ଏହି ଗାଁରେ ଜନ୍ମ ନିଅନ୍ତି ଆଇଏଏସ ଅଫିସର । ଆଜି ଯାଏଁ ଏଠାରେ ୪୭ ଜଣ ହୋଇ ସାରିଲେଣି ପ୍ରଶାସନିକ ଅଧିକାରୀ । ପ୍ରତି ଘରେ ପାଇବେ ଜଣେ ଜଣେ ବଡ ଅଫିସର । 

842

କନକ ବ୍ୟୁରୋ: ଦେଶରେ ଅନେକ ଯୁବକ ଯୁବତୀ ଅଛନ୍ତି ଯେଉଁମାନଙ୍କ ସ୍ୱପ୍ନ ପ୍ରଶାସନିକ ଅଧିକାରୀ ହେବା । ସେଥିପାଇଁ ୟୁପିଏସସି ପରୀକ୍ଷାରେ ଅନେକ ପ୍ରତିଯୋଗୀତା ଦେଖିବାକୁ ମିଳେ । ପ୍ରତି ବର୍ଷ ଅନେକ ଛାତ୍ରଛାତ୍ରୀ ୟୁପିଏସସି ପରୀକ୍ଷା ଦେଇଥାନ୍ତି । ଏହା ଭିତରୁ କିଛି ଛାତ୍ରଛାତ୍ରୀ ଏଥିରେ ଉତ୍ତୀର୍ଣ୍ଣ ହୋଇଥାନ୍ତି ତ ଆଉ କିଛି ଉତ୍ତୀର୍ଣ୍ଣ ହୋଇପାରନ୍ତିନି । ହେଲେ ଆମେ ଆଜି ଏମିତି ଏକ ଗାଁ କଥା କହିବୁ ଯେଉଁଠି ପିଲାମାନେ ଜନ୍ମ ହୁଅନ୍ତି କେବଳ ୟୁପିଏସସି ପରୀକ୍ଷା ପାଇଁ । ଅର୍ଥାତ ଏଠାରେ ଛାତ୍ରଛାତ୍ରୀ ଅନେକ ସ୍ଥାନରେ ପ୍ରଶାସନିକ ଅଧିକାରୀ ରହି ସାରିଛନ୍ତି ।

ଉତ୍ତର ପ୍ରଦେଶ ଜୋନପୁର ଜିଲ୍ଲାର ମାଧୋପଟ୍ଟି ଗାଁ । ଏହି ଗାଁରେ ମୋଟ ୭୫ଟି ଘର ରହିଛି । ଏବେ ଯାଏଁ ଏଠାରେ ମୋଟ ୪୭ ଜଣ ଆଇଏଏସ ଓ ପିସିଏସ ଅଧିକାରୀ ହୋଇ ସାରିଛନ୍ତି । ଏହି ଗାଁରେ ପ୍ରତି ଘରେ ଜଣେ ଜଣେ ବଡ ବଡ ଅଧିକାରୀ ରହିଛନ୍ତି । କହିବାକୁ ଗଲେ ଭାରତର ବ୍ୟୁରୋକ୍ରାସିରେ ଏହି ଗାଁ ବହୁତ ବଡ ସ୍ତରରେ ରହିଛି । ଏହି ଗାଁର ଅନେକ ଅଧିକାରୀ ପିଏମ ଓ ସିଏମ ହାଉସରେ ମଧ୍ୟ ନିଜ ସେବା ଯୋଗାଇ ସାରିଛନ୍ତି ।

ଏହି ପ୍ରଶାସନିକ ଅଧିକାରୀ ହେବା ଆରମ୍ଭ ହୋଇଥିଲା ୧୯୫୨ ମସିହାରେ । ସେତେବେଳେ ପ୍ରଥମ ଥର ଇନ୍ଦୁ ପ୍ରକାଶ ସିଂ ଆଇଏଏସର ଦ୍ୱିତୀୟ ରାଙ୍କ ହାସଲ କରିଥିଲେ । ଇନ୍ଦୁ ପ୍ରକାଶ ନିଜ କ୍ୟାରିୟରରେ ଅନେକ ସଫଳତା ହାସଲ କରିଥିଲେ । ସେ ଫ୍ରାନ୍ସ ସହ ଅନେକ ଦେଶରେ ଭାରତର ରାଜଦୂତ ରହିଥିଲେ । ସେବେଠୁ ସେଠାକାର ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଆଇଏଏସ ହେବାର କ୍ରେଜ ବଢି ଯାଇଥିଲା । ଯାହାକି ଏବେ ଯାଏଁ ଜାରି ରହିଛି ।

ଏହି ଗାଁରେ ଏମିତି ଏକ ପରିବାର ଅଛି ଯେଉଁଠି ଗୋଟିଏ ପରିବାରର ୪ ଭାଇ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୫୫ ମସିହାରେ ବିନୟ ସିଂ ସିଭିଲ ସର୍ଭିସ ପରୀକ୍ଷାରେ ପାସ କରିଥିଲେ । ଏହାପରେ ୧୯୬୪ରେ ତାଙ୍କ ଦୁଇ ଭାଇ ଛତ୍ରପାଲ ସିଂ ଓ ଅଜୟ ସିଂ ପାସ କରିଥିଲେ । ଏହାପରେ ସେମାନଙ୍କ ସାନ ଭାଇ ୧୯୬୮ ମସିହାରେ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଇତିହାସ ରଚିଥିଲେ ।

ତେବେ ଏହି ଇତିହାସକୁ ଦେଖିଲେ ଜଣା ପଡୁଛି ପ୍ରଶାସନିକ ଅଧିକାରୀ ହେବା ପାଇଁ ଏଠାକାର ଛାତ୍ରଛାତ୍ରୀଙ୍କ ମଧ୍ୟରେ କେତେ ଉତ୍କଣ୍ଠା ରହିଛି । ଏବେ ଯାଏଁ ଏଠାରେ ମୋଟ ୪୭ ଜଣ ପ୍ରଶାସିନକ କ୍ଷେତ୍ରରେ କାମ କରିସାରିଲେଣି । ଆଉ ଆଗକୁ ମଧ୍ୟ ଏହି ପ୍ରତିଯୋଗିତାକୁ ଜାରି ରଖିବା ପାଇଁ ଏଠାକାର ଲୋକମାନେ ନିଜ ନିଜ ପିଲାମାନଙ୍କୁ ଏହି ଦିଗରେ ଉତ୍ସାହିତ କରୁଛନ୍ତି ।