ବଦଳିର ବାଦାଶାହା IAS ତୁକାରାମ ମୁଣ୍ଡେ । ସଚ୍ଚୋଟ ବୋଲି ୧୬ ବର୍ଷରେ ହେଲେଣି ୧୯ ଥର ବଦଳି

2,381

କନକ ବ୍ୟୁରୋ: ୟୁପିଏସସି ପରୀକ୍ଷା ପାସ୍ କରିବା ସବୁଠୁ କଷ୍ଟକର ବ୍ୟାପାର । ଲକ୍ଷ ଲକ୍ଷ ଆଶାୟୀ ଏଥିପାଇଁ ପ୍ରସ୍ତୁତ ହେଉଥିବାବେଳ କିଛି ମାତ୍ର ଏଥିରେ ଉତ୍ତୀର୍ଣ୍ଣ ହୋଇପାରନ୍ତି । ପ୍ରତିବର୍ଷ ଲକ୍ଷଲକ୍ଷ ପିଲା ଆଇଏଏସ୍, ଆଇପିଏସ୍, କିମ୍ବା ଆଇଏଫଏସ୍ ହେବାର ସ୍ୱପ୍ନ ଦେଖନ୍ତି । ସ୍ୱପ୍ନ ପୂରଣ କରିବାକୁ ପରିଶ୍ରମ ବି କରନ୍ତି । କିନ୍ତୁ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହେବା ପରେ ବି ତାଙ୍କ ସଂଘର୍ଷ ସରେନି । ପ୍ରତି ସମୟରେ ତାଙ୍କ ଆଗରେ ବିଭିନ୍ନ ପରୀକ୍ଷା ଯେପରି ବାଟ କାଟେ । ଏସବୁକୁ ସମାଧାନ କରିବା ପାଇଁ ସେମାନଙ୍କୁ ବଡ ମୂଲ୍ୟ ବି ଦେବାକୁ ପଡେ । ଆଜି ଆମେ ଏପରି ଜଣେ ଆଇଏଏସ୍ଙ୍କ କଥା ଜାଣିବା ଯିଏ ପିଲାଟି ବେଳୁ ଦାରିଦ୍ର୍ୟର କଷାଘାତ ସହି ନିଜ ଦୃଢଇଛା ଓ କଠିନ ପରିଶ୍ରମରେ ଆଇଏଏସ୍ ତ ବନିଲେ । ହେଲେ ତାଙ୍କର ମଣିଷପଣିଆ ଓ ସଚ୍ଚୋଟପଣିଆ ପାଇଁ ତାଙ୍କୁ ବାରମ୍ବାର ଏଭଳି ଶାସ୍ତି ମିଳିଛି ଯେଉଁଥିପାଇଁ ସେ ଅନେକ ସମୟରେ ଖବରରେ ରହିଆସିଛନ୍ତି ।

ଏଭଳି ଜଣେ ଆଇଏଏସ୍ ହେଉଛନ୍ତି ତୁକାରାମ ମୁଣ୍ଡେ । ସେ ୨୦୦୫ ବ୍ୟାଚର ଆଇଏଏସ୍ । ନିଜର ସଚ୍ଚୋଟପଣିଆ ଓ ନିର୍ଭିକ ଗୁଣ ଯୋଗୁଁ ତାଙ୍କୁ ସମସ୍ତେ ଜାଣନ୍ତି । ତାଙ୍କର ଗୁଣ କିନ୍ତୁ ସରକାର ହଜମ କରିପାରନ୍ତିନି । ସେଥିପାଇଁ ଯେଉଁଠି ତାଙ୍କର ପୋଷ୍ଟିଙ୍ଗ ହୁଏ ତାଙ୍କର ରୋକଠୋକ୍ କଥା ଓ ସଠିକ୍ କାମ ଦୁର୍ନୀତିଗ୍ରସ୍ତ ପ୍ରଶାସନ ବାଟରେ କଣ୍ଟା ହୁଏ । ଫଳରେ ଘରେ ଯାଇ ନପହଞ୍ଚଣୁ ତାଙ୍କ ଟେବୁଲ ଉପରେ ଥୁଆ ହୋଇଯାଏ ଟ୍ରାନ୍ସଫର ଅର୍ଡର । ହେଲେ ସେଥିପାଇଁ ତାଙ୍କର ନିଘା ନଥାଏ । ସେଥିପାଇଁ ଲୋକେ ତାଙ୍କୁ କୁହନ୍ତି ବଦଳିର ବାଦଶାହ ।

