ଦାରିଦ୍ର୍ୟକୁ ହରାଇ ଜିତିଗଲେ । ଦିନେ ସାଇକେଲ ରିପେୟାରିଙ୍ଗ କରୁଥିଲେ , ଏବେ ଜଣେ ଦକ୍ଷ ଆଇଏଏସ୍

379

କନକ ବ୍ୟୁରୋ :ଦୁଃଖ କାହା ଜୀବନରେ ନଆସେ । କେହି ଏହାକୁ ଡରିଯାଇ ହାରି ଯାଏ ତ ଆଉ କେହି ଦୁଃଖ ଯନ୍ତ୍ରଣାକୁ ହରାଇ ନିଜେ ଜିତିଯାଏ । ଆଉ ସମସ୍ତଙ୍କ ପାଇଁ ସୃଷ୍ଟି କରେ ଉଦାହରଣ । ଆମେ କହିବାକୁ ଯାଉଛୁ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ ଯିଏ ଅନେକ ଅକୁହା ଓ ଅସହ୍ୟ ସହ କରିଛନ୍ତି ସଂଘର୍ଷ । ଆଉ ଶେଷରେ ପାଇଛନ୍ତି ସଫଳତା । କେବେ ସାଇକେଲ ରିପାୟରିଙ୍ଗ କରୁଥିଲେ । ହେଲେ ଆଜି ଭାରତୀୟ ପ୍ରଶାସନିକ ସେବାର ଜଣେ କର୍ତ୍ତବ୍ୟନିଷ୍ଠ ଓ ଲୋକପ୍ରିୟ ଅଧିକାରୀ । ଏହି କାହାଣୀ ହେଉଛି ମହାରାଷ୍ଟ୍ରର ଏକ ଛୋଟିଆ ସହର ବୋଇସାରର ବାସିନ୍ଦା ବରୁଣ ବରଣୱାଲଙ୍କର ।

ପଢିବାର ଝୁଙ୍କ ଆଉ ଜୀବନରେ କିଛି ନିଆରା କରି ଦେଖାଇବାର ଦୃଢ ଇଚ୍ଛା ବରୁଣଙ୍କୁ ସେହି ସଫଳତାର ଶିଖରରେ ପହଂଚାଇଲା, ଯାହା ପାଇଁ ପ୍ରତିବର୍ଷ ଦେଶର ଳକ୍ଷଲକ୍ଷ ଛାତ୍ରଛାତ୍ରୀ ଦିନ ରାତି କଠିନ ପରିଶ୍ରମ କରୁଛନ୍ତି ।  ହେଲେ ସେମାନଙ୍କ ମଧ୍ୟରୁ ମାତ୍ର ହାତ ଗଣତି ସଫଳ ହେଉଛନ୍ତି । ହେଲେ ଏହି ସଫଳତା ପାଇଁ ସ୍ୱପ୍ନ ଦେଖିବାକୁ ଡରନ୍ତି ଦାରିଦ୍ର୍ୟ ଭିତରେ ଦିନ କାଟୁଥିବା ଯୁବଗୋଷ୍ଠୀ । କାରଣ ଘର ଚଳାଇବାର ଦାୟିତ୍ୱ ଅଧିକାଂଶତଃ ସେମାନଙ୍କୁ ଯୋଶ ଉପରେ ଭାରି ପଡିଥାଏ ଆଉ ସବୁ ସପ୍ନକୁ ଆଖିରୁ ଚୋରାଇନିଏ । ହେଲେ ଏସବୁ ପ୍ରତିବନ୍ଧକକୁ ପାରି କରିପାରିଥିଲେ ବରୁଣ ବରଣୱାଲ । ଦାରିଦ୍ର୍ୟର ତାଡନା ତାଙ୍କ ଇଚ୍ଛାକୁ ସାମାନ୍ୟ ମାତ୍ର ଦେହାଲାଇ ପାରିନଥିଲା ।

ମେଟ୍ରିକ୍ ପାସ୍ କରିବା ପରେ ବାପାଙ୍କୁ ହରାଇଥିଲେ ବରୁଣ । ଏହା ପରେ ଯେମିତି ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ମେଧାବୀ ଥିଲେ ବି ଘର ଚଳାଇବାକୁ ବାଧ୍ୟ ହୋଇ ସାଇକେଲ ଦୋକାନରେ ସାଇକେଲ ରିପେୟାରିଙ୍ଗର କାମ କଲେ  । ହେଲେ କୁହାଯାଏ ଇଚ୍ଛା ଥିଲେ ଭଗବାନ ବାଟ କଢାଇ ନିଅନ୍ତି । ବରୁଣଙ୍କ ପାଖରେ ପହଞ୍ଚିଥିଲେ ତାଙ୍କ ବାପାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ।  । ତାଙ୍କ ପାଠପଢା ବିଷୟରେ ଜାଣି ପଢା ଜାରି ରଖିବାକୁ କହିଥିଲେ । ଆଉ ଆଡମିସନ୍ ପାଇଁ ୧୦ ହଜାର ଟଙ୍କା ତାଙ୍କ ହାତରେ ଧରାଇଦେଇଥିଲେ । କଲେଜରେ ଆଡମିସନ୍ ତ ହେଇଗଲା ହେଲେ ମାସିକ ଫିସ୍ ପୈଠ କରିବା ତାଙ୍କ ପାଇଁ କାଠିକର ପାଠ ଥିଲା । ହେଲେ ତାଙ୍କର ଧୀ ଶକ୍ତିକୁ ପରଖି ସାରିଥିଲେ କିଛି ଅଧ୍ୟାପକ । କଲେଜର ସମସ୍ତ ଅଧ୍ୟାପକ ନିଜ ଦରମାରୁ କାଟ କରି ବରୁଣଙ୍କ ୨ ବର୍ଷର ପଢା ଖର୍ଚ୍ଚ ତୁଲାଇଥିଲେ ।

