁଦ୍ଧ ଅପରାଧ ଅଭିଯୋଗରେ ଫଶିଛନ୍ତି ରୁଷ ରାଷ୍ଟ୍ରପତି ଓ ତାଙ୍କ ନାଁରେ ଗିରଫ ୱାରେଂଟ ଜାରି କରିଛି ଆଇସିସି ବା ଅର୍ନ୍ତଜାତୀୟ ଅପରାଧିକ ନ୍ୟାୟଳୟ । ରୁଷର ଶିଶୁ ଅଧିକାର କମିଶନର ମାରିଆ ଲାଭୋଭା ବେଲୋଭାଙ୍କ ମଧ୍ୟ ଆଇସିିସି ଅପରାଧୀଭାବେ ଘୋଷଣା କରିଛି । କୋର୍ଟ କହିଛନ୍ତି—
ଆଇସିସି କାଠଗଡ଼ାରେ ପୁଟିନ ଦୋଷୀ ସାବ୍ୟସ୍ତ
• ଯୁଦ୍ଧ ସମୟରେ ଯୁଦ୍ଧ ଅପରାଧରେ ରହିଛି ପୁଟିନଙ୍କ ସମ୍ପୃକ୍ତି
• ରୁଷ ସେନା ୟୁକ୍ରେନର ଶିଶୁଙ୍କୁ ବଳପୂର୍ବକ ଅପହରଣ ଓ ବେଆଇନଭାବେ ଚାଲାଣ କରିଛି
• ଅନ୍ୟମାନଙ୍କୁ ଏହି କାର୍ଯ୍ୟରେ ସେ ସାହାଯ୍ୟ ମଧ୍ୟ କରିଛନ୍ତି
• ଅପରାଧ ରୋକିବାକୁ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି
• ପ୍ରମାଣ ସହ ଅଭିଯୋଗ ସତ ପ୍ରମାଣିତ ହୋଇଛି
• ଘଟଣାରେ ପୁଟିନଙ୍କ ସିଧାସଳଖ ସମ୍ପୃକ୍ତି ରହିଛି
• ତେଣୁ ପୁଟିନଙ୍କ ନାଁରେ ଗିରଫ ୱାରେଣ୍ଟ ଜାରି କରାଯାଇଛି

ସେପଟେ ଆଇସିସିର କ୍ଷମତାକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛି ରଷିଆ । ରୁଷ ଆଇସିସିିର ଅଭିଯୋଗକୁ ଖଣ୍ଡନ କରିଛି । ଯେହେତୁ ଆଇସିସିର ସଦସ୍ୟ ରୁଷ ନୁହେଁ ତେଣୁ କୋର୍ଟଙ୍କ ଆଦେଶ ଗ୍ରହଣୀୟ ନୁହେଁ ବୋଲି କ୍ରେମଲିନ କହିିଛି । ରୁଷ ସୁରକ୍ଷା ପରିଷଦର ଡେପୁଟି ଚେୟାରମ୍ୟାନ ଦିମିତ୍ରୀ ମେଡଭେଡେଭ ଆଇସିସିର ଗିରଫ ୱାରେଣ୍ଟକୁ ଟଏଲେଟ ପେପର ସହ ତୁଳନା କରିଛନ୍ତି ।

ଆଇସିସିର ନିଷ୍ପତିକୁ ମାନୁନି ରଷିଆ
• ଆଇସିିସି ଅଭିଯୋଗକୁ ଖଣ୍ଡନ କରୁଛି ରୁଷ
• ଆଇନ ଦୃଷ୍ଟିକୋଣରୁ ଗିରଫ ୱାରେଣ୍ଟ ଅବୈଧ ଅଟେ
• କାରଣ ରୁଷ ଆଇସିସିର ସଦସ୍ୟ ନୁହେଁ
• କୋର୍ଟ ସ୍ଥାପନ ସମୟରେ ୧୨୩ ଦେଶ ହସ୍ତାକ୍ଷର କରିଥିଲେ କିନ୍ତୁ ରୁଷ ଏଥିରୁ ବାଦ ପଡିଥିଲା
• ତେଣୁ ଆଇସିସିର ଫଇସଲା ସ୍ୱିକାର କରିବନି ରୁଷ

ପୁଟିନଙ୍କ ନାଁରେ ଗିରଫ ୱାରେଣ୍ଟ ଜାରି ହେବା ପରେ ବିରୋଧୀ ଦେଶ ଏହାକୁ ସ୍ୱାଗତ ଜଣାଇଛନ୍ତି । ଆମେରିକା କହିଛି ଅର୍ନ୍ତଜାତୀୟ ଅପରାଧିକ ନ୍ୟାୟଳୟର ନିଷ୍ପତି ସମ୍ପୂର୍ଣ୍ଣ ଠିକ୍ ଓ ଅନ୍ୟାୟ ବିରୋଧରେ ଉଚିତ ପଦକ୍ଷେପ । ଆଇସିସିର ନିଷ୍ପତିକୁ ସ୍ୱାଗତ କରି ୟୁକ୍ରେନ କହିଛି ନ୍ୟାୟ ମିଳିବା ଦିଗରେ ଏହା ଏକ ଐତିହାସିକ ନିଷ୍ପତି ଅଟେ । ବ୍ରିଟେନ କହିଛି ଶିଶୁ ଅପରାଧ ଏକ ଜଘନ୍ୟ ଅପରାଧ ଓ କୋର୍ଟଙ୍କ ଫଇସଲା ସମ୍ପୂର୍ଣ୍ଣ ଉଚିତ ଅଟେ ।

କାହିଁକି ଗିରଫ କରିପାରିବନି ଆଇସିସି?
ଆଇସିସି ନିକଟରେ କୌଣସି ରାଷ୍ଟ୍ରମୁଖ୍ୟଙ୍କ ଦୋଷୀ ସାବ୍ୟସ୍ତ କରିବା, ଗିରଫ ୱାରେଣ୍ଟ ଜାରି କରିବା କ୍ଷମତା ରହିଛି କିନ୍ତୁ ଗିରଫ କରିବାର କ୍ଷମତା ନାହିଁ । କାରଣ ଆଇସିସି ନିକଟରେ ନିଜସ୍ୱ ପୁଲିସବଳ ନାହିଁ । ଏଭଳି ସ୍ଥିତିରେ କେବଳ ଦୁଇଟି ଉପାୟରେ ପୁଟିନଙ୍କ ଗିରଫ କରାଯାଇପାରେ । ଯଦି ପୁଟିନଙ୍କୁ ଅନ୍ୟ ଦେଶକୁ ପ୍ରତ୍ୟାବର୍ତନ କରାଯାଏ କିମ୍ବା ଅନ୍ୟ କୌଣସି ଦେଶରୁ ତାଙ୍କୁ ଗିରଫ କରାଯାଏ ।

୨୦୨୨ ଫେବ୍ରୁଆରୀ ୨୪ରେ ଯୁଦ୍ଧ ଆରମ୍ଭ ହେବା ପରଠୁ ଆଇଆଇସି ପ୍ରସିକ୍ୟୁଟର କରିମ ଖାନ ୟୁକ୍ରେନରେ ଯୁଦ୍ଧ ଅପରାଧ, ନରସଂହାର, ମାନବ ବିରୋଧୀ ଅବରାଧ, ଆଶଙ୍କା ପ୍ରକାଶ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି ।