ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନର ବହ୍ନି ଭାରତରେ ଆରମ୍ଭ ହେବା ପରେ ଲୋକ ଏହାକୁ ଦୃଢତାର ସହ ଆପଣାଇଥିଲେ । ଗାଁ,ସହର ସବୁଠି ପରିଷ୍କାର ପରିଚ୍ଛନ୍ନତା ଦେଖାଯାଇଥିଲା,ଯାହା ଏ ପର୍ଯ୍ୟନ୍ତ ବଳବତ୍ତର ହୋଇ ରହିଅଛି । ନିିକଟରେ ଚମ୍ପାରଙ୍ଗ ସତ୍ୟାଗ୍ରହର ଶତାବ୍ଦୀ ସମାରୋହ ଉତ୍ସବରେ ପ୍ରଧାନମନ୍ତ୍ରୀ ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଫିସରଙ୍କ ଖୁବ୍ ପ୍ରଶଂସା କରିଥିଲେ । ଏହି ଅଫିସରଙ୍କ ନାଁ ପରମେଶ୍ୱର ଜି. ଅୟର । ଏହି ସମାରୋହରେ ମୋଦି ପରମେଶ୍ୱରଙ୍କ ଆମେରିକାରେ ଚାକିରୀ ଛାଡିବାଠାରୁ ଆରମ୍ଭ କରି ସ୍ୱଚ୍ଛ ଭାରତ ଅଭିଯାନ ମିଶନରେ ଭାରତକୁ ଆସିବା ଭଳି କଥା କହିଥିଲେ ।
ଉତ୍ତରପ୍ରଦେଶରୁ ୧୯୮୧ ବ୍ୟାଚ୍ କ୍ୟାଡରରୁ ଅଫିସର ହୋଇଥିବା ପରମେଶ୍ୱର ୭ ବର୍ଷ ପୂର୍ବେ ନିଜ ଇଚ୍ଛା ମୁତାବକ ଚାକିରୀରୁ ଅବସର ନେଇଥିଲେ । ଭାରତ ଯେଭଳି ସ୍ୱଚ୍ଛତାର ସର୍ବାଗ୍ରେ ରହିବ ଏହି ଉଦେ୍ଧଶ୍ୟକୁ ଆଖି ଆଗରେ ରଖି ସେ ବିଶ୍ୱ ବ୍ୟାଙ୍କ ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ କରିଥିଲେ । ଘରେ ରହୁଥିବା ସମୟରେ ସେ ପ୍ରତିଦିନ ନିଜ ହାତରେ ପାଇଖାନା ସଫା କରିବା ଏବଂ ସ୍ୱେଚ୍ଛାସେବୀଙ୍କ ସହ ଆଖପାଖ ଶୌଚାଳୟ ସଫା କରିବା ପାଇଁ ବାହାରି ପଡୁଥିଲେ । ସ୍ୱଚ୍ଛତାକୁ ଛାଡି ସେ ପାଣି ଏବଂ ସାନିଟେସନ୍ ସେକ୍ଟରରେ ମଧ୍ୟ ୨୦ ବର୍ଷ କାମ କରିସାରିଛନ୍ତି । ଜଳ ସୂର୍ଯ୍ୟ ପ୍ରୋଗ୍ରାମ ପାଇଁ ସେ ଖୁବ୍ ପରିଚିତ । ବର୍ତ୍ତମାନ ସେ ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଭାରତ ସରକାର ତାଙ୍କୁ ପାନୀୟଜଳ ଏବଂ ସ୍ୱଚ୍ଛତା ମନ୍ତ୍ରାଳୟର ସଚିବ ରୂପେ ଆମେରିକାରୁ ଭାରତକୁ ନିମନ୍ତ୍ରଣ କରିଥିଲେ ।ପ୍ରଧାନମନ୍ତ୍ରୀ ଯେତେବେଳେ ଅୟରଙ୍କ ପ୍ରଶଂସା କରୁଥିଲେ ସେତେବେଳେ ମୋଦି ତାଙ୍କୁ ସଭାସ୍ଥଳରେ ଉପସ୍ଥିତ ନଥିବା ଦେଖି ବିଚଳିତ ହୋଇଥିଲେ ଏବଂ କ୍ୟାମେରାକୁ ଅୟରଙ୍କ ଆଡକୁ ଦେଖାଇବା ପାଇଁ କହିଥିଲେ । ଭିଡ ଭିତରେ ଏଭଳି ଜଣେ ବ୍ୟକ୍ତିବିଶେଷଙ୍କ ଉପସ୍ଥିତି ସେଠାକାର ଲୋକଙ୍କୁ ସ୍ୱଚ୍ଛତାକୁ ଆଉପାଦେ ଆଗକୁ ବଢାଇବା ପାଇଁ ପ୍ରେରିତ କରିଥିଲା ।