ବାୟୁସେନାର ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ । ପ୍ରାଣ ହରାଇଲେ ୨ ପାଇଲଟ, ଶୋକବ୍ୟକ୍ତ କଲେ ପ୍ରତିରକ୍ଷା ମନ୍ତ୍ରୀ ।

111

କନକ ବ୍ୟୁରୋ : ତେଲେଙ୍ଗାନାରେ ବାୟୁସେନାର ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ । ଯେଉଁଥିରେ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି । ଏନେଇ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି । ଭାରତୀୟ ବାୟୁସେନାର ଅଧିକାରୀଙ୍କ ସୂଚନା ଅନୁଯାୟୀ, ସକାଳ ୮ଟା ୫୫ରେ ତେଲେଙ୍ଗାନାର ଡେଣ୍ଡିଗୁଲରେ ଏହି ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ପ୍ରାଣ ହରାଇଥିବା ଦୁଇ ପାଇଲଟଙ୍କ ମଧ୍ୟରେ ଜଣେ ପ୍ରଶିକ୍ଷକ ଓ ଜଣେ ବାୟୁସେନାର କ୍ୟାଡେଟ ଥିଲେ । ନିୟମିତ ଟ୍ରେନିଂ ଉଡାଣ ଭରୁଥିବା ବେଳେ ହିଁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହେବା ଘଟଣାରେ ଦୁଃଖପ୍ରକାଶ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଦୁଇ ପାଇଲଟଙ୍କ ମୃତ୍ୟୁକୁ ନେଇ ଅଧିକ ଦୁଃଖୀ ଥିବା କଥା କହିଛନ୍ତି ରାଜନାଥ । ଏହାସହ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଦୁର୍ଘଟଣା ପରେ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ସେହିଭଳି ଏୟାରକ୍ରାଫ୍ଟଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ସମ୍ପୂର୍ଣ୍ଣ ଜଳିଯାଇଛି । ଏହି ପିଲାଟସ ଏୟାରକ୍ରାପ୍ଟ ଜରିଆରେ ବାୟୁସେନାର ପାଇଲଟଙ୍କୁ ଟ୍ରେନିଂ ଦିଆଯାଇଥାଏ ।