କନକ ବ୍ୟୁରୋ : ଆଇଏଏସ୍ କିମ୍ବା ଆଇପିଏସ୍ ହେବା ଏତେ ସହଜକଥା ନୁହେଁ । ଏଥିପାଇଁ ଅନେକ ତପସ୍ୟା କରିବାକୁ ପଡିଥାଏ । ସମାଜରେ ବି ଏକ ଧାରଣା ରହିଛି ଯେଉଁ ପିଲା ଭଲ ପାଠ ପଢୁଥିବ ସେ ବଡ ହୋଇ ନିଶ୍ଚୟ ଆଇପିଏସ୍ କିମ୍ବା ଆଇଏଏସ୍ ଅଫିସର ହେବ ଏବଂ ଯେଉଁ ପିଲା ଭଲ ପାଠ ପଢୁନଥିବେ ସେ ଜୀବନରେ କିଛି କରିପାରିବେ ନାହିଁ ବୋଲି କୁହାଯାଏ । କିନ୍ତୁ ସମାଜର ଏହି ଧାରଣାକୁ ଭୁଲ ପ୍ରମାଣିତ କରି ଦେଖାଇଛନ୍ତି ଜଣେ କୁମାର ଅନୁରାଗ । ପିଲାଦିନରୁ ପାଠ ପଢାରେ ଜିରୋ ଥିଲେ । ଦ୍ୱାଦଶ ଓ ଗ୍ରାଜୁଏସନରେ ଫେଲ ହୋଇଥିଲେ କିନ୍ତୁ ଆଜି ହୋଇଛନ୍ତି ଆଇଏସ୍ ଅଫିସର ।
ବିହାର କଟିହାର ଜିଲ୍ଲାର ବାସିନ୍ଦା କୁମାର ଅନୁରାଗ । ସେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀ ମିଡିୟମରେ ପାଠ ପଢିଥିଲେ । ଏହାପରେ ଇଂରାଜୀ ମିଡିୟମରେ ତାଙ୍କର ନାମ ଲେଖାଯାଇଥିଲା । ଏହି ସମୟରେ ସେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । କାରଣ ଅନୁରାଗ ଜଣେ ମଧ୍ୟମ ଧରଣର ଛାତ୍ର ଥିଲେ । କିନ୍ତୁ ଅନୁରାଗ କଠୋର ପରିଶ୍ରମ କରି ଦଶମ ବୋର୍ଡ ପରୀକ୍ଷାରେ ୯୦ ପ୍ରତିଶତ ମାର୍କ ରଖିବାରେ ସଫଳ ହୋଇଥିଲେ । ତେବେ ସେ ଦ୍ୱାଦଶ ଶ୍ରେଣୀରେ ମ୍ୟାଥ ପ୍ରି ବୋର୍ଡ ପରୀକ୍ଷାରେ ଫେଲ ହୋଇଥିଲେ । ପୁଣିଥରେ ନୂଆ ଉତ୍ସାହର ସହ ପ୍ରସ୍ତୁତି ଆରମ୍ଭ କରି ୯୦ ପ୍ରତିଶତ ମାର୍କ ହାସଲ କରିଥିଲେ । ପରେ ସେ ଦିଲ୍ଲୀର ଶ୍ରୀରାମ କଲେଜ ଅଫ କମର୍ସରେ ନାମ ଲେଖାଇଥିଲେ । କିନ୍ତୁ ପୁଣି ପୂର୍ବଭଳି ପାଠପଢାରେ ତାଙ୍କର ମନ ଲାଗୁନଥିଲା । ସେ ଅୟସଆରାମ କରିବାକୁ ଚାହୁଁଥିଲେ । ସେଥିଲାଗି ସେ ପୁଣି ଗ୍ରାଜୁଏସନରେ ଅନେକ ବିଷୟରେ ପେଲେ ହେଲେ । ଗ୍ରାଜୁଏସନରେ ଫେଲ ହେବା ପରେ ଘରଲୋକ ଅନୁରାଗତଙ୍କୁ ବହୁତ ଗାଳି କରିଥିଲେ । ଘର ଲୋକଙ୍କଠୁ ଗାଳି ଶୁଣିବା ପରେ ନିଜକୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ ଅନୁରାଗ । ଏହାପରେ ଗ୍ରାଜୁଏସନ୍ ପାସ କରି ପିଜିରେ ଆଡମିଶନ କଲେ । ପିଜି ସମୟରେ ହିଁ ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । କଠୋର ପରିଶ୍ରମ କରି ୨୦୧୭ରେ ପ୍ରଥମ ପ୍ରୟାସରେ ୟୁପିଏସସିରେ ଚୟନ ହୋଇଥିଲେ । ତାଙ୍କୁ ୬୭୭ ରାଙ୍କ ମିଳିଥିଲା । କିନ୍ତୁ ସେ ଆଇଏଏସ୍ ହେବାକୁ ଚାହୁଁଥିଲେ । ତେଣୁ ପୁଣି ୨୦୧୮ରେ ୟୁପିଏସସି ସିଏସଇ ପରୀକ୍ଷାରେ ୪୮ତମ ରାଙ୍କ ହାସଲ କରିଥିଲେ । ଏହିଭଳି ଭାବରେ କୁମାର ଅନୁରାଗଙ୍କ ଆଇଏଏସ ହେବାର ସ୍ୱପ୍ନ ପୂରଣ ହୋଇଥିଲା । ବର୍ତ୍ତମାନ ଅନୁରାଗଙ୍କୁ ବିହାର କ୍ୟାଡର ମିଳିଛି । ବର୍ତ୍ତମାନ ସେ ବେତିଆ ଜିଲ୍ଲାର ସହାୟକ ଜିଲ୍ଲା ଅଧିକାରୀ ଅଛନ୍ତି ।