କନକ ବ୍ୟୁରୋ : ଫଟାଫଟ କ୍ରିକେଟର ରୋମାଞ୍ଚ ଆହୁରି ବଢିବ । ଏଣିକି ଟିକିଏ ଭୁଲ ବୋଲିଂ କରୁଥିବା ଟିମ୍ ପାଇଁ ଭାରି ପଡିବ । କାରଣ ଆଇସିସି ଟି-୨୦ କ୍ରିକେଟ ପାଇଁ ନୂଆ ନିୟମ ଜାରି କରିଛି । ଏହି ନୂଆ ନିୟମ ଅନୁଯାୟୀ ବୋଲିଂ କରୁଥିବା ଟିମ୍ ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ଦ୍ଧାରିତ ଓଭର ଶେଷ କରିବେ । ଯଦି ଟିମର ଓଭର ରେଟ ନିର୍ଦ୍ଧାରିତ ସମୟ ଠାରୁ ପଛୁଆ ରୁହେ ତେବେ ବଳକା ଓଭର ଗୁଡିକରେ ବୋଲିଂ କରୁଥିବା ଟିମ୍ ପାଇଁ ମହଙ୍ଗା ପଡିବ । କାରଣ ଏହି ବଳକା ଓଭର ଗୁଡିକରେ ଜଣେ ଖେଳାଳୀଙ୍କୁ ୩୦ ଗଜ ଭିତରେ ରହିବାକୁ ପଡିବ । ପୂର୍ବରୁ ପାୱାର ପ୍ଲେ ପରେ ୩୦ ଗଜ ବାହାରେ ୫ ଜଣ ଖେଳାଳୀ ରହୁଥିଲେ । କିନ୍ତୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଓଭର ସରିନଥିଲେ ବଳକା ଓଭର ଗୁଡିକରେ ୪ ଜଣ ଖେଳାଳୀ ୩୦ ଗଜ ବାହାରେ ରହିବେ । ଯାହା ବ୍ୟାଟିଂ କରୁଥିବା ଟିମକୁ ଫାଇଦାରେ ରଖିବ । ପରିବର୍ତ୍ତିତ ନିୟମ ଆସନ୍ତା ୧୬ ଜାନୁଆରୀରେ ୱେଷ୍ଟଇଣ୍ଡିଜ ଓ ଆର୍ୟଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚରେ ପ୍ରଥମ ଥର ପାଇଁ ଲାଗୁ ହେବ ।

Advertisment

ଆଇସିସି ତରଫରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ପୂର୍ବରୁ ଧୀମା ଓଭର ପାଇଁ ଦଣ୍ଡ ସ୍ୱରୂପ ମ୍ୟାଚ୍ ଫି କାଟି ଦିଆଯାଉଥିଲା ଓ କିଛି ମ୍ୟାଚରୁ ଅଧିନାୟକଙ୍କୁ ବାଦ୍ ଦିଆଯାଉଥିଲା । କିନ୍ତୁ ଏହି ନିୟମ ବ୍ୟତୀତ ଧୀମା ଓଭର ପାଇଁ ଏହି ନୂଆ ନିୟମ ମଧ୍ୟ ଲାଗୁ ହେବ । ନୂଆ ନିୟମ ଅନୁଯାୟୀ, ବୋଲିଂ କରୁଥିବା ଟିମ୍ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ଓଭରର ପ୍ରଥମ ବଲ ପକାଉଥିବା ଆବଶ୍ୟକ । ଯଦି ଏପରି ନହୁଏ ତେବେ ଏହାକୁ ଧୀମା ଓଭର ଭାବେ ଗଣାଯିବ । ଆଉ ଦଣ୍ଡସ୍ୱରୂପ ଜଣେ ଖେଳାଳୀଙ୍କୁ ୩୦ ଗଜ ଭିତରକୁ ଆଣିବାକୁ ପଡିବ । ଆଇସିସି କ୍ରିକେଟ କମିଟିର ସୁପାରିଶ ଅନୁଯାୟୀ ଏହି ନୂଆ ନିୟମ ଅଣାଯାଇଛି ।  ଏହ ନିୟମ ବ୍ୟତୀତ, ଦ୍ୱିପାକ୍ଷିକ ସିରିଜରେ ପ୍ରତି ଇନିଂସରେ ଅଢେଇ ମିନିଟର ଏକ ଡ୍ରିଙ୍କସ ବ୍ରେକ ନିୟମ ମଧ୍ୟ ଲାଗୁ କରାଯାଇଛି । ତେବେ ଏଥିପାଇଁ ସିରିଜ ଆରମ୍ଭରୁ ଉଭୟ ଟିମ୍ ସହମତ ହେବା ଆବଶ୍ୟକ ।