ଦିନେ ସାଇକେଲ୍ ଦୋକାନରେ କରୁଥିଲେ ପମ୍ପଚର ମାରିବାର କାମ । ସାଙ୍ଗର ସଂଘର୍ଷ ସାମ୍ନାରେ ସାହସର ବାଡ ହୋଇ ଛିଡା ହେଲେ ବନ୍ଧୁ । ସାଙ୍ଗର ସାହାଯ୍ୟ ପାଇ ପମ୍ପଚର ଦୋକାନୀରୁ ପାଲଟିଲେ ପ୍ରଶାସକ ।

2,741

କନକ ବ୍ୟୁରୋ : ସାଙ୍ଗ..ଗୋଟେ ସରୁନଥିବା ସମ୍ପର୍କର ନାଁ, ନିସ୍ୱାର୍ଥପର ଭଲପାଇବାର ନିର୍ଭୁଲ ଠିକଣା । ଆମେ ଦେହ ହେଲେ, ସାଙ୍ଗ ଆମ ଛାଇ, ଆମ ଶରୀରରେ ବହୁଥିବା ନିଶ୍ୱାସର ନଈ । ଆଜି ଆମେ ଆପଣଙ୍କୁ ସେମିତି ଏକ ବନ୍ଧୁତାର କାହାଣୀ କହିବାକୁ ଯାଉଛୁ, ଯାହା ଶୁଣିଲେ ଆପଣ ବି କହିବେ, ସାଙ୍ଗ ହେବ ତ ଏମିତି । ଗରିବ ପରିବାରରେ ଜନ୍ମ ହୋଇଥିବା ପିଲାଟିଏ ଆଜି ତା ସାଙ୍ଗମାନଙ୍କ ପାଇଁ ସଫଳତାର ଶୀର୍ଷରେ ପହଞ୍ଚିପାରିଛି ।

ବରୁଣ ବରନୱାଲ । ଦିନେ ସାଇକେଲ୍ ଦୋକାନରେ କାମ କରୁଥିବା ଏହି ପିଲାଟି ଆଜି ଜଣେ ଆଇଏଏସ ଅଫିସର । ତେବେ ବରୁଣଙ୍କ ଆଇଏଏସ ସଫଳତା ପଛରେ ରହିଛି ଏକ ବିରାଟ କାହାଣୀ । ମହାରାଷ୍ଟ୍ରର ଏକ ଗରିବ ପରିବାରରେ ବରୁଣଙ୍କ ଜନ୍ମ । ବରୁଣଙ୍କ ବାପା ସାଇକେଲ ପମ୍ପଚର ମାରି ପରିବାର ପ୍ରତିପୋଷଣ କରୁଥିଲେ ।

ପିଲାଟି ବେଳୁ ଅଭାବ ଅନଟନର ଅନ୍ଧାର ଭିତରେ ଭବିଷ୍ୟତର ସୁନେଲି ସ୍ୱପ୍ନ ଦେଖୁଥିଲେ ବରୁଣ । କିନ୍ତୁ ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବା ପାଇଁ ହୁଏତ ପରବାରର ସାମର୍ଥ୍ୟ ନଥିଲା । ୨୦୦୬ରେ ବରୁଣଙ୍କ ମାଟ୍ରିକ୍ ପରୀକ୍ଷା ଶେଷ ହେବାର ୩ ଦିନ ପରେ ପରପାରିକୁ ଚାଲିଗଲେ ବରୁଣଙ୍କ ବାପା । ସେତେବେଳେ ଦିନକୁ ଦି ଓଳି ଖାଇବାକୁ ପାଉନଥିଲେ ବରୁଣ, ପାଠ ପଢିଥାନ୍ତେ ବା କେମିତି । ବାଧ୍ୟ ହୋଇ ବରୁଣ ବି ବାପାଙ୍କ ସାଇକେଲ୍ ମରାମତି ଦୋକାନରେ ପମ୍ପଚର ମାରିବା କାମ ଆରମ୍ଭ କଲେ ।

କୁହାଯାଏ ବିପଦ ଆସିଲେ ଅନ୍ତରରୁ ଆପେ ଆପେ ବାହାରିଆସେ ବନ୍ଧୁର ନାଁ । ଆଉ ଯେତେବେଳେ ବନ୍ଧୁ ଅସୁବିଧାରେ ଅଛି ସାଙ୍ଗମାନଙ୍କ ମନ ମାନିଥାନ୍ତା ବା କେମିତି । ସାଙ୍ଗ ପାଇଁ ଆଗେଇ ଆସିଥିଲେ ବରୁଣଙ୍କ ବନ୍ଧୁମାନେ । ଆଉ ଭରିଦେଇଥିଲେ ବରୁଣଙ୍କ ପରୀକ୍ଷା ଫି ।

୨୦୧୩ରେ ଆଇଏଏସ ପରୀକ୍ଷା ଦେଇ ସଫଳତା ହାସଲ କଲେ ବରୁଣ । ହେଲେ ସାଙ୍ଗମାନଙ୍କ ସହଯୋଗ ବିନା ଏହି ସଫଳତା ଅସମ୍ଭବ ଥିଲା । ବନ୍ଧୁ ପାଇଁ ଆଜି ସାଇକେଲ୍ ପମ୍ପଚର ଦୋକାନରୁ ଆଇଏଏସ ଅଫିସର ବନିପାରିଛନ୍ତି ବରୁଣ ।

Comments are closed.