ଆଇଏଏସ୍ ତୁକାରାମଙ୍କ ଜନ୍ମ ମହାରାଷ୍ଟ୍ରର ଭିଡ୍ ଜିଲ୍ଲାର ଏକ ନିପଟ ଗାଁରେ । ବାପା ଜଣେ ଚାଷୀ । ଚାଷ ପାଇଁ ସାହୁକାର ଠାରୁ ଋଣ ନେଇ ତାଙ୍କ ଅବସ୍ଥା ଥିଲା ଶୋଚନୀୟ । ତଥାପି ଉଭୟ ବାପା , ମା’ଙ୍କର ଚିନ୍ତାଧାରା କିନ୍ତୁ ଥିଲା ଖୁବ୍ ଉଚ୍ଚ । ସବୁବେଳେ ଦୁଇ ପୁଅଙ୍କୁ ସଚ୍ଚୋଟ ଓ ନୀତିବାନ୍ ହେବାର ପାଠ ପଢାଉଥିଲେ ବାପା, ମା’ । ତୁକାରାମ ବାପା, ମା’ଙ୍କ ସହ ବିଲକୁ କାମ କରିବାକୁ ଯାଆନ୍ତି । ସ୍କୁଲରୁ ଫେରି ପୁଣି ବିଲକୁ ଯାନ୍ତି । ପିଲାବେଳେ ଖେଳିବା କ’ଣ ଖୁବ୍ କମ୍ ଜାଣନ୍ତି ତୁକାରାମ । ହେଲେ ଛୋଟବେଳୁ ବାପା, ମା’ଙ୍କ ପରିସ୍ଥିତିକୁ ବୁଝିପାରିଥିବା ତୁକାରାମ କିନ୍ତୁ ପଢିବାରେ ଧୁରନ୍ଦର ଥିଲେ ।

ବଡ ଭାଇ ମଧ୍ୟ ମେଧାବୀ ଛାତ୍ର ଥିଲେ । ବାପା ଧାରଉଧାର କରି ବଡ ପୁଅକୁ ସହରକୁ ପାଠ ପଢିବାକୁ ପଠାଇବା ପରେ ତୁକାରାମଙ୍କ ପାଇଁ ସ୍ଥିତି ଆହୁରି ଜଟିଳ ଥିଲା । କିନ୍ତୁ ବଡଭାଇ ତାଙ୍କର ପ୍ରେରଣା ଥିଲେ । ୧୦ମ ଯାଏଁ ଗାଁ ସ୍କୁଲରେ ପଢିବା ପରେ ଦ୍ୱାଦଶ ପଢିବାକୁ ସେ ସେ ଔରଙ୍ଗବାଦରେ ଜଣେ ବନ୍ଧୁଙ୍କ ଘରେ ରହିଲେ । ସେଠାରେ ସେ ଗ୍ରାଜୁଏସନ୍ ମଧ୍ୟ କଲେ । ଏହାପରେ ବଡ ଭାଇଙ୍କ କହିବା ଅନୁସାରେ ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କଲେ । ୧୯୯୬ରେ ପ୍ରଥମ ଥର ପାଇଁ ୟୁପିଏଏସ୍ ପରୀକ୍ଷାରେ ବସିଲେ । କିନ୍ତୁ ପ୍ରଥମ ଦୁଇଟି ଚେଷ୍ଟାରେ ତାଙ୍କୁ ବିଫଳତାର ସାମ୍ନା କରିବାକୁ ପଡିଲେ ବି ସେ ହାର ମାନିନଥିଲେ । ତୃତୀୟ ଚେଷ୍ଟାରେ ଆଇଏଏସ୍ ହେଲେ ।

ତାଙ୍କର ପ୍ରଥମ ପୋଷ୍ଟିଙ୍ଗ ହେଲା ମହାରାଷ୍ଟ୍ର ସୋଲାପୁରରେ । ହେଲେ ସେଠାରେ ମଦ ବେପାରୀଙ୍କ ଉପରେ ଭାରୀ ପଡିଲେ ତୁକାରାମ । ଫଳରେ ସେଠାରୁ ତାଙ୍କର ବଦଳି କରିଦିଆଗଲା । ଥରେ ବାଲି ମାଫିଆ ତାଙ୍କୁ ଜୀବନରେ ମାରିଦେବକୁ ଧମକ ଦେଇଥିଲେ । ହେଲେ ସାମାନ୍ୟ ଡରିନଥିଲେ ତୁକାରାମ । ନିଜ କର୍ତ୍ତବ୍ୟନିଷ୍ଠ ଓ ବାହାଦୁରୀ ପାଇଁ ଆଇଏଏସ୍ ତୁକାରାମ ମୁଣ୍ଡେ ସବୁବେଳେ ଲୋକପ୍ରିୟ । ଯେଉଁଠି ତାଙ୍କର ପୋଷ୍ଟିିଙ୍ଗ ହୋଇଛି ସେଠି ସେ ନିଜକୁ ଦବଦବା ଛାଡିଯାଇଛନ୍ତି ।