ଇଚ୍ଛା ଆଗରେ ହାର ମାନିଲା ଗରିବୀ , ସଫଳତାର ବାଟ ରୋକିପାରିଲା ନାହିଁ ଅଭାବୀ

386

କନକ ବ୍ୟୁରୋ : ସଫଳତା । ଏ ଗୋଟିଏ ଶଦ୍ଦ ହିଁ ଅନେକ କଥା କହିଥାଏ । କାରଣ ସଫଳତା ପାଇବାକୁ କିଏ କେତେ ଯେ, କଷ୍ଟ କରିଥାଏ ତାହାର କୌଣସି ସୀମା ନଥାଏ । ଶଦ୍ଦରେ ତାହାକୁ ବର୍ଣ୍ଣନା କରିବା ବି ବୋଧୁଏ ସମ୍ଭବ ହେବ ନାହିଁ । ସଫଳତା ଏକ ସାମଗ୍ରୀ ନୁହେଁ ଯେ, ଯେତେବେଳେ ନାହିଁ ସେତେବେଳେ ଆମେ ତାହାକୁ ଉଠାଇ ନେବା । ତାକୁ ପାଇବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡିବ । କଥାରେ ଅଛି କଷ୍ଟ କଲେ କୃଷ୍ଣ ମିଳିବ । ପ୍ରକୃତରେ ଏହା ନିରାଟ ସତ୍ୟ । ବିନା କୌଣସି ସାଧନାରେ ସଫଳତାର ସ୍ୱାଦ ବା କିଏ ପାଇଛି ?

ମହାରାଷ୍ଟ୍ର ନନ୍ଦୁରବର ଜିଲ୍ଲାର ଜିଲ୍ଲାପାଳ ଡକ୍ଟର ରାଜେନ୍ଦ୍ର ଭାରୁଦ ଏହାର ଜ୍ୱଳନ୍ତ ଉଦାହରଣ । ୧୯୮୮ ମସିହା ଜାନୁଆରୀ ୭ ତାରିଖରେ ଜନ୍ମ ସଂସାର ଦେଖିଥିବା ଭାରୁଦ ଜନ୍ମହେବା ପୂର୍ବରୁ ହିଁ ତାଙ୍କ ବାପାଙ୍କୁ ହରାଇ ସାରିଥିଲେ । ଆର୍ଥକ ଅନାଟନ ସହ ସଂଘର୍ଷ କରି କରି ଭାରୁଦଙ୍କୁ ମାଆ ବହୁତ କଷ୍ଟରେ ପାଠ ପଢାଉଥିଲେ । ବାପା ଚାଲିଯିବା ପରେ ମାଆ ମଦ ବ୍ୟବସାୟ କରି ପେଟପାଟଣା କଥା ବୁଝିଲେ । ଭଲ ପାଠ ପଢିବା ଲାଗି ରାଜେନ୍ଦ୍ର ନିଜ ଘରଠାରୁ ୧୫୦ କିମି ଦୂରରେ ଥିବା ସିବିଏସଇ ବୋର୍ଡର ଜବାହାର ନବୋଦୟ ବିଦ୍ୟାଳୟରେ ନାମ ଲେଖାଇଥିଲେ । ପାଠ ପଢାଉଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଜାଣିଥିଲେ କି ରାଜେନ୍ଦ୍ର ଜଣେ ମେଧାବୀ ଛାତ୍ର । ତେଣୁ ତାଙ୍କୁ ଉଚ୍ଚ ଶିକ୍ଷା ଦେବା ନିତ୍ୟାନ୍ତ ଜରୁରୀ, ଏ କଥା ତାଙ୍କ ମାଆଙ୍କୁ ବି ଜଣାଇ ଦେଇଥିଲେ ।

ଇଚ୍ଛା ଆଗରେ ହାର ମାନିଲା ଗରିବୀ ,

ସଫଳତାର ବାଟ ରୋକିପାରିଲା ନାହିଁ ଅଭାବୀ

ଦିନେ ଥିଲେ ଡାକ୍ତର, ଆଜି ହେଲେ କଲେକ୍ଟର

କିନ୍ତୁ ଗାଁ ଲୋକ ଭାବୁଥିଲେ କଣ୍ଡକ୍ଟର

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ନବୋଦୟ ସ୍କୁଲରେ ପାଠ ପଢିବା ପରେ ସତରେ ରାଜେନ୍ଦ୍ରଙ୍କ ଜୀବନରେ ଏକ ବଡ ପରିବର୍ତନର ମୋଡ ଆସିଥିଲା । ଗଣିତ ଓ ବିଜ୍ଞାନରେ ତାଙ୍କର ବିଶେଷ ରୁଚି ଥିଲା । ଜୀବନରେ ସବୁବେଳେ ପ୍ରଥମ ହେବାକୁ ତାଙ୍କର କେବଳ ପସନ୍ଦ ନଥିଲା ବରଂ ପ୍ରୟାସ ବି ଥିଲା । ଦଶମ ବୋର୍ଡ ପରୀକ୍ଷାରେ ସ୍କୁଲରେ ଟପ୍ପର ବି ହେଲେ । ଭଲ ପଢୁଥିବାରୁ ମୁମ୍ବାଇର ସେଥ୍ ଜିଏସ ମେଡିକାଲ କଲେଜରେ ପାଠ ପଢିବାର ସୌଭାଗ୍ୟ ଲାଭ କରିଥିଲେ ।

