ଆଇଏଏସ୍ ଅଫିସରଙ୍କ ଫୋକସରେ ଅପହଞ୍ଚ ଇଲାକା: ଦୁଇଟି ପାହାଡ଼ ଚଢ଼ି ପହଞ୍ଚିଲେ ଦୁର୍ଗମ ଗାଁରେ, ଲୋକଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଲେ ଗୁଣପୁର ଉପଜିଲ୍ଲାପାଳ

139

କନକ ବ୍ୟୁରୋ: ଆଇଏଏସଙ୍କ ଅଫିସରଙ୍କ ଫୋକସରେ ଚନ୍ଦ୍ରପୁର। ରାୟଗଡ଼ା ଜିଲ୍ଲାର କଳାପାଣି ଭାବେ ପରିଚିତ ଏହି ଦୁର୍ଗମ ଇଲାକାର ବିକାଶ ପାଇଁ ଏବେ ଅଣ୍ଟା ଭିଡ଼ିଛନ୍ତି ଉଚ୍ଚପଦସ୍ଥ ଅଧିକାରୀ। ପୂର୍ବରୁ ବ୍ଲକ୍ ସଦର ମହକୁମା ଛାଡ଼ିଲେ ବ୍ଲକର ଅନ୍ୟ ଅଞ୍ଚଳକୁ ସରକାରୀ ଅଧିକାରୀଙ୍କ ପାଦ ପଡୁ ନ ଥିଲା। ଏବେ କିନ୍ତୁ ତାଲିକା ଲମ୍ବିବା ଆରମ୍ଭ କରିଛି। କିଛି ଦିନ ତଳେ ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ଅମୃତ ଋତୁରାଜ ସ୍କୁଟିରେ ଚନ୍ଦ୍ରପୁର ଗସ୍ତ କରିଥିଲେ। ଗତ ଶନିବାର ଦିନ ଗୁଣପୁର ଉପଜିଲ୍ଲାପାଳ ତଥା ଯୁବ ଆଇଏଏସ୍ ଅଫିସର୍ ଡ. ସିଦ୍ଧେଶ୍ବର ବଳିରାମ ବନ୍ଦର ଚନ୍ଦ୍ରପୁର ଗସ୍ତ କରି ଦୁଇଟି ପାହାଡ଼ ଚଢ଼ି ଦୁର୍ଗମ ଗାଁରେ ବିକାଶର ସ୍ଥିତି ପରଖିଛନ୍ତି। ବ୍ଲକର କୁରୁମଗୁଡା, ଗୁଡୁବାଲି, ବ୍ରହାଗୁଡା, ଉପୁରା, ବଦ୍ରିସାହି ଅଞ୍ଚଳରେ ଲୋକଙ୍କ ସହ ଆଲୋଚନା କରି ବିକାଶକୁ ତ୍ବରାନିତ କରିବା ସହ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳର ସୁବିଧା ନେଇ ପଦକ୍ଷେପ ନେଇଛନ୍ତି ଉପଜିଲ୍ଲାପାଳ।

ରାୟଗଡା-କନ୍ଧମାଳ ଜିଲ୍ଲା ସୀମାନ୍ତରେ ଅବସ୍ଥିତ ଉପରୋକ୍ତ ସମସ୍ତ ଦୁର୍ଗମ ଗ୍ରାମ। ପାହାଡ଼ ଉପରେ ଥିବା ଏହି ଗାଁଗୁଡ଼ିକୁ ଯିବା ପାଇଁ ରାସ୍ତା ନଥିବା ବେଳେ ପାହାଡ଼ ତଳ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇଛି। କିନ୍ତୁ ବର୍ଷା ଯୋଗୁ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି। ପାହାଡ଼ ଉପରେ ଥିବା ଗାଁକୁ ଯିବା ପାଇଁ ରାସ୍ତା ନଥିବାରୁ ୫ ଶହ ମିଟର ଉଚ୍ଚ ପାହାଡ ଚଢ଼ି ଦୁଇ ଗ୍ରାମ ଉପୁରା ଏବଂ କୁରୁମଗୁଡାରେ ପହଞ୍ଚିଥିଲେ ଉପଜିଲ୍ଲାପାଳ। ସାଥୀରେ ବ୍ଲକ୍ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ବି ଯାଇଥିଲେ। ପ୍ରଥମେ କୁରୁମଗୁଡା ଗ୍ରାମକୁ ଯାଇ ଉପଜିଲ୍ଲାପାଳ ବିଭିନ୍ନ ସସମ୍ୟା ସଂପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଗାଁରେ ପାନୀୟ ଜଳର ଘୋର ଅସୁବିଧା ଥିବା ନେଇ ଗ୍ରାମବାସୀ ଅବଗତ କରିବା ପରେ ତୁରନ୍ତ ନଳକୂପ ଖନନ ପାଇଁ ଗ୍ରାମ୍ୟ ଜଳ ଯୋଗାଣ ଯନ୍ତ୍ରୀଙ୍କୁ ଉପଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଏହାପରେ ଆଉ ଏକ ପାହାଡ଼ ଉପରେ ଥିବା ଉପୁରା ଗାଁକୁ ଯାଇଥିଲେ ଉପଜିଲ୍ଲାପାଳ। ଉପୁରା ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ ଶିଶୁମାନେ ଅପପୁଷ୍ଟିର ଶିକାର ହେବା ସହ ବିଭିନ୍ନ ରୋଗରେ ପୀଡ଼ିତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ।

