ଭାରାକ୍ରାନ୍ତ ଆଇଏଏସ ଅଧିକାରୀ : ଉନ୍ନୟନ୍ନ କମିଶନରଙ୍କୁ ଚିଠି ଲେଖିଲେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର

କହିଲେ, ମୂଳ ପଦବୀ ସହ ଆଉ ୨ଟି ବିଭାଗରେ କାମ କରୁଥିବାରୁ ଜିଲ୍ଲାଗସ୍ତ କାର୍ଯ୍ୟକ୍ରମକୁ ଦିଆଯାଉ ବାଦ

196

କନକ ବ୍ୟୁରୋ : ଭାରାକ୍ରାନ୍ତ ଆଇଏଏସ୍ ଅଧିକାରୀ । କିଛି ହାତଗଣତି ଆଇଏଏସ୍ ଅଧିକାରୀଙ୍କ ଉପରେ ନିର୍ଭର କରି ଦିଆଯାଉଛି ବିଭାଗ ପରେ ବିଭାଗ ଦାୟିତ୍ୱ । ସଚିବ ଓ ବରିଷ୍ଠ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲା ଗସ୍ତ କରି ଧାନ କିଣା ବ୍ୟବସ୍ଥା ଓ ଜିଲ୍ଲାସ୍ତରରେ କୋଭିଡ୍ ପରିଚାଳନା ସ୍ଥିତି ତଦାରଖ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହା ପରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କୁ ଚିଠି ଲେଖିଛନ୍ତି ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ।

ମୂଳ ପଦବୀ ସହ ଆଉ ଦୁଇଟି ବିଭାଗରେ କାର୍ଯ୍ୟ କରୁଥିବାରୁ ତାଙ୍କୁ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରୁ ବାଦ୍ ଦେବାକୁ ଅନୁରୋଧ କରିଛନ୍ତି । ସେ ଚିଠିରେ ଲେଖିଛନ୍ତି, ଗତ ସେପ୍ଟେମ୍ବର ୩ ତାରିଖରୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ସହ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଅଛି । ଏହା ସହ ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନର ଅଧ୍ୟକ୍ଷ ଅଛନ୍ତି । ଏହି ତିନିଟି ଦାୟିତ୍ୱରେ ଥିବାରୁ ସେ କାମରେ ଭାରାକ୍ରାନ୍ତ । ଏହା ବାଦ୍ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ଅନେକ ବୈଧାନିକ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ପଡ଼ୁଛି । ତେଣୁ ସେ ଜିଲ୍ଲାଗସ୍ତରେ ଯାଇପାରିବେ ନାହିଁ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ ଓଡ଼ିଶା ପାଇଁ ୨୪୮ଟି ଅନୁମୋଦିତ ଆଇଏଏସ୍‌ ପଦବି ଥିବା ବେଳେ ଏଥିରୁ ୫୪ଜଣ ଡେପୁଟେସନ୍‌ରେ ଯିବା କଥା । ହେଲେ କିଛି ଅଧିକାରୀ କ୍ଷମତା ଉପଭୋଗ କରୁଥିବାରୁ କେନ୍ଦ୍ରୀୟ ଡେପୁଟେସନ୍‌ରେ ଯାଉନାହାନ୍ତି । ଏବେ ମାତ୍ର ୨୮ଜଣ ଡେପୁଟେସନ୍‌ରେ ଅଛନ୍ତି । ୨ଜଣ ଅନ୍ତଃରାଜ୍ୟ ଡେପୁଟେସନ୍‌ରେ ଯାଇଥିବା ବେଳେ ଜଣେ ଡେପୁଟେସନ୍‌ରେ ଆସିଛନ୍ତି। ପ୍ରାୟ ୬୭ପଦବି ଖାଲି ପଡ଼ିଛି ।