ଏହାପରେ ତାଙ୍କର ଡାକ୍ତରୀ ପଢିବାକୁ ଇଚ୍ଛା ଥିଲା । ହେଲେ ଏଥିପାଇଁ ମଧ୍ୟ ଅଧିକ ଅର୍ଥ ଆବଶ୍ୟକ ଥିବାରୁ ଏଥିରୁ ମନ ହଟାଇ ଇଂଜିନିୟରିଙ୍ଗରେ ନାମ ଲେଖାଇଲେ । ପ୍ରଥମ ବର୍ଷ ହିଁ ପରୀକ୍ଷାରେ ଟପ୍ କଲେ ବରୁଣ । ଫାଇନାଲ ଇୟର ଶେଷ ହେଉହେଉ ତାଙ୍କୁୁ ଏକ ଭଲ ଦରମାରେ ଚାକିରି ମିଳିଗଲା । ହେଲେ ଚାକିରିକୁ ନାଁ କରିଦେଲେ ବରୁଣ । କାରଣ ସେ ଚାହୁଁଥିଲେ ସେ ଏପରି କିଛି କାମ କରିବେ ଯାହାଦ୍ୱାରା ଲୋକମାନଙ୍କର ସେବାରେ ଲାଗିପାରିବେ, ସମାଜର ମଙ୍ଗଳ କରିପାରିବେ । ଏଥିପାଇଁ ୟୁପିଏସସିକୁ ଚୟନ କଲେ ବରୁଣ । ଆଉ ପ୍ରଥମ ପ୍ରୟାସ ରେ ହିଁ ସଫଳ ହେଲେ । ୨୦୧୩ ବ୍ୟାଚରେ ସର୍ବଭାରତୀୟ ୟୁପିଏସସି ପରୀକ୍ଷାରେ ୩୨ ତମ ସ୍ଥାନ ପାଇଁ ହେଲେ ଆଇଏଏସ୍ ଅଫିସର । ନିଜ ଜୀବନର ଏହି ସଂଘର୍ଷର କାହାଣୀକୁ ମନେପକାଇ ଅନେକ ଥର ମଞ୍ଚରେ କାନ୍ଦି ପକାଇଛନ୍ତି ବରୁଣ ।

ଏକାଡେମିକ୍ କ୍ଷେତ୍ରରେ କେବେ ବିଫଳ ହୋଇନଥିବା ବରୁଣ ଜୀବନ ଯୁଦ୍ଧରେ ଅନେକ ବିଫଳତାକୁ ସାମନା କରିଛନ୍ତି । ହେଲେ ମାଳମାଳ ସମସ୍ୟା ଓ ଦୁଃଖକୁ ଖାତିର ନକରି ନିଜ ସ୍ୱପ୍ନକୁ ସାକାର କରିବାକୁ ସବୁବେଳେ ଆଗେଇ ଯାଇଛନ୍ତି । ସେଦିନର ସାଇକେଲ ରିପେୟାରିଙ୍ଗ ମେକାନିକ୍ ଆଜି ଜଣେ ଲୋକପ୍ରିୟ ଆଇଏଏସ୍  ।

ଜୀବନ କଷ୍ଟକର ହୋଇପାରେ କିନ୍ତୁ ଅସମ୍ଭବ ନୁହେଁ ଯୁବଗୋଷ୍ଠୀଙ୍କୁ ଏହି ବାର୍ତ୍ତା ଦିଅନ୍ତି ବରୁଣ । ଆମେ ବରୁଣ ବରଣୱାଲଙ୍କ ପରି ଆଇଏଏସ୍ ହୋଇନପାରୁ କିନ୍ତୁ ସାହାଯ୍ୟର ହାତ ବଢାଇ ବରୁଣଙ୍କ ପରି ଜଣେ ଜଣେ ସଫଳ ବ୍ୟକ୍ତିତ୍ୱ ହୁଏତ ସୃଷ୍ଟି କରିପାରିବା ।