ସମ୍ବଲପୁରରେ ମୋଦିଙ୍କ ହେଲିକପ୍ଟର ଯାଞ୍ଚ କରି ନିଲମ୍ବିତ ହୋଇଥିଲେ ଆଇଏଏସ ଅଫିସର ମହସିନ । ନିଲମ୍ବନ ଉପରେ ରୋକ ଲଗାଇଲେ CAT

998

କନକ ବ୍ୟୁରୋ : ଆଇଏଏସ୍ ଅଧିôକାରୀ ମହମ୍ମଦ ମହସିନଙ୍କ ନିଲମ୍ବନ ଉପରେ ରହିତାଦେଶ ଜାରି କରିଛିନ୍ତି ସେଂଟ୍ରାଲ ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ୍ । ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟରକୁ ଯାଂଚ କରି ନିଲମ୍ବନ ହୋଇଥିବା କର୍ଣ୍ଣାଟକ କ୍ୟାଡର ଆଇଏଏସ୍ ଅଧିକାରୀ ମହମ୍ମଦ ମହସିନଙ୍କ ନିଲମ୍ବନ ଉପରେ ରୋକ ଲଗାଇଛି କ୍ୟାଟ୍ । ଏହି ନିଲମ୍ବନ ଆଦେଶ ଉପରେ ମହମ୍ମଦ ମହସିନଙ୍କୁ ମିଳିଛି କ୍ୟାଟର ସୁରକ୍ଷା ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ହେଲିକପ୍ଟର ଯାଂଚର ଉଦାହରଣ ଦେଇଛନ୍ତି ଟ୍ରିବ୍ୟୁନାଲ୍ । ଟ୍ରିବ୍ୟୁନାଲ କହିଛନ୍ତି, ଦୁଇ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଂଚ କରାଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଗତ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବଲପୁର ଗସ୍ତ ବେଳେ ତାଙ୍କର ହେଲିକପଟର ଯାଂଚ କରାଯାଇଥିଲା । ନିର୍ବାଚନ ପର୍ଯ୍ୟବେକ୍ଷକ ଥିବା ମହମ୍ମଦ ମହସିନଙ୍କ ନେତୃତ୍ୱରେ ଏହି ଯାଂଚ କରା ଯାଇଥିବା ଅଭିଯୋଗ ହୋଇଥିଲା । ନିର୍ବାଚନ କମିସନଙ୍କ ଗାଇଡଲାଇନ୍ସ ଅନୁଯାୟୀ ନିର୍ବାଚନ ପର୍ଯ୍ୟବେକ୍ଷକ କାର୍ଯ୍ୟ କରିନଥିବା ଅଭିଯୋଗ ହୋଇଥିଲା । ଏସପିଜି ସୁରକ୍ଷା ବଳୟରେ ଥିବା ପ୍ରଧାନମନ୍ତ୍ରୀଙ୍କ ପାଇଁ ଯେଉଁ ବ୍ୟବସ୍ଥା ରହିଛି, ତାକୁ ଉଲଂଘନ କରାଯାଇଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ନିର୍ବାଚନ କମିସନ୍ ।

ଇସିଙ୍କ ନିଲମ୍ବନ ଆଦେଶକୁ କ୍ୟାଟ୍ରେ ଚ୍ୟାଲେଂଜ କରାଯାଇଥିଲା । ଏହାର ଶୁଣାଣି କରି ନିଲମ୍ବନ ଆଦେଶ ଉପରେ ରହିତାଦେଶ ଦେଇଛନ୍ତି ସେଂଟ୍ରାଲ ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ୍ । ତିନି ସପ୍ତାହ ମଧ୍ୟରେ ଜବାବ ଦେବାକୁ ଉଭୟ ପକ୍ଷକୁ ନୋଟିସ କରାଯାଇଛି । ମହସିନଙ୍କ ନିଲମ୍ବନକୁ ନେଇ ଏହାପୂର୍ବରୁ ସରକାରଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ ବିରୋଧୀ । ମହସିନ ନିଜ ଡ୍ୟୁଟି କରୁଥିବା ବେଳେ ତାଙ୍କୁ କାହିଁକି ହଟାଗଲା ବୋଲି ପ୍ରଶ୍ନ କରିଥିଲା କଂଗ୍ରେସ ।