Image Courtesy : https://www.youlinmagazine.com
କନକ ବ୍ୟୁରୋ : ଓଭାଲ କ୍ରିକେଟ୍ ମୈଦାନରେ ଲେଖା ଚାଲିଛି ବିଶ୍ୱ କ୍ରୀଡ଼ାର ନୂଆ ଇତିିହାସ । କ୍ରିକେଟ୍ ଦର୍ଶକମାନେ ପୁଣି ଥରେ ପ୍ରମାଣ କରିଦେଇଛନ୍ତି ଯେ, କ୍ରିକେଟ୍ କେବଳ ଏକ ଖେଳ ନୁହେଁ, ଏହା ଏକ ଧର୍ମ । ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍ ପାଲଟିବାକୁ ଯାଉଛି କ୍ରିକେଟ୍ ଇତିହାସର ସବୁଠୁ ବଡ ମ୍ୟାଚ୍ । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଏହି କ୍ରିକେଟ୍ ମ୍ୟାଚ୍ ହେଉଛି, ଦୁନିଆର ସବୁଠୁ ଅଧିକ ଲୋକ ଦେଖୁଥିବା କ୍ରିକେଟ୍ ମ୍ୟାଚ୍ । ଇଏସପିଏନର ଆକଳନ କହୁଛି ଚାମ୍ପିୟନ୍ସ ଟ୍ରଫିର ଏହି ଫାଇନାଲ୍ ମ୍ୟାଚ୍ ଦେଖୁଛନ୍ତି ପ୍ରାୟ ୭୦ କୋଟି କ୍ରିକେଟ୍ ଦର୍ଶକ । ଯାହା ପୂର୍ବର ସବୁ ରେକର୍ଡକୁ ପଛରେ ଛାଡି ଯାଇଛି । ନଜର ପକାନ୍ତୁ :
ସର୍ବାଧିକ ଦର୍ଶକ ଦେଖିବା କ୍ରିକେଟ୍ ମ୍ୟାଚ
ଟୁର୍ଣ୍ଣାମେଂଟ୍ ବର୍ଷ ଦଳ ମୋଟ୍ ଦର୍ଶକ
ବିଶ୍ୱକପ ଫାଇନାଲ ୨୦୧୧ ଭାରତ ବନାମ ଶ୍ରୀଲଙ୍କା ୫୮.୮କୋଟି
ବିଶ୍ୱକପ୍ ମ୍ୟାଚ୍ ୨୦୧୧ ଭାରତ ବନାମ ପାକିସ୍ତାନ ୪୯.୫ କୋଟି
ଚାମ୍ପିୟନ୍ସ ଟ୍ରଫି ୨୦୧୭ ଭାରତ ବନାମ ପାକିସ୍ତାନ ୩୨.୪ କୋଟି
ବିଶ୍ୱକପ ୨୦୧୫ ଭାରତ ବନାମ ପାକିସ୍ତାନ ୩୧.୩ କୋଟି
ବିଶ୍ୱକପ ୨୦୧୧ ଭାରତ ବନାମ ଦ.ଆଫ୍ରିକା ୩୦ କୋଟି
କେବଳ କ୍ରିକେଟ୍ କାହିଁକି ଅଲିମ୍ପିକ୍ସ ଭଳି ବିଶ୍ୱର ସବୁଠୁ ବଡ କ୍ରୀଡ଼ା ଇଭେଂଟକୁ ବି ଟକ୍କର ଦେଉଛି ଆଜିର ଏହି ଭାରତ-ପାକିସ୍ତାନ ମୁକାବିଲା । ବିଶ୍ୱକପ୍ ଫୁଟବଲ, ଚାମ୍ପିୟନ୍ସ ଲିଗ୍ ଫୁଟବଲ ଏବଂ ୟୁରୋ କପ୍ ଭଳି ବଡ ବଡ ଇଭେଂଟର ଦର୍ଶକଙ୍କୁ ବି ବହୁ ପଛରେ ପଡ଼ି ଯାଇଛି । ନଜର ପକାନ୍ତୁ ସର୍ବାଧିକ ଦେଖିଥିବା ଦୁନିଆର କିଛି ବଡ ଇଭେଂଟ୍ ଉପରେ ।
ସର୍ବାଧିକ ଦର୍ଶକ ଦେଖିଥିବା କ୍ରୀଡ଼ା
ଇଭେଂଟ୍ ବର୍ଷ ଦର୍ଶକ
୨୦୦୮ ଅଲିମ୍ପିକ୍ସ ୨୦୦୮ ୧୦୦ କୋଟି
ଫୁଟବଲ ବିଶ୍ୱକପ ୨୦୧୦ ୫୩ କୋଟି
ୟୁରୋ କପ୍ ଫାଇନାଲ ୨୦୧୨ ୨୯.୯ କୋଟି
ଚାମ୍ପିୟନ୍ସ ଲିଗ୍ ୨୦୧୫ ୧୮ କୋଟି
ଭାରତରେ କ୍ରିକେଟକୁ ଏକ ଧର୍ମ ବୋଲି ଯେଉଁ ଚର୍ଚ୍ଚା ହୁଏ, ଆଜିର ମ୍ୟାଚରେ ଟିଭି ଦେଖୁଥିବା ଦର୍ଶକଙ୍କ ସଂଖ୍ୟା ଦେଖିଲେ ତାହା ଏକ ପ୍ରକାର ସତ ବୋଲି ଧରି ନିଆଯାଇ ପାରିବ । ଟିଭି ଜରିଆରେ ଘରେ ଘରେ ଲୋକଙ୍କ ପାଖରେ ପହଂଚୁଥିବା ଏହି ମ୍ୟାଚ୍ ଦେଖିବା ପାଇଁ କ୍ରିକେଟ୍ ଫ୍ୟାନ୍ ମାନଙ୍କର ମଧ୍ୟ ଯେଉଁ ଧରଣର ଉତ୍ସାହ ଦେଖିବାକୁ ମିଳୁଛି । ଏହାକୁ ଦେଖି ବିଜ୍ଞାପନର ଛୋଟିଏ ସ୍ପେସଟିଏ ପାଇଁ ଦେବାକୁ ପଡୁଛି କୋଟି କୋଟି ଟଙ୍କା । ଇତିମଧ୍ୟରେ କେବଳ ଭାରତ-ପାକିସ୍ତାନର ଏହି ହାଇଭୋଲଟେଜ୍ ମ୍ୟାଚ୍ ପାଇଁ ବିଜ୍ଞାପନର ଦରକୁ ୧୦ ଗୁଣ ବଢ଼ାଇ ଦିଆଯାଇଛି ।
କ୍ରିକେଟ୍ ବିଶ୍ୱକପ୍ ଏବଂ ଆସେସ୍ ସିରିଜ୍ ଦୂରରେ ଥାଉ, ଅଲିମ୍ପିକ୍ସ, ଫୁଟବଲ୍ ବିଶ୍ୱକପ୍ ଏବଂ ଉସେନ୍ ବୋଲ୍ଡଙ୍କ ଦୌଡର ଦର୍ଶକଙ୍କୁ କିଛିକାଂଶରେ ପଛରେ ପକାଇ ଦେଇଛି ଆଜିର ଏହି ହାଇଭୋଲ ଟେଜ୍ ମ୍ୟାଚ୍ ।
Follow Us