ବଦଳିଲେ ବିଏମସି କମିସନର : ସଂଜୟ ସିଂ ହେଲେ ବିଏମସିର ନୂଆ କମିସନର; ପ୍ରେମଚନ୍ଦ୍ର ଚୌଧୁରୀ ହେଲେ ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ଅଫିସର

358

କନକ ବ୍ୟୁରୋ : ବଦଳିଲେ ଭୁବନେଶ୍ବର ମହାନଗର ନିଗମ କମିସନର । ସଞ୍ଜୟ କୁମାର ସିଂ ନୂଆ କମିସନର ହୋଇଛନ୍ତି । ସେହିଭଳି ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ସ୍ବତନ୍ତ୍ର ଅଫିସର ଭାବେ ଦାୟିତ୍ବ ଦିଆଯାଇଛି । ଅନ୍ୟପକ୍ଷରେ ହେମନ୍ତ ଶର୍ମାଙ୍କୁ ଦକ୍ଷତା ବିକାଶର ଦାୟିତ୍ବ ଦିଆଯାଇଛି । ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି । କ୍ରିଷନ କୁମାର ଇଡକୋ ସିଏମଡି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ ।

ରାଜଧାନୀରେ କରୋନା ଶୀର୍ଷରେ ଥିବାବେଳେ ହଠାତ୍ ବିଏମ୍‌ସି କମିସନରଙ୍କ ବଦଳି ନେଇ ନିର୍ଦ୍ଦେଶମାନା ବାହାରିବାରୁ ଏହାକୁ ନେଇ ଚର୍ଚ୍ଚା ଚାଲିଛି । ଏପରିକି କରୋନାର ପ୍ରଥମ ପର୍ଯ୍ୟାୟରେ ଭଲ ପରିଚାଳନା କରିଥିବା ବିଦାୟୀ କମିସନରଙ୍କୁ ରାଜଧାନୀବାସୀ ପ୍ରଶଂସା କରୁଥିଲେ। ଦ୍ବିତୀୟ ଲହରରେ ବି କମିସନର ଜୋରଦାର ଉଦ୍ୟମ ଚଳାଇଥିଲେ। କିନ୍ତୁ ହଠାତ୍ କାହିଁକି ସାଧାରଣ ପ୍ରଶାସନ ବିଭାଗର ଓଏସ୍‌ଡି ଭାବେ ବଦଳି ହେଲା ତାହା ସମସ୍ତଙ୍କୁ ଚକିତ କରିଛି । ଆଜି ସକାଳେ ନିର୍ଦ୍ଦେଶନାମା ବାହାରୁ ବାହାରୁ ତୁରନ୍ତ ଅବ୍ୟାହତି ଦେଇଦିଆଗଲା।

ଜୁନ୍‌,୨୦୧୯ରେ ବିଏମ୍‌ସି କମିସନର ଭାବେ ଯୋଗ ଦେଇଥିବା ୨୦୧୦ ବ୍ୟାଚ୍‌ର ଏହି ଆଇଏଏସ୍‌ ଅଫିସର ମାତ୍ର ଦୁଇ ବର୍ଷ ବି ପଦବିରେ ରହିପାରିଲେନି। ତାଙ୍କ ପୂର୍ବରୁ ଦୁଇ ଜଣ କମିସନର ଶୁଭମ୍‌ ସାକ୍‌ସେନା ଓ ସମର୍ଥ ବର୍ମାଙ୍କର ଅଳ୍ପ ଦିନରେ ବଦଳି ହୋଇଥିବାବେଳେ ପ୍ରେମଚନ୍ଦ୍ରଙ୍କର ଦୁଇ ବର୍ଷ ବି ପୂରିଲାନି। ଶୁଭମ୍‌ ସାକ୍‌ସେନାଙ୍କ ପୂର୍ବରୁ ବର୍ତ୍ତମାନର ପୂର୍ତ୍ତ ସଚିବ କ୍ରିଷନ କୁମାର ବିଏମ୍‌ସି କମିସନର ଭାବେ ଦୀର୍ଘ ୪ବର୍ଷ ୧୦ମାସ କାମ କରିଥିଲେ। ତେଣୁ ଏବେ ପ୍ରେମଚନ୍ଦ୍ର ସେହିଭଳି ଦୀର୍ଘ ସମୟ ଦାୟିତ୍ବରେ ରହିବେ ବୋଲି ଆଶା କରାଯାଉଥିଲା।

ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଭୁବନେଶ୍ବରରେ କରୋନା ଏବେ ଶୀର୍ଷରେ ଥିବାବେଳେ ପ୍ରତିଦିନ ହଜାରେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ରେକର୍ଡ ଭାଙ୍ଗୁଛି। ଠିକ୍‌ ଏହି ସମୟରେ ବିଏମ୍‌ସି କମିସନରଙ୍କ ବଦଳି ହୋଇଛି। ଅପରପକ୍ଷେ ୧୯୯୭ ବ୍ୟାଚ୍‌ର ଆଇଏଏସ୍ ସଂଜୟ କୁମାର ସିଂହ ଜଣେ ବରିଷ୍ଠ ଅଧିକାରୀ ହୋଇଥିବାବେଳେ ତାଙ୍କ ନେତୃତ୍ବରେ ରାଜଧାନୀରେ କରୋନା ମୁକାବିଲା ଅଧିକ ସକ୍ରିୟ ହେବ ବୋଲି କୁହାଯାଉଛି। ପୂର୍ବରୁ କେବେ ଏହିଭଳି ଜଣେ ବରିଷ୍ଠ ଅଧିକାରୀଙ୍କୁ ବିଏମ୍‌ସି କମିସନର ଭାବେ ଦାୟିତ୍ବ ଦିଆଯାଇନଥିଲା।