କନକ ବ୍ୟୁରୋ : କ୍ରିକେଟ ମ୍ୟାଚ ହେବ ଆହୁରି ରୋମାଞ୍ଚକର । ଦିନିକିଆ ଓ ଟି-୨୦ ମ୍ୟାଚକୁ ଆହୁରି ରୋମାଞ୍ଚକର କରିବାକୁ ବଡ ନିଷ୍ପତ୍ତି ନେଇଛି ଆଇସିସି । ଯେଉଁଥିପାଇଁ ଷ୍ଟପ୍ କ୍ଲକ୍ ନିୟମ ଆଣିଛି । ଏହି ନିୟମ ଅନୁଯାୟୀ, ବୋଲିଂ କରୁଥିବା ଦଳ ଗୋଟିଏ ଓଭର ଶେଷ କରିବାର ୬୦ ସେକେଣ୍ଡ ମଧ୍ୟରେ ହିଁ ପରବର୍ତ୍ତୀ ଓଭର କରିବାକୁ ପଡିବ । ନଚେତ୍ ବୋଲିଂ କରୁଥିବା ଦଳକୁ ୫ ରନର ପେନାଲ୍ଟି ଗଣିବାକୁ ପଡିବ । କିନ୍ତୁ ଏହା ପ୍ରଥମ ଥରକରେ ଲାଗୁ ହେବନି । ବରଂ ବୋଲି କରୁଥିବା ଦଳର ଅଧିନାୟକଙ୍କୁ ବିଳମ୍ବ ନେଇ ୨ ଥର ଚେତାବନୀ ଦେବେ ଅମ୍ପାୟାର । ଏହାପରେ ମଧ୍ୟ ଯଦି ବୋଲିଂ କରୁଥିବା ଦଳ ଗୋଟିଏ ଓଭର ଶେଷ ହେବାର ୬୦ ସେକେଣ୍ଡ ମଧ୍ୟରେ ପରବର୍ତ୍ତୀ ଓଭର ନପକାଏ ତେବେ ୫ ରନର ପେନାଲ୍ଟି ଗଣିବାକୁ ପଡିବ । ଏହି ନିୟମ ଆସନ୍ତା ଡିସେମ୍ବର ୨୦୨୩ରୁ ଏପ୍ରିଲ ୨୦୨୪ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ପରୀକ୍ଷାମୂଳକ ଭାବେ ଲାଗୁ କରାଯିବ । ଯଦି ଏହି ନିୟମର ଗ୍ରହଣୀୟତା ବଢେ ତେବେ ଏହାକୁ ପରବର୍ତ୍ତୀ ମ୍ୟାଚ୍ ଗୁଡିକରେ ନିୟମିତ ଭାବେ ଲାଗୁ କରାଯିବ । କ୍ରିକେଟ ମ୍ୟାଚରେ ଗୋଟିଏ ଓଭରରୁ ଅନ୍ୟ ଏକ ଓଭର ଆରମ୍ଭ ମଧ୍ୟରେ ଅଧିକ ସମୟ ଯେପରି ଅପଚୟ ନହେବ ସେଥିପାଇଁ ଆଇସିସି ଏଭଳି ନିଷ୍ପତ୍ତି ନେଇଛି । ଏହାପୂର୍ବରୁ ମନ୍ଥର ବୋଲିଂ ପାଇଁ ଇନ୍ ମ୍ୟାଚ୍ ପେନାଲ୍ଟି ବ୍ୟବସ୍ଥା କରିଥିଲା ଆଇସିସି । ଯଦି ଫିଲ୍ଡିଂ କରୁଥିବା ଦଳ ନିର୍ଦ୍ଧାରିତ ସମୟରେ ଓଭର ଶେଷ ନକରିପାରେ ତେବେ ଦଣ୍ଡ ବ୍ୟବସ୍ଥା ରହୁଥିଲା । ଯେଉଁ ଦଣ୍ଡ ବ୍ୟବସ୍ଥାରେ ମ୍ୟାଚର ଶେଷ ଓଭରରେ ୩୦ ମିଟର ସର୍କଲ ବାହାରେ ଜଣେ ଖେଳାଳିଙ୍କୁ କମ କରିବାକୁ ପଡୁଥିଲା । ଯାହାଦ୍ୱାରା ବ୍ୟାଟିଂ ଟିମକୁ ଫାଇଦା ମିଳୁଥିଲା । କିନ୍ତୁ ଷ୍ଟପ୍ କ୍ଲକ୍ ନିୟମ ଅନୁଯାୟୀ, ତୃତୀୟ ଥର ବୋଲିଂ ଆରମ୍ଭ କରିବାକୁ ୬୦ସେକେଣ୍ଡରୁ ଅଧିକ ସମୟ ନେଲେ ତୁରନ୍ତ ବ୍ୟାଟିଂ କରୁଥିବା ଟିମକୁ ୫ ରନର ଫାଇଦା ମିଳିବ ।

Advertisment

ଏହାପୂର୍ବରୁ ୨୦୨୩ ବିଶ୍ୱକପରେ ପ୍ରଥମଥର ପାଇଁ ଟାଇମ ଆଉଟର ଶିକାର ହୋଇଥିଲେ ଶ୍ରୀଲଙ୍କାର ଆଂଜେଲା ମାଥ୍ୟୁସ । ଷ୍ଟପ୍ କ୍ଲକ୍ ଭଳି ଟାଇମ ଆଉଟ ନିୟମ ଅନୁଯାୟୀ, କୌଣସି ଖେଳାଳୀ ଆଉଟ ହେଲେ ପରବର୍ତ୍ତୀ ଖେଳାଳୀ ୨ ମିନିଟ୍ ମଧ୍ୟରେ କ୍ରିଜରେ ପହଞ୍ଚି ବ୍ୟାଟିଂ କରିବାକୁ ପଡିଥାଏ । ନଚେତ୍ ତାଙ୍କୁ ଆଉଟ ଘୋଷିତ କରି ଦିଆଯାଇଥାଏ ।

କେବଳ ଷ୍ଟପ୍ କ୍ଲକ୍ ନୁହେଁ ବରଂ ଆଇସିସି ପିଚ୍ ଓ ଆଉଟଫିଲ୍ଡକୁ ନେଇ ନୂଆ ନିୟମ ଆଣିଛି । ନୂଆ ନିୟମ ଅନୁଯାୟୀ, ଯଦି ୫ ବର୍ଷ ମଧ୍ୟରେ କୌଣସି ପିଚକୁ ୬ ଡିମେରିଟ୍ ପଏଣ୍ଟ ମିଳେ ତେବେ ସେହି ଗ୍ରାଉଣ୍ଡ ଉପରେ ପ୍ରତିବନ୍ଧକ ଲଗାଯିବ । ପୂର୍ବରୁ ୫ ବର୍ଷ ମଧ୍ୟରେ ୫ ଡିମେରିଟ୍ ପଏଣ୍ଟ ମିଳିଲେ ଗ୍ରାଉଣ୍ଡକୁ ଗୋଟିଏ ବର୍ଷ ଯାଏଁ ବାସନ୍ଦ କରାଯାଉଥିଲା । ଉକ୍ତ ଗ୍ରାଉଣ୍ଡରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇପାରୁନଥିଲା ।