ବାୟୁସେନାକୁ ବାଏ ବାଏ କହିବ ଲଢୁଆ ବିମାନ ମିଗ୍-୨୧  । କେବେ ଏହି ବିମାନ ଉଡ଼ାଇ ପାକିସ୍ତାନର ଏଫ୍-୧୬ ମାରି ଗଡ଼ାଇଥିଲେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ

151

ମିଗ୍-୨୧ ସ୍କ୍ୱାଡର୍ନ ସ୍କ୍ୱଡ୍ ଆର୍ମସ୍ କୁ ଅବସର ଦେବା ପାଇଁ ପ୍ରସ୍ତୁତ ହେଲାଣି ଭାରତୀୟ ବାୟୁସେନା । ୨୦୧୯ ଫେବୃୟାରୀରେ ବାଲାକୋଟ୍ ଷ୍ଟ୍ରାଇକ୍ ସମୟରେ ଚର୍ଚ୍ଚାରେ ରହିଥିଲା ଏହି ବିମାନ । ଷ୍ଟ୍ରାଇକର ଗୋଟିଏ ଦିନ ପରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ପାକିସ୍ତାନର ଏଫ୍-୧୬ ବିମାନକୁ ମାରି ଗଡ଼ାଇଥିଲେ । ସେହି ସମୟରେ ସେ ମିଗ୍-୨୧ ବିମାନ ଉଡ଼ାଉଥିଲେ । ପିଟିଆଇ ରିପୋର୍ଟ ମୁତାବକ , ଏହି ବିମାନ ବାୟୁସେନାର ୪ ସ୍କ୍ୱାଡର୍ନ ଭିତରୁ ଗୋଟିଏ । ସୂଚନା ମୁତାବକ , ଶ୍ରୀନଗରରେ ଥିବା ମିଗ୍-୨୧ କୁ ସେପ୍ଟେମ୍ବର ଶେଷ ବେଳକୁ ଅବସର ଦିଆଯିବ । ବଳକା ୩ ସ୍କ୍ୱାଡର୍ନକୁ ୨୦୨୫ ଶେଷବେଳକୁ ସେନାରୁ ହଟାଇ ଦିଆଯିବ । ଭାରତୀୟ ବାୟୁସେନାର ଏହି ଲଢୁଆ ଜେଟ୍ ପୁଲୱାମା ଆତଙ୍କୀ ଆକ୍ରମଣର ୨ ସପ୍ତାହ ପରେ ବାଲାକୋଟରେ ଜୈସ୍-ଏ-ମହମ୍ମଦ ଆତଙ୍କୀ ଟ୍ରେନିଂ କ୍ୟାମ୍ପ ଉପରେ ବୋମା ବିସ୍ଫୋରଣ କରାଇଥିଲା  ।

ସେହି ସମୟରେ ମିଗ୍-୨୧ କୁ ଚଲାଉଥିଲେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ । ଉକ୍ତ ଲଢୁଆ ବିମାନରେ ସେ ପାକିସ୍ତାନର ଏଫ୍-୧୬ କୁ ମାରି ଗଡ଼ାଇଥିଲେ । କିନ୍ତୁ ସେହି ସମୟରେ ଅଭିନନ୍ଦନଙ୍କ ବିମାନ ପାକିସ୍ତାନ ସୀମାରେ କ୍ରାସ୍ ହୋଇଯାଇଥିଲା ଏବଂ ସେ ପାକ୍ ସେନା ଦ୍ୱାରା ବନ୍ଦୀ ହୋଇଯାଇଥିଲେ । ଭାରତର ଚାପରେ ପାଖାପାଖି ୬୦ ଘଣ୍ଟା ପରେ ଅଭିନନ୍ଦନ ପାକିସ୍ତାନରୁ ଭାରତକୁ ଫେରିଥିଲେ । ଏହି ଅଦମ୍ୟ ସାହସ ପାଇଁ ତାଙ୍କୁ ସ୍ୱାଧୀନତା ଦିବସ ଅବସରରେ ବୀର ଚକ୍ରରେ ସମ୍ମାନିତ କରାଯାଇଥିଲା ।

ଆପଣଙ୍କୁ କହିରଖୁଛୁ , ମିଗ୍-୨୧ ଜେଟ୍ କୁ ୪୦ ବର୍ଷ ପୂର୍ବେ ବାୟୁସେନାରେ ସାମିଲ୍ କରାଯାଇଥିଲା । ଏଥିମଧ୍ୟରୁ ଅନେକ ବିମାନ ଏ ପର୍ଯ୍ୟନ୍ତ ଦୁର୍ଘଟଣାଗ୍ରସ୍ତ ହୋଇସାରିଲେଣି ।