କନକ ବ୍ୟୁରୋ : ନିଲମ୍ବିତ ହେବାର ଦୀର୍ଘ ୧୦ ଦିନ ପରେ ମୁହଁ ଖୋଲିଲେ ମହମ୍ମଦ ମହସିନ୍ । ଜାତୀୟ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଂଚ କରି ଅଡୁଆରେ ପଡିଥିବା ଆଇଏଏସ୍ ଅଧିôକାରୀ ମହମ୍ମଦ ମହସିନ୍ । ନିଲମ୍ବନ ଆଦେଶ ହଟିଲା ପରେ ମହସିନ୍ କହିଛନ୍ତି, କେଉଁ ଅପରାଧ ପାଇଁ ତାଙ୍କୁ ନିଲମ୍ବନ କରାଯାଇଥିଲା, ସେ ବୁଝି ପାରୁନାହାନ୍ତି । ମହସିନ୍ କହିଛନ୍ତି, ହେଲିକପ୍ଟର ଯାଂଚ ନୁହେଁ, ସେ କେବଳ ଭିଡିଓଗ୍ରାଫି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ଘଟଣା ସ୍ଥଳରେ ସେ ଉପସ୍ଥିତ ନଥିବା ମଧ୍ୟ କହିଛନ୍ତି ମହସିନ୍ ।
ଏହା ସହ କର୍ଣ୍ଣାଟକ କ୍ୟାଡରର ଏହି ବରିଷ୍ଠ ଆଇଏଏସ୍ ଅଧିକାରୀ କହିଛନ୍ତି, କର୍ତବ୍ୟରେ ସେ କିପରି ଅବହେଳା କରିଛନ୍ତି, ତାଙ୍କ ବିରୋଧରେ କ’ଣ ଅଭିଯୋଗ ରହିଛି, ଏ ନେଇ ନିର୍ବାଚନ କମିସନ୍ କିଛି ଉଲ୍ଲେଖ କରିନାହାନ୍ତି । ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ପୋଲ୍ ପ୍ୟାନେଲ କିମ୍ବା ଜିଲ୍ଲା ପ୍ରଶାସନ କିଛି ସ୍ପଷ୍ଟ କରିନାହାନ୍ତି । ଏସପିଜି ଅଧିକାରୀଙ୍କ ସହ ଆଲୋଚନା ପରେ ଭିଡିଓଗ୍ରାଫି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।
ଗତ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବଲପୁର ଗସ୍ତ ବେଳେ ତାଙ୍କର ହେଲିକପଟର ଯାଞ୍ଚ କରାଯାଇଥିବା ଅଭିଯୋଗ ହୋଇଥିଲା । ଗାଇଡଲାଇନ୍ସ ଅନୁଯାୟୀ କାର୍ଯ୍ୟ କରିନଥିବା ଅଭିଯୋଗରେ ନିର୍ବାଚନ ପର୍ଯ୍ୟବେକ୍ଷକ ଥିବା ମହମ୍ମଦ ମହସିନ୍ଙ୍କୁ ନିଲମ୍ବନ କରିଥିଲେ ନିର୍ବାଚନ କମିସନ୍ ।
Follow Us