ବଦଳିଲା ୨୦୨୪ ଟି-୨୦ ବିଶ୍ୱକପ ନିୟମ: ଜାଣନ୍ତୁ କେମିତି ହେବ ମ୍ୟାଚ?

760

କନକ ବ୍ୟୁରୋ: ଶେଷ ହୋଇଛି ୨୦୨୨ ଟି-୨୦ ବିଶ୍ୱକପ । ଏଥିରେ ଚାମ୍ପିୟନ ହୋଇଛି ଇଂଲଣ୍ଡ ଦଳ । ଆଗାମୀ ଟି-୨୦ ବିଶ୍ୱକପ ସଂସ୍କରଣ ୨୦୨୪ ମସିହାରେ ଖେଳାଯିବ । ଆଉ ଏହାକୁ ଆୟୋଜନ କରିବେ ଆମେରିକା ଓ ୱେଷ୍ଟଇଣ୍ଡିଜ । ତେବେ ଆଗାମୀ ସଂସ୍କରଣରେ ଆଇସିସି କିଛି ନିୟମରେ ପରିବର୍ତ୍ତନ କରିବ । ଅର୍ଥାତ ୨୦୨୪ରେ ନୂଆ ରୂପରେ ଖେଳା ଯିବ ଟି-୨୦ ବିଶ୍ୱକପ । ୨୦୨୨ ଟି-୨୦ ବିଶ୍ୱକପର ଟପ ୮ ଟିମ ୨୦୨୪ ବିଶ୍ୱକପରେ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ । ହେଲେ ବାକି ଟିମ ମଧ୍ୟରେ କ୍ୱାଲିଫାଇ ରାଉଣ୍ଡ ଖେଳାଯିବ ।

୨୦୨୨ର ଟପ୍ ୮ ବ୍ୟତୀତ ଅଫଗାନିସ୍ତାନ ଓ ବାଂଲାଦେଶ ମଧ୍ୟ ସିଧାସଳଖ ପ୍ରବେଶ କରିବେ । ସେହିପରି ଆମେରିକା ଓ ୱେଷ୍ଟଇଣ୍ଡିଜ ଏହି ବିଶ୍ୱକପ ଆୟୋଜନ କରିବେ, ତେଣୁ ତାଙ୍କୁ ବି ଏଥିରେ ସିଧା ଏଣ୍ଟ୍ରି ମିଳିବ । କହିବାକୁ ଗଲେ ୨୦୨୪ ବିଶ୍ୱକପ ପାଇଁ ୧୨ ଟିମ ପ୍ରସ୍ତୁତ ହୋଇ ଅଛନ୍ତି । ଏହି ବିଶ୍ୱକପରେ ୨୦ ଟିମ ଭାଗ ନେବାକୁ ଥିବାରୁ ବାକି ୮ ଟିମର ଫଇସଲା କ୍ୱାଲିଫାଇ ରାଉଣ୍ଡ ପରେ ଜଣାପଡିବ ।

ଟି-୨୦ ବିଶ୍ୱକପ ୨୦୨୪ରେ ମୋଟ ୨୦ ଟିମ ଖେଳିବେ । ୨୦ ଟିମକୁ ୫-୫ ଲେଖାଏଁ ୪ ଗ୍ରୁପରେ ବଣ୍ଟାଯିବ । ସେହିପରି ସବୁ ଗ୍ରୁପର ଟପ-୨ ଟିମ ସୁପର-୮ ପାଇଁ କ୍ୱାଲିଫାଇ କରିବେ । ଆଉ ଏହି ସଂସ୍କରଣରେ ୨୦୨୨ ଭଳି ସୁପର ୧୨ ମ୍ୟାଚ ହେବ ନାହିଁ । ସୁପର ୧୨ ବଦଳରେ ଏଥିରେ ସୁପର-୮ ରାଉଣ୍ଡ ଖେଳାଯିବ । ଏହାପରେ ୪ଟି ଲେଖାଏଁ ଟିମକୁ ୨ଟି ଗ୍ରୁପରେ ବଣ୍ଟାଯିବ । ଆଉ ଏହି ଗ୍ରୁପରୁ ଶୀର୍ଷ ଦୁଇ ଦୁଇଟି ଟିମ ସେମିଫାଇନାଲରେ ପ୍ରବେଶ କରିବେ । ଆଉ ଏହାପରେ ଫାଇନାଲ ଖେଳାଯିବ । ଆମେରିକା ଓ ୱେଷ୍ଟଇଣ୍ଡିଜ ଏହି ସଂସ୍କରଣ ଆୟୋଜନ କରୁଥିବାରୁ ଏହି ଦସ୍ୱବ ଦଳ ଏବେ ପ୍ରଥମ ଦୁଇ ସ୍ଥାନ ହାସଲ କରିସାରିଛନ୍ତି ।

ଟି-୨୦ ବିଶ୍ୱକପ ୨୦୨୪ରେ ମୋଟ ୫୫ ମ୍ୟାଚ ଖେଳାଯିବ । ଏହି ୫୫ ମ୍ୟାଚରୁ ଏକ ତୃତୀୟାଶଂ ମ୍ୟାଚ ଆମେରିକାରେ ଖେଳାଯିବ । ଆଉ ବାକି ମ୍ୟାଚ ୱେଷ୍ଟଇଣ୍ଡିଜରେ ଖେଳାଯିବ । ତେବେ ଏଥିପାଇଁ ଆଇସିସି ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚରେ ପରିବର୍ତ୍ତନ କରିଛି । ଆଉ ଢଙ୍ଗରେ ଆଗାମୀ ଟି-୨୦ ବିଶ୍ୱକପ ସଂସ୍କରଣ ଖେଳାଯିବ ।

ଏଥର ଟି-୨୦ ବିଶ୍ୱକପ ଅଷ୍ଟ୍ରେଲିଆ ଆୟୋଜନ କରିଥିଲା । ଏଥିରେ ଭାରତ ସୁପର ୧୨ରେ ଦମଦାର ପ୍ରଦର୍ଶନ କରିଥିଲା । ଆଉ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିଲା । ଏହାପରେ ଭାରତ ଇଂଲଣ୍ଡ ସହ ସେମିଫାଇନାଲ ମ୍ୟାଚ ଖେଳିଥିଲା । ଯେଉଁଥିରେ ଭାରତ ବଡ ବ୍ୟବଧାନରେ ପରାଜିତ ହୋଇଥିଲା । ଫଳରେ ଇଂଲଣ୍ଡ ଆଉ ପାକିସ୍ତାନ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ଇଂଲଣ୍ଡ ପାକିସ୍ତାନକୁ ହରାଇ ବିଶ୍ୱ ଚାମ୍ପିୟନ ହୋଇଥିଲା । ତେବେ ଆଗାମୀ ୨୦୨୪ ବିଶ୍ୱକପରେ ଭାରତ କେମିତି ପ୍ରଦର୍ଶନ କରୁଛି ତା ଉପରେ ରହିଛି ଫ୍ୟାନଙ୍କ ନଜର ।