ଆଇଏଏସଙ୍କ ଅୟସ୍ ପାର୍ଟ-୨ । ସୂଚନା ଆଇନ ବଳରେ ଆସିଲା ସାଂଘାତିକ ତଥ୍ୟ, ଦେବଗଡ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟର ମରାମତିରେ ଖର୍ଚ୍ଚ ହୋଇଛି ପାଣି ଭଳି ଟଙ୍କା ।

957

କନକ ବ୍ୟୁରୋ : ପୁଣି ଥରେ ପଦାକୁ ଆସିଛି ବାବୁଙ୍କ ଅୟସର ପ୍ରମାଣ । ସୁନ୍ଦରଗଡ଼ର ଜିଲ୍ଲାପାଳ ତାଙ୍କର ସରକାରୀ ବାସଭବନର ମରାମତି ଓ ନବୀକରଣରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଚର୍ଚ୍ଚାକୁ ଆସିଥିଲେ । ଏବେ ସାମନାକୁ ଆସିଛି, ଦେବଗଡ଼ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ମରାମତି ଖର୍ଚ୍ଚ । ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନବୀକରଣ ଓ ମରାମତିରେ ୪ ବର୍ଷରେ ଖର୍ଚ୍ଚ ହୋଇଛି ଲକ୍ଷ ଲକ୍ଷ ଟଙ୍କା । ସୂଚନା ଅଧିକାର ଆଇନରୁ ଏହି ତଥ୍ୟ ସାମନାକୁ ଆସିଛି ।
ଦେବଗଡ଼ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ । ଏହାର ନବୀକରଣ ଓ ମରାମତି ପାଇଁ ପ୍ରତିବର୍ଷ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା । ଜିଲ୍ଲାପାଳ ବଦଳୁଛନ୍ତି, ଆଉ ଏହା ସହ ବଦଳି ଯାଉଛି ସରକାରୀ କ୍ୱାର୍ଟରର ରୂପରେଖ । ସୂଚନା ଅଧିକାର ଆଇନ ବଳରେ ସାମ୍ନାକୁ ଆସିଛି ସରକାରୀ ବାବୁଙ୍କ ଅୟସର ଚିତ୍ର । ନଜର ପକାନ୍ତୁ, ୪ ବର୍ଷର ହିସାବ ଉପରେ ।

୨୦୧୫-୧୬ରେ ଜିଲ୍ଲାପାଳଙ୍କ ସରକାରୀ କ୍ୱାଟରର ନବୀକରଣ ଓ ମରାମତିରେ ଖର୍ଚ୍ଚ ହୋଇଛି ୧୪ ଲକ୍ଷ ୩୪ ହଜାର ଟଙ୍କା । ସେହିଭଳି ୨୦୧୬-୧୭ରେ ଖର୍ଚ୍ଚ ହେଲା ୩ଲକ୍ଷ ୬୮ ହଜାର ଟଙ୍କା । ପୁଣି ୨୦୧୭-୧୮ରେ ଆସିଲେ ନୂଆ ଜିଲ୍ଲପାଳ । ପୁଣି ଆବାସିକ କାର୍ଯ୍ୟାଳୟ ମରାମତିରେ ଖର୍ଚ୍ଚ ହେଲା ୮ ଲକ୍ଷ ୮ ହଜାର ଟଙ୍କା । ହେଲେ ଏହି ଖର୍ଚ୍ଚ ୨୦୧୮-୧୯ରେ ପୂରା ବଦଳିଗଲା । ୨୦୧୮-୧୯ରେ ସରକାରୀ ଆବାସିକ କାର୍ଯ୍ୟାଳୟ ନବୀକରଣରେ ଖର୍ଚ୍ଚର ଏଷ୍ଟିମେଟ୍ ହେଉଛି ୬୩ ଲକ୍ଷ ୪୧ ହଜାର ଟଙ୍କା । ନବୀକରଣ କାର୍ଯ୍ୟ ଶେଷ ହେଲେ ୪ ବର୍ଷରେ ବାବୁଙ୍କ ଆବାସିକ ଅଫିସ୍ ପାଇଁ ଖର୍ଚ୍ଚ ହୋଇଯିବ ପ୍ରାୟ ୯୦ ଲକ୍ଷ ଟଙ୍କା ।

ସରକାର ବାବୁଙ୍କୁ ଅଯଥା ଖର୍ଚ୍ଚ ନ କରି ମିତବ୍ୟୟୀ ହେବାକୁ ବାରମ୍ବାର ପରାମର୍ଶ ଦିଆଯାଉଛି । ୫ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ପାଇଁ ସ୍ୱତନ୍ତ୍ର ଅନୁମତିର ଆବଶ୍ୟକତା ଥିବାରୁ ସେହି କାମକୁ ଏକାଧିକ କାମରେ ବିଭକ୍ତ କରି ୫ ଲକ୍ଷ ଟଙ୍କା ତଳକୁ ରଖି ନିଜେ ଅନୁମତି ଦେଉଛନ୍ତି ଜିଲ୍ଲାପାଳ । ଆଇନରେ ଥିବା ଫାଙ୍କ ଭିତରେ ଲକ୍ଷ ଲକ୍ଷ ଟଙ୍କା ଏଭଳି ଅନାୟାସରେ ଖର୍ଚ୍ଚ କରାଯାଉଛି ।