ହିଂସା ଓ ରକ୍ତପାତ ଭିତରେ କାବୁଲରୁ ସୁରକ୍ଷିତ ଫେରିଲେ ଭାରତୀୟ । ପ୍ରଥମ ଦଫାରେ ୧୨୦ ଜଣଙ୍କୁ ଧରି ଗୁଜରାଟ ଜାମନଗରରେ ପହଞ୍ଚିିଲା ସି-୧୭ ଗ୍ଲୋବମାଷ୍ଟର ।

122

କନକ ବ୍ୟୁରୋ: ଭୟ ଓ ଆଶଙ୍କା ଭିତରେ ସୁରକ୍ଷିତ ଭାବେ କାବୁଲରୁ ପ୍ରଥମ ଦଫାରେ ଫେରିଛନ୍ତି ଭାରତୀୟ ରାଷ୍ଟ୍ରଦୂତ ସମେତ ୧୨୦ ଭାରତୀୟ । ଏଥିରେ ଅଛନ୍ତି ଆଇଟିବିପି ଯବାନଙ୍କ ସହ କାବୁଲରେ ଥିବା ଭାରତୀୟ ଦୂତାବାସର ଅଧିକାରୀ ଓ କର୍ମଚାରୀ । ପ୍ରତିକୂଳ ସ୍ଥିତିରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭାରତ ଫେରିବା ପରେ ସେମାନଙ୍କ ମଧ୍ୟରେ ଖୁସିର ଲହରି ଖେଳାଯାଇଛି ।

ଗୁଜରାଟ ଜାମନଗର ବିମାନବନ୍ଦରରେ ବାୟୁସେନା ବିମାନର ଫେରନ୍ତା ଦୃଶ୍ୟ କୋଟିକୋଟି ଭାରତୀୟଙ୍କ ମନରେ ଆଶ୍ୱସ୍ତି ଆଣିଦେଇଛି । କାରଣ ତାଲିବାନର ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଚାଲିଯାଇଥିବା ଆଫଗାନିସ୍ତାନର କାବୁଲରୁ ଭାରତୀୟମାନେ ସୁରକ୍ଷିତ ଫେରିଆସିଛନ୍ତି । ସେମାନଙ୍କୁ ଫୁଲମାଳ ପକାଇ ଭବ୍ୟ ସ୍ୱାଗତ କରାଯାଇଛି । ଭାରତୀୟ ବାୟୁସେନାର ଦୁଇଟି ଏଫ-୧୭ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟରେ ସ୍ୱଦେଶ ଫେରୁଛନ୍ତି ପ୍ରାୟ ୫ଶହ ଭାରତୀୟ । ପ୍ରଥମ ଦଫାରେ ୧୨୦ ଜଣଙ୍କୁ ଧରି ଗୁଜରାଟ ଜାମନଗରରେ ପହଞ୍ଚିଥିଲା ଏହି ବିମାନ । ଏଥିରେ ଅଛନ୍ତି ଆଇଟିବିପି ଯବାନଙ୍କ ସହ କାବୁଲରେ ଥିବା ଭାରତୀୟ ଦୂତାବାସର ଅଧିକାରୀ ଓ କର୍ମଚାରୀ । ବାୟୁସେନାର ଏହି ସ୍ୱତନ୍ତ୍ର ବିମାନରେ ଭାରତ ଫେରିଛନ୍ତି ଆଫଗାନିସ୍ତାନରେ ଅବସ୍ଥାପିତ ରାଷ୍ଟ୍ରଦୂତ ରୁଦେନ୍ଦ୍ର ଟଣ୍ଡନ ।

ଭାରତ ମାତାର ଜୟ ଜୟକାର କରି ଲୋକମାନେ ଆଫଗାନିସ୍ତାନରୁ ସୁରକ୍ଷିତର ସହ ଫେରିଆସିଛନ୍ତି । ତାଲିବାନ କବଜାରେ କାବୁଲ ଥିବା ସତ୍ତେ୍ୱ ଏମାନେ ଭାରତ ସରକାରଙ୍କ ପ୍ରୟାସରେ ସ୍ୱଦେଶ ଫେରି ପାରିଥିବାରୁ ବେଶ ଖୁସି ଅନୁଭବ କରୁଥିବା କହିଛନ୍ତି । ପରିସ୍ଥିତି ଖରାପ ଥିବାରୁ ବର୍ତମାନ କାବୁଲକୁ ଏୟାର ଇଣ୍ଡିଆର ବ୍ୟବସାୟିକ ଉଡାଣ ବନ୍ଦ ଅଛି । କିନ୍ତୁ ପରିସ୍ଥିତି ସୁଧୁରିଲେ ବିମାନ ସେବା ଆରମ୍ଭ ହେବ ବୋଲି କହିଛନ୍ତି ଭାରତୀୟ ରାଷ୍ଟ୍ରଦୂତ । କାରଣ ସେଠାରେ ଆଉକିଛି ଭାରତୀୟ ଫସି ରହିଛନ୍ତି ।

କାବୁଲରୁ ଆସି ଗୁରଜାଟ ଜାମନଗରରେ ପହଞ୍ଚିିଥିବା ସି-୧୭ ଗ୍ଲୋବମାଷ୍ଟର ପୁଣି ଗାଜିଆବାଦର ହିଣ୍ଡନ ଏୟାରବେସରେ ପହଞ୍ଚିିଛି । ଯାତ୍ରୀମାନଙ୍କୁ କିଛି ସମୟ ବିଶ୍ରାମ କରାଇବା ପାଇଁ ବିମାନଟି ଜାମନଗରରେ ଅବତରଣ କରିଥିଲା । ତେବେ ଦେଶଛାଡି ଚାଲିଯିବାକୁ ଚାହୁଁଥିବା ହଜାର ହଜାର ଆଫଗାନବାସୀଙ୍କ ଭିଡ ଭିତରୁ ଏହି ବିମାନକୁ ସ୍ୱଦେଶ ଆଣିବା ଏକ ବଡ ଆହ୍ୱାନ ଥିଲା । ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲେଂକିନଙ୍କ ସହ କଥାହୋଇ ଏମାନଙ୍କୁ ବିମାନବନ୍ଦର ଯାଏଁ ପହଞ୍ଚାଇବାର ବନ୍ଦୋବସ୍ତ କରିଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ।