ଭାରତରେ ହେବ ବିଶ୍ୱକପ୍, ଖେଳିବ କି ପାକିସ୍ତାନ? ଆଇସିସି ଦେଲା ବଡ ସଂକେତ, କ୍ରିକେଟପ୍ରେମୀଙ୍କ ପାଇଁ ଆସିଲା ବଡ ଖବର ।

150

କନକ ବ୍ୟୁରୋ : ଏସିଆ କପକୁ ନେଇ ବିସିସିଆଇ-ପିସିବି ମଧ୍ୟରେ ବିବାଦ ଛିଡିନଥିବା ବେଳେ ଭାରତରେ ହେବାକୁ ଥିବା ବିଶ୍ୱକପକୁ ନେଇ ଆସିଛି ବଡ ଅପଡେଟ୍ । ବିଶ୍ୱକପରେ ପାକିସ୍ତାନ ଖେଳିବ କି ନାହିଁ ସେନେଇ ପିସିବି ପକ୍ଷରୁ ଆଇସିସିକୁ କୌଣସି ଲିଖିତ ଅନୁମତି ମିଳିନାହିଁ । ଏଭଳି ସ୍ଥିତିରେ ଭାରତରେ ପାକିସ୍ତାନ ବିଶ୍ୱକପ ମ୍ୟାଚ୍ ଖେଳିବ କି ନାହିଁ ତାହାକୁ ନେଇ ସଂଶୟ ଦେଖିବାକୁ ମିଳିଥିବା ବେଳେ ଆଇସିସିର ଜଣେ ସଦସ୍ୟ ବଡ ଅପଡେଟ ଦେଇଛନ୍ତି । ଯାହା କ୍ରିକେଟପ୍ରେମୀଙ୍କୁ କିଛି ମାତ୍ରାରେ ଖୁସି କରିପାରେ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆଇସିସି ସଦସ୍ୟ ଜଣକ ପିଟିଆଇକୁ କହିଛନ୍ତି, ଭାରତକୁ ପାକିସ୍ତାନ ଆସିବ କି ପାକିସ୍ତାନକୁ ଭାରତ ଯିବ ତାହା ବିସିସିଆଇ କିମ୍ବା ପିସିବି ଉପରେ ନିର୍ଭର କରେ ନାହିଁ । ବିଶ୍ୱକପ ଭଳି ଏକ ଗ୍ଲୋବାଲ ଇଭେଣ୍ଟରେ ସାମିଲ ହେବା ନେଇ ଆଇସିସିକୁ ପିସିବି କୌଣସି ଆଶ୍ୱସନା ଦେଇପାରିବ ନାର୍ହି । ବିସିସିସିଆଇ ଭଳି ଏଠାରେ ବି ପାକିସ୍ତାନ ସରକାରଙ୍କ ସ୍ୱୀକୃତି ଆବଶ୍ୟକ । ସରକାରଙ୍କ ଠାରୁ ସ୍ୱୀକୃତି ମିଳିବା ପରେ ପିସିବି କୌଣସି ନିଷ୍ପତ୍ତି ନେଇପାରିବ । ଆଇସିସି ସଦସ୍ୟଙ୍କ ଠାରୁ ଏଭଳି ସଂକେତ ମିଳିବା ପରେ ବିଶ୍ୱକପରେ ପାକିସ୍ତାନ ଭାଗ ନେବାର ସମ୍ଭାବନା ଅଧିକ ବଢିଛି ।

ଆସନ୍ତା ଅକ୍ଟୋବର-ନଭେମ୍ବରରେ ଭାରତରେ ବିଶ୍ୱକପ ଖେଳାଯିବ । କେଉଁ ଟିମ୍ କେଉଁଠି ଖେଳିବ ତାହାର କାର୍ଯ୍ୟସୂଚୀ ଏଯାଏଁ ସାମ୍ନାକୁ ଆସିନି । କିନ୍ତୁ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭାରତ-ପାକିସ୍ତାନ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବାର ସମ୍ଭାବନା ରହିଛି । କିନ୍ତୁ ଅହମ୍ମଦାବାଦରେ ଖେଳିବାକୁ ପାକିସ୍ତାନ ରାଜି ହେଉନଥିବା ରିପୋର୍ଟରେ ପ୍ରକାଶ ପାଇଛି । ଭାରତ-ପାକିସ୍ତାନ ମ୍ୟାଚ୍ ଅକ୍ଟୋବର ୧୫ରେ ଖେଳାଯାଇପାରେ । ଏହାସହ ପାକିସ୍ତାନର ଅନ୍ୟ ମ୍ୟାଚ୍ ଗୁଡିକ ଦକ୍ଷିଣ ଭାରତର ସହର ଯେପରିକି ବାଙ୍ଗାଲୋର ଓ ଚେନ୍ନାଇରେ ଖେଳାଯିବାର ସମ୍ଭାବନା ରହିଛି । କୋଲକାତାର ଇଡେନ ଗାର୍ଡେନରେ ମଧ୍ୟ ପାକିସ୍ତାନ ମ୍ୟାଚ ଖେଳାଯାଇପାରେ ।

ଗୋଟିଏ ପଟେ ବିଶ୍ୱକପରେ ପାକିସ୍ତାନ ଯୋଗ ଦେବ କି ନାହିଁ ତାହା ସ୍ପଷ୍ଟ ହୋଇନଥିବା ବେଳେ ଏସିଆ କପକୁ ନେଇ ଯେଉଁ ବିବାଦ ଦେଖାଦେଇଛି ସେଥିରେ ଏଯାଏଁ ପୂର୍ଣ୍ଣଚ୍ଛେଦ ପଡିନି । କାରଣ ପାକିସ୍ତାନରେ ଏସିଆ କପ୍ ଖେଳାଗଲେ ଭାରତ ନିଜର ଟିମ୍ ପଠାଇବ ନାହିଁ ବୋଲି ସ୍ପଷ୍ଟ କରିଛି । ପାକିସ୍ତାନ ନିଜ ଦେଶରେ ଏସିଆ କପ୍ ଆୟୋଜନ କରିବାକୁ ସବୁ ପ୍ରକାର ବିକଳ୍ପ ପନ୍ଥା ଖୋଲିଥିବା ବେଳେ ଅନ୍ୟ ଦେଶ ଗୁଡିକ ଏଥିରେ ରାଜି ହେଉନାହାନ୍ତି । ଏସିଆ କପ୍ ପାଇଁ ପାକିସ୍ତାନ ହାଇବ୍ରିଡ୍ ମଡେଲ ଲାଗୁ କରିବାକୁ ଏସିସି ନିକଟରେ ପ୍ରସ୍ତାବ ରଖିଥିଲା । ଯେଉଁଥିରେ ଭାରତ ନିଜର ସମସ୍ତ ମ୍ୟାଚ୍ ଅନ୍ୟ କୌଣସି ନିରପେକ୍ଷ ଭେନ୍ୟୁରେ ଖେଳିଥାନ୍ତା । କିନ୍ତୁ ଦୁଇଟି ଦେଶରେ ମ୍ୟାଚ୍ ଖେଳିବାକୁ ରାଜି ହୋଇନଥିଲେ ଅଧିକାଂଶ ଦେଶ । ଯେଉଁଥିପାଇଁ ହାଇବ୍ରିଡ ମଡେଲର ବ୍ୟବହାର କରିବାକୁ ଏସିସି ମନା କରିଥିଲା । ତେଣୁ ଏସିଆ କପକୁ ଶ୍ରୀଲଙ୍କା ସ୍ଥାନାନ୍ତରଣ ପାଇଁ ନିଷ୍ପତ୍ତି ନେଇପାରେ ଏସିସି । ଏପରିକି ପାକିସ୍ତାନର ଆୟୋଜକ ଅଧିକାର ରଖିବାକୁ ପ୍ରସ୍ତାବ ଦେବ ଏସିସି । କିନ୍ତୁ ଏଥିରେ ସହମତ ନହେଲେ ୫ଟି ଟିମକୁ ନେଇ ଏସିଆ କପ୍ ଖେଳାଯାଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।