ମହିଳାଙ୍କ ହାତରେ ମୋବାଇଲ ନମ୍ବର ଲେଖିଲେ । ଆବଶ୍ୟକ ସମୟରେ ତୁରନ୍ତ ଫୋନ କରିବାକୁ କହିଲେ ଜିଲ୍ଲାପାଳ

192

କନକ ବ୍ୟୁରୋ: ‘ତୁମ ହାତରେ ମୋର ମୋବାଇଲ ନମ୍ବର ଲେଖୁଛି । ଏଇ ନମ୍ବରରେ କଲ କରିବ । ଯଦି ତୁମର ମୋବାଇଲ ନାହିଁ ଗାଁର କାହାକୁ ବି ଏହି ନମ୍ବର ଲଗାଇବାକୁ କହିବ । ତୁମର ଯାହା ସମସ୍ୟା ଥିବା ତୁରନ୍ତ ଜଣାଇବ । ତୁମ ପାଖରେ ଆସି ଅଧିକାରୀ ପହଞ୍ଚିବେ ।’

ମହିଳାଙ୍କ ହାତରେ ମୋବାଇଲ ନମ୍ବର ଲେଖିଲେ , ଫୋନ୍ କରି ସମସ୍ୟା ଜଣାଇବାକୁ କହିଲେ । ସୋସିଆଲ ମିଡିଆରେ ଏବେ ଫଟୋ ଓ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି । ଆଉ ଏହି ଫଟୋରେ ଦେଖାଯାଉଥିବା ବ୍ୟକ୍ତିଙ୍କୁ ଲୋକେ ପ୍ରଂଶସାରେ ପୋତି ପକାଉଛନ୍ତି । ଏହାର କାରଣ ଜାଣିଲେ ଆପଣ ବି ସାବାସି ନଦେଇ ରହିପାରିବେ ନାହିଁ ।

ଫଟୋରେ ଦେଖାଯାଉଥିବା ବ୍ୟକ୍ତି ଜଣକ ସାଧାରଣ ନୁହଁନ୍ତି । ଇଏ ହେଉଛନ୍ତି ଆଇଏଏସ୍ ତଥା ମଧ୍ୟପ୍ରଦେଶ ଡିଣ୍ଡୋରୀ ଜିଲ୍ଲାର କଲେକ୍ଟର ବିକାଶ ମିଶ୍ରା । ନର୍ମଦା ତଟବର୍ତ୍ତୀ ଇଲାକାର ଗାଁକୁ ଲୋକଙ୍କ ଭଲମନ୍ଦ ବୁଝିବାକୁ କିଛି ଅଧିକାରୀଙ୍କ ସହ ଚାଲିଚାଲି ଯାଇଥିଲେ । ସେଠାରେ ସେ ଜଣେ ମହିଳାଙ୍କୁ ଭେଟିଲେ, ଯିଏ କାଠ ବିକି ନିଜ ଗୁଜୁରାଣ ମେଣ୍ଟାନ୍ତି । କିଛି ସରକାରୀ ସାହାଯ୍ୟ ମିଳୁଛି କି ନାହିଁ ପଚାରିବାରୁ ମହିଳା ଜଣକ କହିଥିଲେ ସବୁ ସରକାରୀ ଯୋଜନା ତାଙ୍କ ପାଇଁ ସାତ ସପନ । ଏହାପରେ କ୍ଷୋଭ ପ୍ରକାଶ କରିବା ସହ ମହିଳାଙ୍କ ହାତରେ ନିଜ ମୋବାଇଲ ନମ୍ବର ଲେଖିଦେଇଥିଲେ । ମହିଳାଙ୍କ ପାଖରେ ମୋବାଇଲ ଅଛି କି ନାହିଁ ବୋଲି ପଚାରିଥିଲେ । ଉତ୍ତରରେ ନାଁ କହିବାରୁ କହିଥିଲେ ଗାଁର କୌଣସି ଲୋକଙ୍କୁ ଏହି ନମ୍ବର ଲଗାଇବାକୁ କହିବ ଆଉ ତୁମର ସମସ୍ୟା ବାବଦରେ କହିବ । ଆଦୌ ଡରିବ ନାହିଁ । ଫୋନ ପାଇବା ମାତ୍ରେ ଅଧିକାରୀ ଆସି ପହଞ୍ଚିବେ । ତୁମର ସମସ୍ୟା ଦୂର କରିବାକୁ ଚେଷ୍ଟା କରିବେ ।

ଏହି ଦୃଶ୍ୟ ଦେଖି ବାଟରେ ଯାଉଥିବା କିଛି ଲୋକ ଅଟକି ଯାଇଥିଲେ । ଆଉ ଏହି ଦୃଶ୍ୟକୁ ନିଜ ନିଜ ମୋବାଇଲରେ କଏଦ କରିଥିଲେ । ସାଧାରଣ ଜନତାଙ୍କ ପ୍ରତି ଜିଲ୍ଲାପାଳଙ୍କ ଏଭଳି ସହୃଦୟତାକୁ ସୋସିଆଲ ମିଡିଆରେ ଯିଏ ଦେଖିଲା ଭୂରି ପ୍ରଶଂସା କଲା ।

ସୋସିଆଲ ମିଡିଆରେ ଆଇଏଏସ୍ ବିକାଶ ମିଶ୍ରାଙ୍କ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଲୋକେ କହୁଛନ୍ତି ଆଇଏଏସ୍ ହେବ ତ ଏମିତି । ପୂର୍ବରୁ ମଧ୍ୟ ନିଜ ସେବା ମନୋବୃତ୍ତି ପାଇଁ ଅନେକ ପ୍ରଶଂସା ସାଉଁଟିଛନ୍ତି ଆଇଏଏସ୍ ବିକାଶ ମିଶ୍ରା । ସେ ଏବେ ଡିଣ୍ଡୋରୀ ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଛନ୍ତି । ଏହା ପୂର୍ବରୁ ସେ ଲୋକ ପରିସମ୍ପତି ପ୍ରବନ୍ଧ ବିଭାଗର ଉପସଚିବ ଓ ସଡକ ବିକାଶ ନିଗମର ସଞ୍ଚାଳକ ଭାବେ କାର୍ଯ୍ୟ କରିଥିଲେ ।

ସତରେ ଏ ସ୍ୱାର୍ଥ ସର୍ବସ୍ୱ ସମାଜରେ ଏବେବି କିଛି ନିସ୍ୱାର୍ଥପର ଲୋକ ବଞ୍ଚିଛନ୍ତି. ଲୋକଙ୍କ ସୁଖଦୁଃଖରେ ଛିଡା ହେଉଛନ୍ତି । ଏହା ପୂର୍ବରୁ ବି ଆପଣ କିଛି ଆଇଏସ୍ ଅଧିକାରୀଙ୍କ ଏପରି କାହାଣୀ ଶୁଣିଥିବେ ଯେଉଁମାନେ ମାଟିର ମଣିଷ ସହ ବଞ୍ଚିବାକୁ ଭଲପାଆନ୍ତି ସେମାନଙ୍କ ସମସ୍ୟା ଦୂରେଇବାକୁ ସବୁବେଳେ ତତ୍ପର ଥାନ୍ତି । ସତରେ ଏମିତି ସାହେବଙ୍କୁ ଶତ ସଲାମ୍ ।