କୁହାଯାଏ ପାଠ ହେଉଛି ନିଶା, ସତରେ ଏହାକୁ ପୂରା ପ୍ରମାଣ କରି ଦେଖାଇଛନ୍ତି ରାଜେନ୍ଦ୍ର । କାରଣ ଡାକ୍ତରୀ ପେଶାରେ ଥାଇ ବି ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବାକୁ ପାଠ ପଢା ଆରମ୍ଭ କରିଥିଲେ । ଏମବିଏସ ଶେଷ ବର୍ଷର ପରୀକ୍ଷା ସହ ୟୁପିଏସସି ପରୀକ୍ଷା ଦେଇଥିଲେ । ଆଉ ରେଜଲ୍ଟ ସମସ୍ତଙ୍କୁ ଚକିତ କରିଦେଇଥିଲା । କାରଣ ଉଭୟ ପରୀକ୍ଷାରେ ରାଜେନ୍ଦ୍ର ପାସ କରିଥିଲେ ।

ଚମକାଇ ଦେଇଥିଲା ୟୁପିଏସସି ରେଜଲ୍ଟ

ପରୀକ୍ଷା ପରେ ରାଜେନ୍ଦ୍ର ଯେତେବେଳେ ଘରକୁ ଯାଆନ୍ତି ମାଆ ପ୍ରଥମେ ଡାକ୍ତର ବୋଲି କୁହନ୍ତି । କାରଣ ମାଆ ଜାଣିଥିଲେ କି ପୁଅ ମୋର ଡାକ୍ତରୀ ପାଠ ପଢିଛି ବୋଲି । ମାତ୍ର ପରୀକ୍ଷା ଫଳ ବାହାରିବା ପରେ ମାଆଙ୍କୁ ରାଜେନ୍ଦ୍ର କହିଥିଲେ କି ମୁଁ କଲେକ୍ଟଟର ହେବାକୁ ଯାଉଛି । ରାଜେନ୍ଦ୍ର ଅନେକ ଥର କହିଛନ୍ତି ଯେ, ମତେ ଗାଁ ଲୋକ କଣ୍ଟକ୍ଟର ବୋଲି ଭାବନ୍ତି । ଆଉ ସେମାନଙ୍କ କଥା ଶୁଣି ଅନେକ ଥର ହସ ଲାଗିଛି ବୋଲି ରାଜେନ୍ଦ୍ର କହିଛନ୍ତି ।

ସମାଧାନ ନଥିଲେ ଆସେ ନାହିଁ ସମସ୍ୟା

ତେବେ ନିଜର ସଫଳତାକୁ ନେଇ ସେ କହନ୍ତି କି ନିଜର ପରିସ୍ଥିତିକୁ ନେଇ କେବେ ଉଦାସ ଅନୁଭବ କର ନାହିଁ । କେବଳ ସମସ୍ୟା ସମ୍ପର୍କରେ ଚିନ୍ତା କଲେ କିଛି ହେବ ନାହିଁ କାରଣ ସମାଧାନ ସମ୍ପର୍କରେ ଚିନ୍ତା କରିବା ନିହାତି ଦରକାର । ସମାଧାନ ନଥିଲେ ସମସ୍ୟା କେବେ ଆସେ ନାହିଁ ବୋଲି ରାଜେନ୍ଦ୍ର କହିଛନ୍ତି । ଏହାସହ ସେ କହିଛନ୍ତି ଯେ, ମୁଁ ଯଦି ପୂର୍ବ କଥାକୁ ନେଇ ଚିନ୍ତା କରିବି ତେବେ ଅନେକ ଦୁଃଖ ଲାଗିବ ତେଣୁ ବର୍ତମାନକୁ ନେଇ ବଂଚିବା ଆବଶ୍ୟକ । ଆହୁରି ମଧ୍ୟ କହିଛନ୍ତି ଯେ, ପିଲାବେଳେ ଗରୀବି କଣ ବହୁ ପାଖରୁ ଦେଖିଛି । ଏମିତି କି ପିଲାବେଳର ଗୋଟିଏ ଫଟୋ ଉଠାଇବାକୁ ଆମ ପାଖରେ ପଇସା ଟିଏ ନଥିଲା । ତେବେ ସଫଳତା ହାସଲ ପରେ ସାରା ରାଜ୍ୟରେ ତାଙ୍କପ ପ୍ରଶଂସା କରାଯାଉଛି ।