ବାୟୁବୀର ଅଭିନନ୍ଦନଙ୍କୁ ମିଳିଲା ବୀରଚକ୍ର ସମ୍ମାନ । ଆକାଶପଥରେ ଶତ୍ରୁ ଦେଶର ଲଢୁଆ ବିମାନ ଏଫ-୧୬କୁ ଧ୍ୱଂସ କରିଥିଲେ ଅଭିନନ୍ଦନ ।

261

କନକ ବ୍ୟୁରୋ : ବାୟୁବୀର ତଥା ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ଆଜି ସମ୍ମାନଜନକ ବୀର ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଅଭିନନ୍ଦନଙ୍କୁ ବୀର ଚକ୍ରରେ ସମ୍ମାନିତ କରିଛନ୍ତି । ବାଲାକୋଟ ଏୟାରଷ୍ଟ୍ରାଇକର ହିରୋ ଅଭିନନ୍ଦନଙ୍କୁ ଦେଶରେ କିଏ ବା ନଜାଣିଛି । ଶତ୍ରୁ ସୀମାରେ ପଶି ଶତ୍ରୁ ଦେଶର ଯୁଦ୍ଧ ବିମାନକୁ ଆକାଶ ପଥରେ ନଷ୍ଟ କରି ପୂରା ଦେଶବାସୀଙ୍କ ମନ ଜିଣିଥିଲେ ଅଭିନନ୍ଦନ । ପାକିସ୍ତାନର ଲଢୁଆ ଯୁଦ୍ଧ ବିମାନ ଏଫ-୧୬କୁ ଆକାଶପଥରେ ଟାର୍ଗେଟ କରି ଭାରତର ସୁରକ୍ଷାକବଚ ସାଜି ଛିଡା ହୋଇଥିଲେ ଅଭିନନ୍ଦନ ।

୧୪ ଫେବ୍ରୁଆରୀ ୨୦୧୯ରେ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈସ-ଏ-ମହମ୍ମଦର ଆତଙ୍କବାଦୀ ମାନେ ପୁଲୱାମାରେ ସେନା ଯବାନଙ୍କ ଗାଡି ଉପରେ ଆତ୍ମଘାତୀ ଆକ୍ରମଣ କରିଥିଲେ । ଆଉ ଏହି ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଥିଲେ । ପୂରା ଦେଶ ପ୍ରତିଶୋଧର ନିଆଁରେ ଜଳୁଥିଲା । ଆଉ ଏହାକୁ ପୂରା କରିଥିଲେ ଦେଶର ବୀର ଯବାନ । ୨୬ ଓ ୨୭ ଫେବ୍ରୁଆରୀ ରାତିରେ ପାକିସ୍ତାନର ବାଲାକୋଟରେ ଥିବା ଆତଙ୍କବାଦୀଙ୍କ ଆଡ୍ଡା ଉପରେ ହେଲା ରାତି ଅଧିଆ ଏୟାରଷ୍ଟ୍ରାଇକ । ଆକାଶପଥରୁ ଭାରତୀୟ ବାୟୁସେନାର ଏଭଳି ଅଚାନକ ଆକ୍ରମଣ ବାବଦରେ ଅନ୍ଦାଜ ଲଗାଇବା ଶତ୍ରୁଙ୍କ ପକ୍ଷେ ସମ୍ଭବ ନଥିଲା । ଆକାଶପଥରୁ ମିସାଇଲ ମାଡ ଓ ବୋମା ବର୍ଷଣ କରି ଆତଙ୍କୀ ଶିବିରକୁ ଧ୍ୱସ୍ତବିଧ୍ୱସ୍ତ କରିଥିଲେ ଭାରତୀୟ ବାୟୁବୀର । ଆଉ ଭାରତୀୟ ବାୟୁସେନାର ଏହି ଏୟାରଷ୍ଟ୍ରାଇକରେ ପାଖାପାଖି ୩୦୦ ଆତଙ୍କବାଦୀ ନିପାତ ହୋଇଥିଲେ । ସକାଳୁ ବଦଳି ଯାଇଥିଲା ଶତ୍ରୁ ଶିବିରର ନକ୍ସା । ଚାରିଆଡେ ଆତଙ୍କବାଦୀଙ୍କ ମୃତଦେହ ପଡି ରହିଥିଲା, ଭଙ୍ଗା କୋଠା ଏୟାରଷ୍ଟ୍ରାଇକର ସାକ୍ଷୀ ସାଜିଥିଲା ।

