ଜେଲରୁ ବାହାରିଲେ ଆଇଏଏସ ବିଜୟ କେତନ । କହିଲେ ଅଦାଲତଙ୍କ ନିଷ୍ପତ୍ତି ଗ୍ରହଣ କରିବେ । ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଥିଲା ଭିଜିଲାନ୍ସ ।

246

କନକ ବ୍ୟୁରୋ : ଜେଲରୁ ବାହାରିଲେ ନିଲମ୍ବିତ ଆଇଏଏସ ବିଜୟ କେତନ ଉପାଧ୍ୟାୟ । କୋର୍ଟ ପକ୍ଷରୁ ସର୍ତ୍ତମୂଳକ ଜାମିନ ମିଳିବା ପରେ ଜେଲରୁ ମୁକୁଳିଛନ୍ତି ବିଜୟ କେତନ । ଗତକାଲି ହାଇକୋର୍ଟରୁ ତାଙ୍କୁ ଜାମିନ ମିଳିଥିବା ବେଳେ ଆଜି ଜେଲରୁ ମୁକୁଳିଛନ୍ତି ବିଜୟ । ଏପରିକିୁ ଜେଲରୁ ବାହାରିବା ବିଜୟ କେତନ କହିଛନ୍ତି, ଅଦାଲତରେ ମାମଲା ବିଚାରାଧୀନ ରହିଛି । ଅଦାଲତ ଯାହା ନିଷ୍ପତି କରିବେ ତାହାକୁ ଗ୍ରହଣ କରିବି ବୋଲି କହିଛନ୍ତି ବିଜୟ ।

ଉଦ୍ୟାନ କୃଷି ନିର୍ଦ୍ଦେଶକ ଥିବାବେଳେ ବିଜୟ ଗତ ଡିସେମ୍ବର ୩୦ରେ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । ତେବେ ତାଙ୍କ ପତ୍ନି ଏହି ଲାଞ୍ଚ ଅଭିଯୋଗକୁ ଖଣ୍ଡନ କରିଥିଲେ । ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ତାଙ୍କର ଜାମିନ ଆବେଦନ ଖାରଜ ହେବାପରେ ସେ ଗତ ୧୪ ତାରିଖ ଦିନ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗିରଫ ପରେ ପଚରା ଉଚରା ପାଇଁ ତାଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ଆଉ ଏହା ପରେ ୫ ତାରିଖ ଯାଏଁ ତାଙ୍କୁ ରିମାଣ୍ଡରେ ନେଇଥିଲା ଭିଜିଲାନ୍ସ । ତେବେ ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କର ଜାମିନ ଆବେଦନ ଖାରଜ ହୋଇଥିଲା ।

ରାଜ୍ୟ ସରକାରଙ୍କ ମୋ ସରକାର ଯୋଜନା ଆଧାରରେ ବିଭିନ୍ନ ବ୍ୟକ୍ତିଙ୍କଠାରୁ ବିଭାଗର କାର୍ୟ୍ୟକାରୀତା ନେଇ ମତାମତ ସଂଗ୍ରହ ସମୟରେ ଉଦ୍ୟାନ ବିଭାଗରେ ବ୍ୟାପକ ଲାଞ୍ଚ କାରବାର ହେଉଥିବା ସୂଚନା ଆସିଥିଲା। ଏଥିସହ ନିର୍ଦ୍ଦେଶକ ଦୁର୍ନୀତିରେ ଜଡ଼ିତ ବୋଲି ଅଭିଯୋଗ ଆସିଥିଲା। ଏହାପରେ ଉପରୋକ୍ତ ସୂଚନାକୁ ଭିଜିଲାନ୍ସ ନିର୍ଦ୍ଦେଶାଳୟକୁ ପ୍ରଦାନ କରାଯାଇ ଉପଯୁକ୍ତ ପଦକ୍ଷେପ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ବିଜୟ କେତନଙ୍କୁ ଧରିବାର ପ୍ରାୟ ୧୦ ଦିନ ପୂର୍ବରୁ ଭିଜିଲାନ୍ସ ପକ୍ଷରୁ କୃଷି ବିଭାଗ ଅଧିନସ୍ଥ ଉଦ୍ୟାନ ନିର୍ଦ୍ଦେଶାଳୟ ଉପରେ ସତର୍କ ଦୃଷ୍ଟି ରଖାଯାଇଥିଲା।