ବାବୁ ହେବ ତ ଏମିତି ! ବ୍ରହ୍ମପୁରବାସୀଙ୍କ ପାଇଁ ସଙ୍କଟ ବେଳର ସାଥୀ ହୋଇ ଛିଡା ହେଲେ ଯୁବ ଆଇଏଏସ ଅଫିସର ଚକ୍ରବର୍ତ୍ତୀ ସିଂ ରାଠୋର, ନିଜେ ବୋହିଲେ ରିଲିଫ୍ ସାମଗ୍ରୀ

322

କନକ ବ୍ୟୁରୋ : ବାବୁ ହେବ ତ ଏମିତି । ଆମେ କହୁଛୁ ବ୍ରହ୍ମପୁର ମହାନଗର ନିଗମର କମିସନର ଚକ୍ରବର୍ତ୍ତୀ ସିଂ ରାଥୋରଙ୍କ କଥା । ଯାହାଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଆଉ ଏହି ଫଟୋ ଏବେ ତାଙ୍କୁ ଚର୍ଚ୍ଚାର ପରିସରକୁ ଟାଣି ଆଣିଛି । ତିତଲି ବାତ୍ୟା ଯୋଗୁଁ ଅଧିକ ପ୍ରଭାବିତ ହୋଇଛି ଗଞ୍ଜାମ । ବାତ୍ୟା ପରେ ପରେ ବନ୍ୟା ଆସି ଗଞ୍ଜାମବାସୀଙ୍କ ଦୁଃଖ ବଢାଇ ଦେଇଛି । ବନ୍ୟା ଘେରରେ ଥିବା ଲୋକଙ୍କ ପାଖକୁ ରିଲିଫ ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ଦିନରାତିି ଏକ କରି ଦେଇଛି । ଆଉ ଏଭଳି ସମୟରେ ବନ୍ୟା ପୀଡିତଙ୍କ ଦୁଃଖର ସାଥୀ ପାଲଟିଛନ୍ତି ଯୁବ ଆଇଏଏସ ଅଫିସର ଚକ୍ରବର୍ତ୍ତୀ ସିଂ ରାଠୋର ।

ଯୁବ ଆଇଏଏସ ଅଫିସର ଚକ୍ରବର୍ତ୍ତୀ ସିଂ ରାଠୋର । ବ୍ରହ୍ମପୁର ମହାନଗର ନିଗମର କମିଶନର ଭାବେ ମାସ କେଇଟା ହେବ ନିଯୁକ୍ତି ପାଇଛନ୍ତି । ଖୁବ କମ ଦିନ ମଧ୍ୟରେ ଜଣେ ଦକ୍ଷ ତଥା ଲୋକପ୍ରିୟ ଅଫିସର ଭାବେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରି ପାରିଛନ୍ତି ଚକ୍ରବର୍ତ୍ତୀ । କେବଳ ଏତିକି ନୁହେଁ ତିତଲି ବାତ୍ୟା ପରେ ଆସିଥିବା ବନ୍ୟା ପ୍ରଭାବିତଙ୍କ ପାଇଁ ଏବେ ସଙ୍କଟର ସାଥୀ ହୋଇ ଛିଡା ହୋଇଛନ୍ତି ଚକ୍ରବର୍ତ୍ତୀ । କେବଳ ଏସି ରୁମର ଅଫିସ ମଧ୍ୟରେ ବସି ରିଲିଫ୍ କାମର ହିସାବ ନିକାସ ନ କରି ନିଜେ ରିଲିଫ୍ ବାଣ୍ଟିବାକୁ ଆଗେଇ ଆସିଛନ୍ତି ଏହି ଯୁବ ଅଫିସର । ଅନ୍ୟ ମାନଙ୍କ ସହ ମିଶି ରିଲିଫ ସାମଗ୍ରୀ ଧରି ନିଜେ ପ୍ରଭାବିତ ଅଞ୍ଚଳରେ ପହଞ୍ଚିବା ସହ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ବାଣ୍ଟୁଛନ୍ତି ।

ସାଧାରଣତଃ ଉଚ୍ଚ ଅଧିକାରୀ ମାନେ ପ୍ରାକୃତିକ ଦୁର୍ବିପାକ ସମୟରେ କେବଳ ରିଲିଫ୍ କାମର ତଦାରଖ କରୁଥିବାର ଦେଖିବାକୁ ମିଳିଥାଏ । କିନ୍ତୁ ରିଲିଫ୍ ସାମଗ୍ରୀ ଭର୍ତ୍ତି ହୋଇଥିବା ବସ୍ତା ଓ ପଲିଥିନ ଅଫିସର ବୋହୁଥିବାର ବହୁତ କମ ଦେଖିବାକୁ ମିଳିଥାଏ । ଆଉ ସେହି ରିଲିଫ୍ ସାମଗ୍ରୀ ବୋହୁଥିବା ଅଫିସରଙ୍କ ମଧ୍ୟରେ ଚକ୍ରବର୍ତ୍ତୀ ସିଂ ରାଠୋର ମଧ୍ୟ ନିଜକୁ ସାମିଲ କରିଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଆଉ ସଙ୍କଟ ବେଳେ ସାଥୀ ହୋଇ ଛିଡା ହୋଇଥିବାରୁ ଚକ୍ରବର୍ତ୍ତୀଙ୍କୁ ବ୍ରହ୍ମପୁରବାସୀ ପ୍ରଂଶସାରେ ପୋତି ପକାଇଛନ୍ତି । ଯେଉଁ ସମୟରେ ଲୋକମାନେ ଭିନ୍ନ ଭିନ୍ନ କାରଣକୁ ନେଇ ଅଫିସରଙ୍କ ଉପରକୁ ପ୍ରଶ୍ନ ଉଠାଉଛନ୍ତି ସେହିଭଳି ସମୟରେ ଚକ୍ରବର୍ତ୍ତୀଙ୍କ କାର୍ଯ୍ୟ ସମାଲୋଚକଙ୍କ ମୁହଁରେ ତାଲା ପକାଇବାକୁ ବାଧ୍ୟ କରିଛି । ବାସ୍ତବରେ ଏଭଳି ଅଫିସରଙ୍କୁ ଶହେ ସଲାମ ।