ଲାଞ୍ଚୁଆ ବାବୁଙ୍କ ଜାମିନ ନାମଞ୍ଜୁର କଲେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ବିଜୟଙ୍କ ଜାମିନ ନେଇ କୋର୍ଟରେ ଚାଲିଲା ପ୍ରବଳ ଯୁକ୍ତିତର୍କ, ଜାଣନ୍ତୁ ସେହି ସମୟରେ କେମିତି ଥିଲା କୋର୍ଟ ଭିତରର ଦୃଶ୍ୟ ।

337

କନକ ବ୍ୟୁରୋ : ଲାଞ୍ଚ ମାମଲାରେ ଗିରଫ ହୋଇ ଜେଲରେ ଥିବା ଆଇଏଏସ୍ ବିଜୟ କେତନ ଉପାଧ୍ୟାୟଙ୍କୁ ମିଳିଲାନି ଜାମିନ । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ, ତାଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି । ଆଜି ଭିଡିଓ କନଫରେନ୍ସିଂରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହୋଇଥିଲେ ଆଇଏଏସ ବିଜୟ କେତନ ଉପାଧ୍ୟାୟ । ଆଉ ଶୁଣାଣି ସମୟରେ ଉଭୟ ପକ୍ଷ ମଧ୍ୟରେ ହୋଇଥିଲା ପ୍ରବଳ ଯୁକ୍ତି ତର୍କ । ଶୁଣାଣି ସମୟରେ ଉଭୟ ପକ୍ଷ ମଧ୍ୟରେ ଯୁକ୍ତି ପରେ ଶୁଣାଣି ଶେଷ ହୋଇଛି । ତେବେ ରାୟ ସଂରକ୍ଷିତ ରହିଛି ।

ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆଇଏଏସ ବିଜୟ କେତନ ଉପାଧ୍ୟାୟଙ୍କ ଶୁଣାଣି ସମୟରେ ଚାଲିଥାଏ ସରଗରମ ଯୁକ୍ତି । ସରକାରୀ ଓକିଲ ହେମନ୍ତ କୁମାର ସ୍ୱାଇଁ ଯୁକ୍ତି ବାଢୁଥାନ୍ତି ଯେ ବିଜୟ କେତନଙ୍କୁ ଜାମିନ ଦିଆନଯାଉ । ଆଉ ଅନ୍ୟ ପଟେ ବିଜୟ କେତନଙ୍କ ଓକିଲ ଦେବାଶିଷ ପଣ୍ଡା ଯୁକ୍ତି କରୁଥାନ୍ତି, ଯେ କାହିଁକି ମିଳିବନି ଜାମିନ ।

• ସରକାରୀ ଓକିଲ କହିଥିଲେ ବିଜୟ କେତନ ତାଙ୍କ ଆକାଉଣ୍ଟରେ ୭୨ ଲକ୍ଷରୁ ଅଧିକ ଟଙ୍କା ଜମା ରଖିଛନ୍ତି । ଏହି ଆକାଉଂଟରୁ ବିଭିନ୍ନ ସସୟରେ ଟଙ୍କା ମଧ୍ୟ ଉଠାଇଛନ୍ତି । ଅନ୍ୟପଟେ ବିଜୟ କେତନଙ୍କ ଓକିଲ କହିଥିଲେ ତାଙ୍କ ଆକାଉଣ୍ଟରେ ମାତ୍ର ୭୮ ହଜାର ଟଙ୍କା ଅଛି । ତାଙ୍କ ଆକାଉଣ୍ଟରେ ଯେଉଁ ୭୨ ଲକ୍ଷ ଟଙ୍କା କଥା କହୁଛ ତାର ପ୍ରମାଣ ଦିଅ ।

• ସେପଟେ ସରକାରୀ ଓକିଲ ପୁଣି ଯୁକ୍ତି ବାଢିଥିଲେ ଆୟକର ଦାଖଲ କରିବା ସମୟରେ ଦେଖାଇଛନ୍ତି ସରକାରୀ ଦରମା ଛଡା ତାଙ୍କର ଆଉ କିଛି ରୋଜଗାର ନାହିଁ । ତେବେ ୭୨ଲକ୍ଷରୁ ଅଧିକ ଟଙ୍କା ତାଙ୍କ ଆକାଉଣ୍ଟରେ ଆସିଲା କୁଆଡୁ ? ସେପଟେ ଏହି ଯୁକ୍ତିକୁ ଖଣ୍ଡନ କରି ବିଜୟଙ୍କ ଓକିଲ କହିଥିଲେ ଏହାର ପ୍ରମାଣ କୋର୍ଟରେ ଉପସ୍ଥାପନ କରାଯାଉ । ତାଙ୍କ ଆକାଉଣ୍ଟରେ ୭୮ ହଜାର ଟଙ୍କା ହିଁ ରହିଛି ।

