ହାତରେ କରଣୀ, ମୁଣ୍ଡରେ ଟୋପି ! ବାତ୍ୟା ଫୋନିରେ ଭାଙ୍ଗି ଯାଇଥିବା ପାଚେରିକୁ ମରାମତି କରୁଛନ୍ତି ଆଇଏଏସ ଅଫିସର । 

505

କନକ ବ୍ୟୁରୋ : ଏମିତି ଜଣେ ଆଇଏଏସ ଅଫିସରଙ୍କୁ ନେଇ ଏବେ ଚର୍ଚ୍ଚା ଜୋରଧରିଛି, ଯିଏକି ବାତ୍ୟା ପରେ ଭାଙ୍ଗିଯାଇଥିବା ନିଜ ପାଚେରିର ମରାମତି ନିଜେ କରୁଛନ୍ତି । ସରକାରୀ ଅଫିସରଙ୍କୁ ନେଇ ସବୁବେଳେ ଚର୍ଚ୍ଚା ସମାଲୋଚନା ହୋଇଥାଏ । କିନ୍ତୁ ଏମିତି ବି କିଛି ସରକାରୀ ଅଫିସର ଅଛନ୍ତି, ଯାହାଙ୍କ ନିଷ୍ଠାପରତା ଏବଂ କାର୍ଯ୍ୟଦକ୍ଷତା ପାଇଁ ସମସ୍ତେ ତାଙ୍କୁ ପ୍ରଂଶସା କରିଥାଆନ୍ତି ।

ଗତ ୩ ତାରିଖରେ ପ୍ରକୃତିର ତାଣ୍ଡବ ଦେଖିଥିଲା ଓଡିଶା । କିଛିଟା ସମୟ ମଧ୍ୟରେ  ଛାରଖାର ହୋଇଗଲା ସବୁକିଛି । ଆଉ ଏଥିରେ ଜଣେ ଆଇଏଏସ ଅଫିସରଙ୍କ ଘରର ପାଚେରି ମଧ୍ୟ ଭାଙ୍ଗି ଯାଇଥିଲା । ବାତ୍ୟା ଫୋନି ସିନା ଦୁଃଖ ଦେଇ ଚାଲିଯାଇଛି, ହେଲେ ପୁନଃନିର୍ମାଣ ଓଡିଶାର ପ୍ରତିଜ୍ଞା କରି ଏବେ କାମରେ ଲାଗିପଡିଛନ୍ତି ଯୁବ ଆଇଏଏସ ଅଫିସର ନିତିନ୍ ଜାୱଲେ । ବାତ୍ୟାରେ ଭାଙ୍ଗିଯାଇଥିବା ନିଜ ସରକାରୀ କ୍ୱାର୍ଟରର ପାଚେରିକୁ ସେ ନିଜେ ମରାମତି କରୁଛନ୍ତି । ହାତରେ ରହିଛି କରଣୀ ଆଉ ମୁଣ୍ଡରେ ପିନ୍ଧିଛନ୍ତି ଟୋପି । କାହାକୁ ଅପେକ୍ଷା ନକରି ନିଜ କାମରେ ନିଜେ ଲାଗିପଡିଛନ୍ତି । ଜଣେ ଆଇଏଏସ ଅଫିସରଙ୍କ ଏଭଳି କାର୍ଯ୍ୟ ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅନେକ ଲୋକ ତାଙ୍କର ପ୍ରଂଶସା କରୁଥିବା ବେଳେ ଏଭଳି ଅଫିସରଙ୍କୁ ସାଲ୍ୟୁଟ୍ ମଧ୍ୟ କରିଛନ୍ତି ।