ବୀର ସ୍ୱାମୀଙ୍କ ବୀରାଙ୍ଗନା ପତ୍ନୀ ! ଆଖିରେ ଲୁହ ଓ ଛାତିରେ କୋହ ଚାପି ସେନା ପୋଷାକ ପିନ୍ଧି ସ୍କ୍ୱାର୍ଡନ ଲିଡର ସିଦ୍ଧାର୍ଥ ବଶିଷ୍ଠଙ୍କୁ ଶେଷ ସମ୍ମାନ ଜଣାଇଲେ ପତ୍ନୀ ଆରତୀ ସିଂ ।

489

କନକ ବ୍ୟୁରୋ : ବୀର ସ୍ୱାମୀଙ୍କ ବୀରାଙ୍ଗନା ପତ୍ନୀ । ଶେଷ ସମ୍ମାନ ଜଣାଇବାକୁ କଫିନ ଆଗରେ ବାୟୁସେନାର ପୋଷକ ପିନ୍ଧି ଦୃଢତାର ସହ ଠିଆ ହୋଇ ରହିଥିଲେ ପତ୍ନୀ ସ୍କ୍ୱାର୍ଡନ ଲିଡର ଆରତୀ ସିଂ । ସ୍ୱାମୀ ସ୍କ୍ୱାର୍ଡନ ଲିଡର ସିଦ୍ଧାର୍ଥ ବଶିଷ୍ଠଙ୍କର ହେଲିକପ୍ଟର ଦୁର୍ଘଟଣାରେ ସହିଦ ହେବା ପରେ ତାଙ୍କ ଶେଷକୃତ୍ୟ ସମୟର ଦୃଶ୍ୟ ବେଶ ଭାବବିହ୍ୱଳ ପରିବେଶ ସୃଷ୍ଟି କରିଥିଲା ।

ଆଖି ସାମ୍ନାରେ ରହିଥିଲା ସ୍ୱାମୀଙ୍କ ମର ଶରୀର । ଆଉ ଛାତିରେ ତ୍ରିରଙ୍ଗାକୁ ଚାପି ଧରି ଦୃଢତାର ସହ ଠିଆ ହୋଇ ରହିଥିଲେ ବାୟୁସେନାର ପାଇଲଟ ସ୍କ୍ୱାର୍ଡନ ଲିଡର ଆରତୀ ସିଂ । ଆମେ କହୁଛୁ ହେଲିକପ୍ଟର ଦୁର୍ଘଟଣାରେ ସହିଦ ହୋଇଥିବା ସ୍କ୍ୱାର୍ଡନ ଲିଡର ସିଦ୍ଧାର୍ଥ ବଶିଷ୍ଠଙ୍କ ଶେଷ କୃତ୍ୟ ସମୟର କଥା । ଗୋଟିଏ ପଟେ ଓି୍ୱଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ସାରା ଦେଶ ଅପେକ୍ଷା କରିଥିବା ବେଳେ ଅନ୍ୟପଟେ ଦେଶର ଅନ୍ୟତମ ବୀରଙ୍କୁ ସାମରିକ ସମ୍ମାନର ସହ ଶେଷ ବିଦାୟ ଦିଆଯାଉଥିଲା ।

ଫେବୃଆରୀ ୨୮ ତାରିଖରେ ଜମ୍ମୁ କାଶ୍ମୀର ବଡଗାମରେ ବାୟୁସେନାର ହେଲିକପ୍ଟର ଦୁର୍ଘଟଣାରେ ସ୍କ୍ୱାର୍ଡନ ଲିଡର ସିଦ୍ଧାର୍ଥଙ୍କ ସମେତ ୫ ଜଣ ବାୟୁସେନା ଅଧିକାରୀ ସହିଦ ହୋଇଛନ୍ତି । ଏପରି କି ଏହି ଦୁର୍ଘଟଣାରେ ଜଣେ ସାଧାରଣ ଲୋକଙ୍କର ମଧ୍ୟ ପ୍ରାଣହାନୀ ଘଟିଛି । ସ୍ୱତନ୍ତ୍ର ବିମାନରେ ସିଦ୍ଧାର୍ଥଙ୍କ ପାର୍ଥିବ ଶରୀରକୁ ଚଣ୍ଡିଗଡ ଅଣାଯାଇଥିଲା । ଏଠାରେ ପୂର୍ଣ୍ଣ ସାମରିକ ସମ୍ମାନ ସହ ଶେଷ ସଂସ୍କାର କରାଯାଇଥିଲା । ସ୍ୱାମୀଙ୍କୁ ବିଦାୟ ଦେବା ଅବସରରେ ସେନା ପୋଷାକରେ ଠିଆ ହୋଇଥିବା ଆରତୀଙ୍କ ଦୃଶ୍ୟ ବେଶ ଭାବୁକ ପରିବେଶ ସୃଷ୍ଟି କରିଥିଲା । ତୋପ ସଲାମୀ ପରେ ମୁଖାଗ୍ନୀ ଦେଇଥିଲେ ତାଙ୍କ ବାପା ଜଗଦିଶ କଶଲ । ସଶସ୍ତ୍ର ସେନାରେ କାମ କରିବାରେ ସିଦ୍ଧାର୍ଥ ବଶିଷ୍ଠ ହେଉଛନ୍ତି ତାଙ୍କ ପରିବାର ଚତୁର୍ଥ ପୀଢୀ । ୨୦୧୦ରେ ସେ ବାୟୁସେନାରେ ସାମିଲ ହୋଇଥିଲେ ।