ଶାସକ ଦଳ ପାଖରେ ପ୍ରସଙ୍ଗ ନାହିଁ । ମୋ ମନ୍ତବ୍ୟକୁ ପ୍ରସଙ୍ଗ କରି ଶାସକ ଦଳ ନିଜର ଅପାରଗତାକୁ ଲୁଚାଇବାକୁ ଚେଷ୍ଟା କରୁଛି । ମୋ ମନ୍ତବ୍ୟର କୌଣସି ସ୍ଥାନରେ ଜଗନ୍ନାଥ ମହାପ୍ରଭୂଙ୍କ ନାମ ନାହିଁ

124

କନକ ବ୍ୟୁରୋ : ବିଜେଡି ପାଖରେ କୌଣସି ପ୍ରସଙ୍ଗ ନାହିଁ । କେବଳ ଲେଖାଶ୍ରୀ ହିଁ ଏକ ମାତ୍ର ପ୍ରସଙ୍ଗ । ମୋତେ ଯେଉଁମାନେ କଳାପାହାଡର ଭଉଣୀ ବୋଲି କହୁଛନ୍ତି ସେମାନେ ହିଁ ପ୍ରକୃତରେ କଳାପାହାଡ । ନିଜର ଭୂଲ ସ୍ୱିକାର ନକରି ଏମିତି କିଛି ଅଜବ ବୟାନ ଦେଇଛନ୍ତି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ।

ପିପିଲିରେ ଆଗକୁ ହେବ ଉପନିର୍ବାଚନ । ଏହି ପରିପେକ୍ଷୀରେ ବିଜେପି ଆଗୁଆ କ୍ୟାମ୍ପନିଂ ଆରମ୍ଭ କରିଛି । ଏହି କ୍ୟାମ୍ପନିଂର ମଙ୍ଗଧରିଛନ୍ତି ପୁରୀରୁ ସାଂସଦ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରା । ଏହି ଅବସରରେ ସମ୍ବିତ ପାତ୍ରାଙ୍କ ସହ ଗାଁ ଗାଁ ବୋଲି କ୍ୟାମ୍ପନିଂ କରୁଥିବା ବିଜେପିର ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର କହିଥିଲେ କି ପୁରୀକୁ ପୂର୍ବରୁ ଦେଶବାସୀ କୋଲକତାର ବୋଲି ଜାଣିଥିଲେ । ହେଲେ ସମ୍ବିତ ଭାଇ (ସମ୍ବିତ ପାତ୍ରା) ଏଠାରୁ ନିର୍ବାଚନ ଲଢିବା ପରେ ଦେଶର ଲୋକମାନେ ଜାଣିଲେ ଯେ ପୁରୀ ହେଉଛି ଓଡ଼ିଶାର ।

ଲେଖାଶ୍ରୀଙ୍କର ଏଭଳି ବୟାନ ରାଜ୍ୟର ସାଢେ ଚାରି କୋଟି ଓଡିଆଙ୍କର ଧାର୍ମିକ ଭାବନାକୁ କୁଠାରଘାତ କରିଥିଲା । ଏହାକୁ ନେଇ ବିଜେଡି ଓ କଂଗ୍ରେସ ପକ୍ଷରୁ ଲେଖାଶ୍ରୀଙ୍କ ଉପରେ ଖୁବ୍ ବର୍ଷିଥିଲେ । ବିଜେଡି ଦାବି କରିଥିଲା କି ଏଭଳି ବୟାନ ପାଇଁ ସର୍ବସାଧାରଣରେ ଲେଖାଶ୍ରୀ ଭୂଲ ମାଗନ୍ତୁ । ଏଭଳି ବିରୋଧ ଚାଲିଥିବା ବେଳେ ଆଜି ଗଣମାଧ୍ୟମ ଆଗରେ ଲେଖାଶ୍ରୀ ମୁହଁ ଖୋଲିଛନ୍ତି । ସେ କହିଛନ୍ତି କି ମୋ ମନ୍ତବ୍ୟକୁ ଗଣମାଧ୍ୟମରେ ଭୂଲ ଭାବେ ପ୍ରସାରଣ କରାଯାଉଛି । ମୁଁ ମୋ ବୟାନ ଭିତରେ କେଉଁଠି ଜଗନ୍ନାଥଙ୍କ ନାମ ନେଇ ନାହିଁ । ମୁଁ କେବଳ ପୁରୀ କଥା କହିଛି । ଆମେ ବାହାରକୁ ଗଲା ବେଳେ ଲୋକମାନେ ପୁରୀକୁ କୋଲକତାର ବୋଲି କହୁଥିବା ଆମେ ଅନେକ ଥର ଶୁଣିଛୁ । ତେଣୁ ଏହା କହିବାରେ କିଛି ଅସୁବିଧା ନାହିଁ । ଏଭଳି ବୟାନ ମୁଁ ଥରେ ନୁହେଁ ୧୦ ଥର ଦେବି ବୋଲି ଲେଖାଶ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି । ୨୦ ବର୍ଷ ଧରି ଗୋଟିଏ ସରକାର ଓଡିଶାରେ ଶାସନ କରୁଛି । ହେଲେ ଏହି ୨୦ ବର୍ଷ ଭିତରେ ରାଜ୍ୟର ବିକାଶ ୨୦ ବର୍ଷ ଆଗକୁ ଯିବା ପରିବର୍ତ୍ତେ ୨୦ ବର୍ଷ ପଛକୁ ନେଇ ଯାଇଛନ୍ତି । ମୋ କହିବାର ଅର୍ଥ ରାଜ୍ୟ ସରକାର ୨୦ ବର୍ଷ ମଧ୍ୟରେ ପୁରୀକୁ କାହିଁକି ବିଶ୍ୱ ପ୍ରସିଦ୍ଧ କରିପାରିଲେ ନାହିଁ । ଏଭଳି ପ୍ରଶ୍ନ ଉଠାଇବା ଦ୍ୱାରା ବିଜେଡିକୁ ଖୁବ୍ ବାଧିଛି । ତେଣୁ ସେମାନେ ଏହାକୁ ଏକ ପ୍ରସଙ୍ଗ କରି ମୋତେ ଓ ମୋ ଦଳକୁ ବଦନାମ୍ କରିବାକୁ ଚାହୁଁଛନ୍ତି ।