କନକ ବ୍ୟୁରୋ : ମହାରାଷ୍ଟ୍ରର ପ୍ରସିଦ୍ଧ ଆଇଏଏ୍ସ ଅଧିକାରୀ ପୂଜା ଖେଡକର ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ସେ ନିଜକୁ ନନ୍ କ୍ରିମି ଓବିସି ପ୍ରାର୍ଥୀ ବୋଲି କହିଥିଲେ । କିନ୍ତୁ ତାଙ୍କ ପିତା ତାଙ୍କ ନିର୍ବାଚନ ଆଫିଡେଫିଟରେ ୪୦ କୋଟି ଟଙ୍କାର ସମ୍ପତ୍ତି ଅଛି ବୋଲି ଘୋଷଣା କରିଥିଲେ । ଏହି ସମୟରେ ଆଇଏଏସ୍ ପୂଜା ଜଣେ ଓବିସି ନନ୍ କ୍ରିମି ପ୍ରାର୍ଥୀ ହେବା ନେଇ ପ୍ରଶ୍ନ ଉଠୁଛି । ଯୋଦି ଜଣେ ପ୍ରାର୍ଥୀଙ୍କ ପିତାଙ୍କ ପାଖରେ ୪୦ କୋଟି ଟଙ୍କାର ସମ୍ପତ୍ତି ଅଛି, ତା ହେଲେ ତାଙ୍କ ପିଲାମାନଙ୍କୁ ଓବିସି ନନ୍ କ୍ରିମି ସ୍ତରରେ କିପରି ବିଚାର କରାଯାଇପାରିବ?
ନିର୍ବାଚନ ଘୋଷଣାପତ୍ର ଅନୁସାରେ ପୂଜା ଖେଡକରଙ୍କ ପିତାମାତାଙ୍କ ପାଖରେ ୧୧୦ ଏକର କୃଷି ଜମି ଅଛି, ଯାହା କୃଷି ଜମି ସିଲିଂ ଆଇନକୁ ଉଲ୍ଲଂଘନ କରୁଛି । ଏହା ଛଡା ୬ଟି ଦୋକାନ, ୭ଟି ଫ୍ଲାଟ, ୯୦୦ ଗ୍ରାମର ସୁନା, ହୀରା,୧୭ ଲକ୍ଷ ଟଙ୍କାର ଏକ ସୁନା ଘଣ୍ଟା, ୪ ଟି କାର ଏବଂ ଦୁଇଟି ବେସରକାରୀ କମ୍ପାନୀର ମାଲିକ ଏବଂ ଏକ ଅଟୋମୋବାଇଲ୍ ଫାର୍ମରେ ଅଂଶୀଦାର ମଧ୍ୟ ଅଛନ୍ତି । କେବଳ ଏତିକି ନୁହେଁ, ଆଇଏଏସ୍ ପୂଜାଙ୍କ ପଖରେ ମଧ୍ୟ ୧୭ କୋଟି ଟଙ୍କାର ସମ୍ପତ୍ତି ଅଛି ।
ପୂଜା ଖେଡକର ୟୁପିଏସସିରେ ଦାଖଲ କରିଥିବା ଆଫିଡେଭିଟରେ ସେ ନିଜକୁ ଦୃଷ୍ଟିହୀନ ଏବଂ ମାନସିକ ସ୍ତରରେ ଅସୁସ୍ଥ ବୋଲି ଦାବି କରିଥିଲେ । ପୂଜା ୟୁପିଏସସି ପରୀକ୍ଷାରେ ସଫଳ ହେବା ପାଇଁ ଭୁଲ ଅକ୍ଷମତା ପ୍ରମାଣପତ୍ର ବ୍ୟବହାର କରିଥିଲେ । ସିଭିଲ୍ ସର୍ଭିସ୍ ପରୀକ୍ଷାରେ କମ୍ ମାର୍କ ରଖିବା ସତ୍ୱେ ମଧ୍ୟ ପୂଜା ଖେଡକର ଅକ୍ଷମତା କାରଣରୁ ରିହାତି ପାଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ।
ଆଇଏଏସ୍ ପୂଜାଙ୍କୁ ପୁଣେ ଠାରୁ ୱାଶିମ୍ ଜିଲ୍ଲାକୁ ସ୍ଥାନାନ୍ତର କରାଯାଇଛି । ମହାରାଷ୍ଟ୍ର ସରକାର ପୂଜା ଖେଡକରଙ୍କୁ କ୍ଷମତାର ଅପବ୍ୟବହାର ଅଭିଯୋଗରେ ଅନ୍ୟ ଜାଗାକୁ ସ୍ଥାନାନ୍ତର କରିଛନ୍ତି । ପୁଣେର କଲେକ୍ଟର ଡକ୍ଟର ସୁହାସ ଦିୱାସ ପୂଜାଙ୍କ ବିରୋଧରେ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଥିଲେ । ବର୍ତ୍ତମାନ ପୂଜାଙ୍କୁ ୱାଶିମ୍ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ଭାବରେ ନିଯୁକ୍ତି କରାଯାଇଛି ।