ପୂର୍ତ୍ତ ସଚିବଙ୍କ ‘ପଲିଟିକ୍ସ’ ପୋଷ୍ଟର । ୨୦୧୯ରେ ବିଜେଡି ଟିକେଟରେ ଆସିବେ କି ମୈଦାନକୁ?

ଅପରାଜିତା ଷଡଙ୍ଗୀ ଚାକିରୀରୁ ଅବସର ନେଇ ବିଜେପିରେ ଯୋଗ ଦେଇଥିବା ବେଳେ ପୂର୍ବତନ ଏଜି ଅମର ପଟ୍ଟନାୟକ ଓ ପୂର୍ବତନ ଆଇପିଏସ ଅରୂପ ପଟ୍ଟନାୟକ ବିଜେଡି କ୍ୟାମ୍ପ ଯାଇଥିବା ବେଳେ ପୂର୍ବତନ ଆଇଏଏସ ଅଶୋକ ତ୍ରିପାଠୀ ବିଜେପି ଶିବିରରେ ଯୋଗ ଦେଇଥିଲେ । ଆଉ ଏବେ ପାଳି ନଳିନୀ ପ୍ରଧାନଙ୍କର?

398

ରାଜନୀତିକୁ ଆସିବାକୁ ମନ ବଳାଇଲେଣି ପୂର୍ତ୍ତ ସଚିବ ନଳିନୀ ପ୍ରଧାନ । ରେଢାଖୋଲରେ ବିକାଶ ସମାବେଶ ନାଁରେ ଲାଗିଥିବା କିଛି ପୋଷ୍ଟର ଏବେ ଆସିଛି ଚର୍ଚ୍ଚାର ଘେରକୁ । ଯେଉଁଥିରେ ସରକାରୀ ଅଧିକାରୀଙ୍କ ଫଟୋ ଅନେକଙ୍କୁ ତାଜୁବ କରିଦେଇଛି । ନୂଆବର୍ଷର ଅଭିନନ୍ଦନ ନାଁରେ ନେତାଙ୍କର ପତିଆରା ଦେଖାଇବାର ଯେଉଁ ଅବକାଶ ସୃଷ୍ଟି ହୋଇଛି, ତାକୁ ବିଲକୁଲ ହାତଛଡା କରିବାକୁ ବୋଧହୁଏ ଚାହୁଁନାହାନ୍ତି ପୂର୍ତ୍ତ ସଚିବ ।

ଲାଗିଥିବା ପୋଷ୍ଟରରେ ଗତ ୨୮ ତାରିଖରେ ରେଢାଖୋଲର କଦମ୍ବ ପଡିଆରେ ଆୟୋଜିତ ହୋଇଥିବା ବିକାଶ ସମାବେଶ ବାବଦରେ ଉଲ୍ଲେଖ ରହିଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ, ସାଂସଦ ତଥା ସମ୍ବଲପୁର ପର୍ଯ୍ୟବେକ୍ଷକ ପ୍ରତାପ କେଶରୀ ଦେବ, ରେଢାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ସହ ସଚିବ ନଳିନୀ କାନ୍ତ ପ୍ରଧାନଙ୍କ ଫଟୋ ରହିଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଅନୁମାନ କରାଯାଉଛି, ସମ୍ବଲପୁର ଲୋକସଭା ଆସନ ଅନ୍ତର୍ଗତ କୈାଣସି ବିଧାନସଭା ଆସନ ଉପରେ ରହିଛି ନଳିନୀ ପ୍ରଧାନଙ୍କ ନଜର । ଆଉ ଏହାକୁ ବାସ୍ତବତାର ରୂପ ଦେବାକୁ ଭିତରେ ଭିତରେ ସଚିବ ଉଦ୍ୟମ କରୁଥିବା କଥା କୁହାଯାଉଛି । ହେଲେ ସରକାରୀ ପଦ ପଦବୀରେ ଥାଇ ରାଜନୀତିର ପୋଷ୍ଟର ୱାରରେ ସାମିଲ ହେବା ଏକ ବଡ ବିତର୍କ ସୃଷ୍ଟି କରିଛି ।

ଏମିତିରେ ମଧ୍ୟ ପାୱାର କରିଡରରେ ନଳିନୀ ପ୍ରଧାନଙ୍କ ଲବି ଖୁବ ଶକ୍ତିଶାଳୀ ରହିଛି । ବାରମ୍ବାର ନିଜ ବିଭାଗରେ ଅଘଟଣ ଘଟୁଥିଲେ ମଧ୍ୟ ସରକାର ତାଙ୍କ ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲେ । ଏପରିକି ତାଙ୍କ କାର୍ଯ୍ୟକାଳକୁ ବଢାଇ ମଧ୍ୟ ଦିଆଯାଇଥିଲା । ଯାହା ସଚିବାଳୟର ପାୱାର କରିଡରରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । ଦଳୀୟ ପାଣ୍ଠି ଯୋଗାଡ ପାଇଁ ସଚିବଙ୍କୁ ବ୍ୟବହାର କରାଯାଉଥିବା ଅତୀତତରେ ବିରୋଧୀ ଅଭିଯୋଗ ଆଣିଥିଲେ । ହେଲେ ଏହାରି ଭିତରେ ସଚିବଙ୍କ ରାଜନୈତିକ ଅଭିଳାଷା ମଧ୍ୟ ସାମ୍ନାକୁ ଆସିଛି ।

୨୦୧୯ ସାଧାରଣ ନିର୍ବାଚନ ବେଳକୁ ଚାକିରୀରୁ ଇସ୍ତଫା ଦେଇ ନିର୍ବାଚନୀ ମୈଦାନକୁ କେଉଁ ଆସନରୁ ନଳିନୀ ପ୍ରଧାନ ଓହ୍ଲାଇବେ ଏବେ ତାଉପରେ ସମସ୍ତଙ୍କ ନଜର । ତେବେ ଲାଗିଥିବା ପୋଷ୍ଟର ସଚିବଙ୍କ ଜାଣତରେ ହୋଇଛି ନା ତାଙ୍କ ଅଜାଣତରେ ତାଙ୍କୁ ବଦନାମ କରିବାକୁ ଉଦ୍ୟମ କରାଯାଇଛି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏନେଇ ସଚିବ ନଳିନୀ ପ୍ରଧାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।