ସେହିପରି ବଦ୍ରିସାହି ଗସ୍ତ ସମୟରେ ମଧ୍ୟ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ନଥିବା ଜାଣିବା ଉପରେ ଉଭୟ ଗାଁରେ ପଂଚାୟତ ସ୍ତରରେ ନିଷ୍ପତ୍ତି ନେଇ ଖୁବ୍ ଶୀଘ୍ର ନୂତନ ଅଙ୍ଗନବାଡି କେନ୍ଦ୍ର ଖୋଲିବା ଦିଗରେ ପଦକ୍ଷେପ ନେବାକୁ ଚନ୍ଦ୍ରପୁର ବିଡିଓଙ୍କୁ ନିର୍ଦେଶ ଦେଇଥିଲେ। ବଦ୍ରିସାହିର ମେଲେକାଙ୍କ ପୁଅର ଦେହ ଖରାପ ଥିବା ଯୋଗୁ ସେ ନିଜେ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରିଥିଲେ। ଚନ୍ଦ୍ରପୁର ଡାକ୍ତରଖାନାରେ ଚିକିତ୍ସା କରିବା ସତ୍ତ୍ବେ ଶିଶୁର ଜ୍ବର କମୁନଥିବା ପରିବାର ଲୋକ ଉପଜିଲ୍ଲାପାଳଙ୍କୁ ଜଣାଇଥିଲେ। ପୂର୍ବରୁ ଉପଜିଲ୍ଲାପାଳ ବୃତ୍ତିରେ ଜଣେ ଡାକ୍ତର ଥିବାରୁ ଶିଶୁର ସ୍ବାସ୍ଥ୍ୟ ଅବସ୍ଥା ସଂପର୍କରେ ପଚାରି ବୁଝିବା ସହ କିଛି ଔଷଧ ଖାଇବାକୁ ପରାମର୍ଶ ଦେଇଥିଲେ। ଜ୍ବର ନ କମିଲେ ପୁଣି ମେଡିକାଲ୍ ଯିବାକୁ ପରାମର୍ଶ ଦେଇଥିଲେ। ସେହିପରି ବଦ୍ରିସାହି ଓ ଉପୁରା ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସମୟରେ ବ୍ୟାଙ୍କ ଆକାଉଣ୍ଟ୍ ଖୋଲି ପାରୁନଥିବା ଯୋଗୁ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଥିଲେ। ସଙ୍ଗେ ସଙ୍ଗେ ଉପଜିଲ୍ଲାପାଳ ହନୁମନ୍ତପୁର ବ୍ୟାଙ୍କ କର୍ତୃପକ୍ଷଙ୍କ ସହ ଆଲୋଚନା କରି ଆକାଉଣ୍ଟ୍ ଖୋଲିବାକୁ ନିର୍ଦେଶ ଦେଇଥିଲେ। ଚନ୍ଦ୍ରପୁର ବ୍ଲକ ପରିଦର୍ଶନ ସମୟରେ ବୁଡୁବାଲି ଓ ରାମନଗର ସ୍କୁଲ ପରିଦର୍ଶନରେ ଯାଇଥିଲେ। ଉଭୟ ସ୍କୁଲରେ ପ୍ରଧାନ ଶିକ୍ଷକ ଅନୁପସ୍ଥିତ ଥିବା କାରଣରୁ ଉଭୟଙ୍କ ଦରମା ବନ୍ଦ କରିବାକୁ ନିର୍ଦେଶ ଦେବା ସହିତ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।