ଯଦି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମୁକାବିଲା ଡ୍ର ହୁଏ, ତେବେ କାହାକୁ ମିଳିବ ଫାଇନାଲ ଟ୍ରଫି । ଆଇସିସି ଦେଲା ବଡ ସୂଚନା ।

402

କନକ ବ୍ୟୁରୋ : ଇଂଲଣ୍ଡରେ ଆସନ୍ତା ଜୁନ୍ ୧୮ରୁ ୨୨ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମୁକାବିଲା ଖେଳାଯିବ । ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ତେବେ ଟେଷ୍ଟ ମ୍ୟାଚରେ ଅଧିକତମ ମ୍ୟାଚ୍ ଡ୍ର ହେଉଥିବାରୁ ଏହି ଫାଇନାଲ ମ୍ୟାଚର ବିଜେତା କିଭଳି ବଛାଯିବ ତାହାକୁ ନେଇ ଦର୍ଶକଙ୍କ ମନରେ ଦ୍ୱନ୍ଦ୍ୱ ରହିଛି । ଯାହାକୁ ଦୂର କରିଛି ଆଇସିସି । ଶୁକ୍ରବାର ଆଇସିସି  ଫାଇନାଲ ମ୍ୟାଚର ଫଳାଫଳ ବାବଦରେ ସ୍ପଷ୍ଟ ସୂଚନା ଜାରି କରିଛି ।

ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମ୍ୟାଚକୁ ନେଇ ଆଇସିସି କହିଛି, ଯଦି ଫାଇନାଲ ମ୍ୟାଚ୍ ଡ୍ର ବା ଅମୀମାଂସିତ ରୁହେ ତେବେ ଉଭୟ ଟିମ୍ ଯୁଗ୍ମ ବିଜେତା ଭାବେ ଘୋଷଣା କରାଯିବ । ଯୁଗ୍ମ ବିଜେତା ଭାବେ ଉଭୟ ଟିମ ଫାଇନାଲ ଟ୍ରଫି ହାତେଇବେ । ଏପରିକି ଫାଇନାଲ ମୁକାବିଲା ପାଇଁ  ଜୁନ୍ ୨୩କୁ ରିଜର୍ଭ ଡେ ରଖାଯାଇଛି । ରିଜର୍ଭ ଡେର ବ୍ୟବହାର ସେତେବେଳେ କରାଯିବ ଯଦି ପ୍ରଥମ ୫ ଦିନ ମଧ୍ୟରେ ୩୦ ଘଣ୍ଟାରୁ ଅଧିକ ସମୟ ଖେଳ ହୋଇପାରିନଥିବ ।

ମ୍ୟାଚ୍ ମଝିରେ ଜାଣିଶୁଣି ସମୟ ନଷ୍ଟ କରାଗଲେ ଆଇସିସି ରେଫରୀଙ୍କ ପକ୍ଷରୁ ଟିମକୁ ରିଜର୍ଭ ଡେ ବ୍ୟବହାର କେଉଁ ସମୟରେ କରାଯିବ ସେ ବାବଦରେ ଅବଗତ କରିବେ । ରିଜର୍ଭ ଡେର ବ୍ୟବହାର ହେବ କି ନାହିଁ ତାହା ମ୍ୟାଚର ଅନ୍ତିମ ଦିନ ଖେଳ ଆରମ୍ଭରୁ ଗୋଟିଏ ଘଣ୍ଟା ପୂର୍ବରୁ ଘୋଷଣା କରାଯିବ ।

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ପାଇଁ ନ୍ୟୁଜିଲାଣ୍ଡ ଦଳ ପୂର୍ବରୁ ଇଂଲଣ୍ଡରେ ପହଞ୍ଚି ସାରିଥିବା ବେଳେ ଭାରତ ଆସନ୍ତା ଜୁନ୍ ୨ରେ ଇଂଲଣ୍ଡ ଗସ୍ତ କରିବ ।