ଦିନକ ପରେ ଆରମ୍ଭ ହେବ କ୍ରିକେଟର ମହାପର୍ବ । ବିଶ୍ୱର ଶ୍ରେଷ୍ଠ ୧୦ଟି ଦେଶ ମଧ୍ୟରେ ହେବ ବଡ ଲଢେଇ । କିଏ ଜିତିବ ଦ୍ୱାଦଶ ସଂସ୍କରଣ ବିଶ୍ୱକପ୍ ଟ୍ରଫି ?

226

କନକ ବ୍ୟୁରୋ : ଆରମ୍ଭ ହୋଇସାରିଛି କ୍ରିକେଟ୍ ବିଶ୍ୱକପ୍ କାଉଣ୍ଟଡାଉନ୍ । ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଦିନକ ପରେ ଅର୍ଥାତ ଆସନ୍ତା ମେ’ ମାସ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟ୍ ବିଶ୍ୱକପ୍ ଲଢେଇ । ଇଂଲଣ୍ଡ ଏବଂ ୱେଲସ ଠାରେ ମେ ୩୦ ତାରିଖରୁ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଏହି କ୍ରିକେଟ୍ ମହାକୁମ୍ଭ ଚାଲିବ । ବିଶ୍ୱର ଶ୍ରେଷ୍ଠ ୧୦ଟି ଦେଶ ମଧ୍ୟରେ ହେବ କଡା ଟକ୍କର । ଆଇସିସି କ୍ରିକେଟ୍ ବିଶ୍ୱକପର ଦ୍ୱାଦଶ ସଂସ୍କରଣର ଟ୍ରଫି ହାତେଇବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି ।

ବିଶ୍ୱକପ୍ ପାଇଁ ସମସ୍ତ ପ୍ରସ୍ତୁତି ପାଖାପାଖି ଶେଷ ହୋଇଥିବା ବେଳେ, ଟ୍ରଫି ହାତେଇବା ପାଇଁ ଜୋରଦାର କସରତ କରୁଛନ୍ତି ସମସ୍ତ ଦଳ । ବିଶ୍ୱକପ୍ ପୂର୍ବରୁ ଖେଳାଯାଉଛି ଅଭ୍ୟାସ ମ୍ୟାଚ୍ । ତେବେ ଚଳିତ ବିଶ୍ୱକପରେ ଭାରତର ଅଭିଯାନ ଆସନ୍ତା ଜୁନ୍ ମାସ ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ବିଶ୍ୱକପ ୨୦୧୯ର ନିଜ ପ୍ରଥମ ମ୍ୟାଚରେ ଦକ୍ଷିଣ-ଆଫ୍ରିକାକୁ ଭେଟିବ ଟିମ୍ ଇଣ୍ଡିଆ । ଆଉ ଏହାରି ଭିତରେ ସମସ୍ତଙ୍କ ନଜର ରହିଛି ଆସନ୍ତା ଜୁନ୍ ମାସ ୧୬ ତାରିଖକୁ । କାରଣ ଏହି ଦିନ ବିଶ୍ୱ ଦେଖିବ କ୍ରିକେଟର ସବୁଠାରୁ ବଡ ଲଢେଇ । ଯେତେବେଳେ ମୁହାଁମୁହିଁ ହେବେ ବିଶ୍ୱର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଦଳ ଭାରତ ଏବଂ ପାକିସ୍ତାନ ।

ବିଶ୍ୱକପର ଆରମ୍ଭକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବା ବେଳେ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢି ବଢିଚାଲିଛି । ତେବେ ଆସନ୍ତୁ ନଜର ପକାଇବା ବିଶ୍ୱକପ କ୍ରିକେଟର ଇତିହାସ ଉପରେ ।

କ୍ରିକେଟ୍ ବିଶ୍ୱକପର ଆରମ୍ଭ ୧୯୭୫ରେ ହୋଇଥିଲା । ଏପର୍ଯ୍ୟନ୍ତ ବିଶ୍ୱକପର ୧୧ଟି ସଂସ୍କରଣ ଖେଳାଯାଇଥିବା ବେଳେ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ସର୍ବାଧିକ ୫ ଥର ବିଶ୍ୱକପ ଜିତିଛି । ଅଷ୍ଟ୍ରେଲିଆ ପରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ୨-୨ ଥର, ଶ୍ରୀଲଙ୍କା ଏବଂ ପାକିସ୍ତାନ ୧-୧ ଥର ବିଶ୍ୱକପ ନିଜ ନାମରେ କରିଛନ୍ତି । ଆସନ୍ତୁ ନଜର ପକାଇବା ୧୯୭୫ରୁ ନେଇ ଆଜି ପର୍ଯ୍ୟନ୍ତ କ୍ରିକେଟ୍ ବିଶ୍ୱକପର ଫଳାଫଳ ଉପରେ ।

୧୯୭୫ – ୱେଷ୍ଟଇଣ୍ଡିଜ (ଚାମ୍ପିୟନ), ଅଷ୍ଟ୍ରେଲିଆ (ରନର୍ସଅପ୍)
୧୯୭୯ – ୱେଷ୍ଟଇଣ୍ଡିଜ (ଚାମ୍ପିୟନ), ଇଂଲଣ୍ଡ (ରନର୍ସଅପ୍)
୧୯୮୩ – ଭାରତ (ଚାମ୍ପିୟନ), ୱେଷ୍ଟଇଣ୍ଡିଜ (ରନର୍ସଅପ୍)
୧୯୮୭ – ଅଷ୍ଟ୍ରେଲିଆ (ଚାମ୍ପିୟନ), ଇଂଲଣ୍ଡ (ରନର୍ସଅପ୍)
୧୯୯୨ – ପାକିସ୍ତାନ (ଚାମ୍ପିୟନ), ଇଂଲଣ୍ଡ (ରନର୍ସଅପ୍)
୧୯୯୬ – ଶ୍ରୀଲଙ୍କା (ଚାମ୍ପିୟନ), ଅଷ୍ଟ୍ରେଲିଆ (ରନର୍ସଅପ୍)
୧୯୯୯ – ଅଷ୍ଟ୍ରେଲିଆ (ଚାମ୍ପିୟନ), ପାକିସ୍ତାନ (ରନର୍ସଅପ୍)
୨୦୦୩ – ଅଷ୍ଟ୍ରେଲିଆ (ଚାମ୍ପିୟନ), ଭାରତ (ରନର୍ସଅପ୍)
୨୦୦୭ – ଅଷ୍ଟ୍ରେଲିଆ (ଚାମ୍ପିୟନ), ଶ୍ରୀଲଙ୍କା (ରନର୍ସଅପ୍)
୨୦୧୧ – ଭାରତ (ଚାମ୍ପିୟନ), ଶ୍ରୀଲଙ୍କା (ରନର୍ସଅପ୍)
୨୦୧୫ – ଅଷ୍ଟ୍ରେଲିଆ (ଚାମ୍ପିୟନ), ନ୍ୟୁଜିଲାଣ୍ଡ (ରନର୍ସଅପ୍)