ପିଏ ମୃତ୍ୟୁ ମାମଲାରେ ଛନ୍ଦି ହୋଇଥିବା ଆଇଏଏସ ବାବୁଙ୍କୁ ସରକାରଙ୍କ ପୁରସ୍କାର : ପୂର୍ବତନ ମାଲକାନଗିରି ଜିଲ୍ଲାପାଳଙ୍କୁ ପଦୋନ୍ନତି 

ଆଇଏଏସ ସ୍ତର ପଦୋନ୍ନତି ତାଲିକାରେ ବିବାଦୀୟ ଆଇଏଏସ ଅଧିକାରୀ ମନିଷ ଅଗ୍ରୱାଲ 

77

କନକ ବ୍ୟୁରୋ : ରାଜ୍ୟରେ ଆଇଏଏସ ସ୍ତରରେ ପଦୋନ୍ନତି ଦିଆଯାଇଛି । ଏହି କ୍ରମରେ ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ଆଇଏଏସ ମନୀଷ ଅଗ୍ରୱାଲଙ୍କୁ ରାଜ୍ୟ ସରକାର ପଦୋନ୍ନତି ଦେଇଛନ୍ତି । ଇଏ ହେଉଛନ୍ତି ସେହି ମନିଷ ଅଗ୍ରୱାଲ, ଯିଏ ମାଲକାନଗିରି ଜିଲ୍ଲାପାଳ ଥିବା ସମୟରେ ତାଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ଘଟଣାରେ ଛନ୍ଦି ହୋଇଯାଇଥିଲେ । ବ୍ୟକ୍ତିଗତ ସହାୟକଙ୍କ ପରିବାର ଲୋକେ ତାଙ୍କ ନାଁରେ ହତ୍ୟା ଘଟଣାରେ ସମ୍ପୃକ୍ତି ଅଭିଯୋଗ ଆଣିଥିଲେ । ପରେ ମନିଷ ଅଗ୍ରୱାଲଙ୍କର ଅନ୍ୟତ୍ର ବଦଳି ମଧ୍ୟ ହୋଇଥିଲା ।

ଏବେ ରାଜ୍ୟ ସରକାର ତାଙ୍କୁ ପଦୋନ୍ନତି ଦେଇ ପୁରଷ୍କୃତ କରିଛନ୍ତି । ଆଇଏଏସ୍ ମନୀଷ ଅଗ୍ରୱାଲଙ୍କର ଯୋଜନା ଓ ସମନ୍ୱୟ ବିଭାଗର ଯୁଗ୍ମ ସଚିବ ପଦକୁ ପଦୋନ୍ନତି ହୋଇଛି । ସେହିପରି ଆଇଏଏସ୍ ସଂଜୀବ ଚୋପ୍ରାଙ୍କୁ ଗୃହ ବିଭାଗର ଅତିରିକ୍ତ ପ୍ରମୁଖ ସଚିବ ପଦକୁ ପଦୋନ୍ନତି ମିଳିଛିି । ନିଜ ପୁରୁଣା ଦାୟିତ୍ୱ ସହିତ ସଂଜୀବ ଚୋପ୍ରା ନୂଆ ଦାୟିତ୍ୱ ମଧ୍ୟ ତୁଲାଇବେ । ସେହିପରି ଆଇଏଏସ୍ ଭୀନିତ ଭରଦ୍ୱାଜ, ଡକ୍ଟର ପୋମା ଟୁଡୁ , ସ୍ମୃତି ରଂଜନ ପ୍ରଧାନ, ଅନୁପମ ଶାହା, ନିଖିଲ ପବନ କଲ୍ୟାଣ  ଏବଂ ଆଇଏଏସ୍ ସିଦ୍ଧାର୍ଥ ଦାସଙ୍କୁ ମଧ୍ୟ ପଦୋନ୍ନତି ମିଳିଛି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।