ବାପା ଅଟୋ ଡ୍ରାଇଭର, ପୁଅ ହେଲେ ଆଇଏଏସ: ପଢନ୍ତୁ ଜଣେ ସଫଳ ୟୁପିଏସସି ପରୀକ୍ଷାର୍ଥୀଙ୍କ ସଂଘର୍ଷମୟ କାହାଣୀ

576

କନକ ବ୍ୟୁରୋ: କଥାରେ ଅଛି, ଦୃଢ ଇଚ୍ଛା ଶକ୍ତି ସଫଳତା ଆଣିଦିଏ । ଆଉ ଯଦି ଆପଣ ମନରେ ଏଭଳି କଥା ରଖି ଆଗକୁ ବଢନ୍ତି ତେବେ ଦିନେ ନା ଦିନେ ସଫଳତା ନିଶ୍ଚେ ମିଳିବ । ଆମେ ଆଜି ଯେଉଁ ବ୍ୟକ୍ତିଙ୍କ କଥା କହିବୁ ତାଙ୍କ ଜୀବନର ସଂଘର୍ଷ ମଧ୍ୟ କିଛି କମ ନୁହେଁ । ପିଲାଟି ବେଳୁ ଗରିବି ଗଳିରୁ ବଢି ଆଜି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ଏହି ଯୁବକ ।

ମହାରାଷ୍ଟ୍ର ଜଲାନା ଜିଲ୍ଲାର ଅକ ଛୋଟିଆ ଗାଁରେ ଅନସାର ଅହମ୍ମଦ ଶେଖଙ୍କ ଘର । ନିଜ ଜୀବନରେ ଅନେକ ସଂଘର୍ଷ କରି ସେ ଆଇଏଏସ ଅଫିସର ହୋଇଛନ୍ତି । ମାତ୍ର ୨୧ ବର୍ଷ ବୟସରେ ସେ ୟୁପିଏସସି ପରୀକ୍ଷାରେ ୩୭୧ ରାଙ୍କ ହାସଲ କରିଥିଲେ ।

ଅନସାରଙ୍କ ପରିବାର ବହୁତ ଗରିବ ଥିଲା । ତାଙ୍କ ବାପା ଜଣେ ଅଟୋ ଡ୍ରାଇଭର ଥିଲେ । ଆଉ ମା କ୍ଷେତରେ କାମ କରୁଥିଲେ । ତାଙ୍କ ବାପାଙ୍କ ରୋଜଗାର କହିଲେ ଦିନକୁ ଶହେ କି ଦେଢ ଶହ ଟଙ୍କା । ଯେଉଁଥିରେ ପରିବାର ଚଳାଇବା କଷ୍ଟ ହୋଇପଡିଥିଲା । ପରିବାରର ସ୍ଥିତି ଏପରି ଥିଲା କି ତାଙ୍କୁ ପାଠ ଛାଡିବାକୁ ମଧ୍ୟ ପରିବାର ଲୋକ ବାଧ୍ୟ କରିଥିଲେ ।

ସମୟ ଏମିତି ଆସିଥିଲା କି ଅନସାରଙ୍କ ପାଠ ବନ୍ଦ କରିବାକୁ ତାଙ୍କ ବାପା ସ୍କୁଲରେ ପହଞ୍ଚି ଯାଇଥିଲେ । ହେଲେ ସେଠାରେ ତାଙ୍କ ଶିକ୍ଷକ ଅନସାରଙ୍କ ବାପାଙ୍କୁ ବୁଝାଇଥିଲେ, ଆଉ ପୁଅର ପାଠପଢା ବନ୍ଦ ନକରିବାକୁ ପରାମର୍ଶ ଦେଇଥିଲେ । କଷ୍ଟେ ମଷ୍ଟେ ଅନସାର ଦ୍ୱାଦଶ ଯାଏଁ ପଢିଥିଲେ । ଆଉ ଦ୍ୱାଦଶ ପରୀକ୍ଷାରେ ୯୧ ପ୍ରତିଶତ ହାସଲ କରିଥିଲେ । ଏହାପରେ ତାଙ୍କୁ ପାଠ ବନ୍ଦ କରିବାକୁ ପରିବାର ଲୋକ କେବେ କହିନଥିଲେ ।

ଦ୍ୱାଦଶ ପାସ କରିବା ପରେ ଅନସାର ପୁଣେର ଫର୍ଗୁସନ କଲେଜରେ ରାଜନୀତି ବିଜ୍ଞାନରେ ଗ୍ରାଜୁଏସନ କରିଥିଲେ । ଆଉ ଏହାରି ମଧ୍ୟରେ ୟୁପିଏସସି ପ୍ରସ୍ତୁତ ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ହେଲେ ପରିବାରର ଆର୍ଥିକ ଅନଟନ ତାଙ୍କ ପଥରେ ବାଧକ ସାଜିଥିଲା । ତେଣୁ ନିଜ ପାଠ ପଢା ଖର୍ଚ୍ଚ ଉଠାଇବା ପାଇଁ ସେ ଏକ ହୋଟେଲରେ ୱେଟର ଭାବେ କାମ କରିଥିଲେ । ଆଉ ସେଠି ଲୋକଙ୍କୁ ପାଣି ଦେବାଠୁ ଆରମ୍ଭ ଟେବୁଲ ପୋଛା ମାରିବା କାମ କରିଥିଲେ ।

ଅନସାରଙ୍କ ଏଭଳି କଠିନ ପରିଶ୍ରମ ଆଗରେ ହାର ମାନିଯାଇଥିଲା କଷ୍ଟ । ଆଉ ୨୦୧୫ରେ ପ୍ରଥମ ପ୍ରୟାସରେ ହିଁ ସେ ୟୁପିଏସସି ପରୀକ୍ଷା ପାସ କରିଥିଲେ । ଆଉ ସେଦିନର ୱେଟର ବୟ ଆଜି ବନିଯାଇଛନ୍ତି ଆଇଏଏସ ଅଫିସର ।