• ସରକାରୀ ଓକିଲ ପୁଣି କହିଥିଲେ ବ୍ୟାଙ୍କ ଅଧିକାରୀ ପ୍ରଶାନ୍ତ ପଟ୍ଟନାୟକ ଏବଂ ଆଇଏଏସ ବିଜୟ କେତନ ଉପାଧ୍ୟାୟ କ୍ଲାସମେଟ ହୋଇଥିବାରୁ ମିଳିମିଶି ଏହି ଦୁର୍ନୀତି କରିଛନ୍ତି । ତେଣୁ ଏହି ଆଇଏଏସଙ୍କ ଜାମିନ ନାମଞ୍ଜୁର କରାଯାଉ କାରଣ ବାହାରକୁ ଗଲେ ମାମଲା ପ୍ରଭାବିତ କରିବାର ଆଶଙ୍କା ରହିଛି । ସେପଟେ ବିଜୟ କେତନଙ୍କ ଓକିଲ କହିଥିଲେ, ନିଲମ୍ବିତ ହେବା ପରେ ବିଜୟ କେତେନଙ୍କ କ୍ଷମତା କୁଆଡୁ ଆସିବ ? ସେ କିଭଳି ଭାବେ ସମ୍ପୃକ୍ତ ସାକ୍ଷୀ କିମ୍ବା ବ୍ୟକ୍ତିମାନଙ୍କୁ କିପରି ପ୍ରଭାବିତ କରିବେ ।

• ସରକାରୀ ଓକିଲଙ୍କ କହିବା ହେଲା ଇଏ ଜଣେ ପ୍ରଶାସନିକ ଅଧିକାରୀ ହୋଇ ସରକାରୀ ଟଙ୍କା ହଡପ କରିଛନ୍ତି । ତେଣୁ ସମାଜକୁ ଖରାପ ବାର୍ତା ଯିବ ଏବଂ ଚାପରେ ଛଡାଗଲା ବୋଲି କୁହାଯିବ । ତେଣୁ ଜାମିନ ନାମଞ୍ଜୁର କରାଯାଉ । ଆଇଏଏସଙ୍କ ଘରେ ରହିଛି ୧୪ଲକ୍ଷ ଟଙ୍କାର ମ୍ୟୁଜିକ ସିଷ୍ଟମ, ଟିଭି ଏବଂ ୪ଲକ୍ଷ ଟଙ୍କାର ଫ୍ରିଜ । ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଥିଲେ । ଉପୁରି ଟଙ୍କାରେ ଏହି ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଥିଲୋ । ଏହାର ଜବାବରେ ବିଜୟ କେତନ ଉପାଧ୍ୟାୟଙ୍କ ଓକିଲ ଦେବାଶିଷ ପଣ୍ଡାଙ୍କ ଯୁକ୍ତି ହେଲା, ବିଭିନ୍ନ ମଣିଷର ବିଭିନ୍ନ ସୌକ ଥାଏ । କିଏ ଜାଗା କିଣିବ, କିଏ ଗାଡି କିଣିବ, ଏହା ତା ଉପରେ ନିର୍ଭର କରେ । ତେଣୁ ଆଇଏଏସଙ୍କ ଭଲ ଘରେ ରହିବାର ଇଚ୍ଛା ଥିବାରୁ ସେ ଏହା ବନାଇଛନ୍ତି । ଏଥିରେ କଳାଧନ ବ୍ୟବହାର ହୋଇନାହିଁ । କିଛି ବ୍ୟକ୍ତି ଖାଇବେନି ପଛେ ଭଲ ଜିନିଷ କିଣିବେ, ଏହାକୁ ନେଇ ଯୁକ୍ତି କରିହେବ ନାହିଁ । ବିଜୟ କେତେନଙ୍କୁ ଜାମିନ ନାମଞ୍ଜୁର କରିବା ପାଇଁ କୋର୍ଟ ରୁମରେ ଚାଲିଥିବା ଏହି ଯୁକ୍ତିତର୍କକୁ ଲୋକେ ଉତ୍ସୁକତାର ସହ ଦେଖୁଥିଲେ ।