ମଧ୍ୟପ୍ରଦେଶ ଭିଣ୍ଡରେ ବାୟୁ ସେନା ବିମାନ ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ପାଇଲଟ ।

77

କନକ ବ୍ୟୁରୋ: ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲା ଭରୌଲିରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡିଛି ବାୟୁସେନା ବିମାନ ।ହେଲେ ଅଳ୍ପକେ ବତ୍ତି ଯାଇଛନ୍ତି ପାଇଲଟ । ଖବର ପାଇ ଭିଣ୍ଡ ପୋଲିସ ଅଧିକାରୀମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ପାଇଲଟଙ୍କୁ ଚିକିତ୍ସା ପାଇଁ ପଠାଇବା ସହ ଘଟଣାର ଯାଞ୍ଚ ଆରମ୍ଭ କରିଛନ୍ତି ।

 

ସୂଚନା ମୁତାବକ, ଏହା ଏକ ସିଙ୍ଗଲ ପାଇଲଟ ବିମାନ ଥିଲା । ଅଭ୍ୟାସ କରିବା ପାଇଁ ଏହା ଗ୍ୱାଲିଅରରୁ ଉଡାଣ ଆରମ୍ଭ କରିଥିଲା । ସେଠାରୁ ୮୦ କିଲୋମିଟର ଯିବା ପରେ ଏଥିରେ ଯାନ୍ତ୍ରୀକ ତ୍ରୁଟି ଦେଖାଯାଇଥିଲା । ଫଳରେ ବିମାନଟିରେ ନିଆଁ ଲାଗିବାରୁ ଭରୌଲିଠାରେ ଖସିପଡିଥିଲା । ଏଥିରେ ଥିବା ଫ୍ଲାଇଟ୍ ଲେପ୍ଟେନାଣ୍ଟ ଅଭିଳାଷଙ୍କୁ ସଂଜ୍ଞାହୀନ ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲା ।

ତେବେ ଏହି ସ୍ଥାନରେ ହିଁ ଗତ ୪ ବର୍ଷ ମଧ୍ୟରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ ହେବାରେ ଏହା ତୃତୀୟ ଘଟଣା । ଏହା ପୂର୍ବରୁ ଅଗଷ୍ଟ ୩ ଏବଂ ଅଗଷ୍ଟ ୨୫ରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ପାଇଲଟଙ୍କ ଜୀବନ ବଞ୍ଚିଯାଇଥିଲା। ଅଗଷ୍ଟ ୩ରେ ଜମ୍ମୁ-କଶ୍ମୀର କାଠୁଆରେ ଥିବା ରଞ୍ଜିତ ସାଗର ଡ୍ୟାମ ନିକଟରେ ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହା ପରେ ଅଗଷ୍ଟ ୨୫ରେ  ରାଜସ୍ଥାନର ବାରମେରଠାରେ ଭାରତୀୟ ବାୟୁସେନାର ଏକ ମିଗ୍-୨୧ ବିସନ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ବିମାନରେ ଥିବା ପାଇଲଟ୍ ଅଳ୍ପକେ ବର୍ତ୍ତି ଯାଇଥିଲେ ।