ବାଲାକୋଟରେ ଭାରତୀୟ ବାୟୁସେନାର ଏୟାଷ୍ଟ୍ରାଇକର ଗୋଟିଏ ଦିନ ପରେ ୨୭ ଫେବ୍ରୁଆରୀରେ ପାକିସ୍ତାନ ବାୟୁସେନାର ଲଢୁଆ ବିମାନ ଭାରତ ସୀମା ଭିତରକୁ ପଶିବାକୁ ଚେଷ୍ଟା କରିଥିଲା । କିନ୍ତୁ ଆଗରୁ ସତର୍କ ଥିବା ଭାରତୀୟ ବାୟୁସେନା ଏହାର କଡା ଜବାବ ଦେଇଥିଲା । ଆକାଶପଥରେ ପାକିସ୍ତାନ ଯୁଦ୍ଧ ବିମାନକୁ ଟାର୍ଗେଟ କରିବା ଆରମ୍ଭ କରିଥିଲା ଭାରତୀୟ ବାୟୁସେନା । ଆଉ ଏହି ଅଭିଯାନରେ ସାମିଲ ଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ । ମିଗ-୨୧ ଯୁଦ୍ଧ ବିମାନକୁ ଧରି ଅଭିନନ୍ଦନ ଆକାଶପଥରେ ପାକିସ୍ତାନର ଏଫ-୧୬ ଲଢୁଆ ଯୁଦ୍ଧ ବିମାନ ସହ ମୁକାବିଲା କରୁଥିଲେ । ଏପରିକି ଏଫ-୧୬କୁ ଆକାଶପଥରେ ଟାର୍ଗେଟ କରିବାରେ ସଫଳ ମଧ୍ୟ ହୋଇଥିଲେ ଅଭିନନ୍ଦନ । କିନ୍ତୁ ଏହି ଲଢେଇ କରୁ କରୁ କେତେବେଳେ ଯେ ଶତ୍ରୁ ଦେଶର ସୀମାକୁ ପାର କରିଯାଇଥିଲେ ତାହା ଜାଣିପାରିନଥିଲେ ଅଭିନନ୍ଦନ । ଆଉ ପାକିସ୍ତାନ ସୀମା ପାର କରିବା ମାତ୍ରେ ଅଭିନନ୍ଦନଙ୍କ ବିମାନ ଉପରକୁ ରକେଟ ମାଡ ହୋଇଥିଲା । ପାକିସ୍ତାନ ସୀମାରେ ହିଁ ଅଭିନନ୍ଦନଙ୍କ ବିମାନ କ୍ରାସ ହୋଇ ଯାଇଥିଲା । କିନ୍ତୁ କ୍ରାସ ହେବା ପୂର୍ବରୁ ବୁଦ୍ଧି ଖଟାଇ ତଳକୁ ଖସି ପଡିଥିଲେ ଅଭିନନ୍ଦନ । ଆଉ ପାକିସ୍ତାନରେ ବନ୍ଦୀ କରାଯାଇଥିଲା । ପାଖାପାଖି ୩ ଦିନ ଅଭିନନ୍ଦନଙ୍କୁ ବନ୍ଦୀ ରଖିବା ପରେ ଭାରତ ଲଗାତାର ଚାପ ପକାଇ ବାୟୁବୀର ଅଭିନନ୍ଦନଙ୍କୁ ମୁକୁଳାଇ ଆଣିବାରେ ସମର୍ଥ ହୋଇଥିଲା ।

ମିଗ-୧୬ ବିମାନରେ ଶତ୍ରୁ ଦେଶର ଏଫ-୧୬ ବିମାନକୁ ଧ୍ୱଂସ କରିଥିବା କାରଣରୁ ପୂରା ବିଶ୍ୱରେ ଅଭିନନ୍ଦନଙ୍କ ପ୍ରଂଶସା ଶୁଣିବାକୁ ମିଳିଲା । କାରଣ ଏଫ-୧୬ ବିମାନ ଏକ ଅତ୍ୟାଧୁନିକ ଯୁଦ୍ଧ ବିମାନ ହୋଇଥିବା ବେଳେ ମିଗ-୨୧ ୬୦ ବର୍ଷ ତଳ ପୁରୁଣା ଯୁଦ୍ଧ ବିମାନ ଥିଲା । ଆଉ ଏହି ମିଗ୍-୨୧କୁ ସାଥୀ କରି ଶତ୍ରୁ ଦେଶର ଲଢୁଆ ବିମାନ ନଷ୍ଟ କରିଥିବାରୁ ଅଭିନନ୍ଦନଙ୍କୁ ବୀର ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଛି ।