ତାଗିଦ ପରେ ନରମି ଗଲା ତାରାଙ୍କ ସ୍ୱର । ଚେଲ୍ଲାକୁମାରଙ୍କ ଆଲୋଚନା ପରେ କଂଗ୍ରେସରେ ସବୁକିଛି ହେବ କି ସ୍ୱାଭାବିକ ? ବିଦ୍ରୋହୀ ନେତାଙ୍କୁ ଗୋଟିଏ ଟେବୁଲକୁ ଆଣି ଏକତାର ବାର୍ତ୍ତା ଦେଲେ ପ୍ରଭାରୀ ।

171

କନକ ବ୍ୟୁରୋ : ପ୍ରଦେଶ କଂଗ୍ରେସରେ ବିଦ୍ରୋହର ସ୍ୱର ଉଠାଇଥିବା ବିଧାୟକ ତାରାପ୍ରସାଦ ବାହିନୀପତି ନରମି ଯାଇଛନ୍ତି । ଗଣମାଧ୍ୟମ ଆଗରେ ନିଜ ମତ ବଦଳାଇ କହିଛନ୍ତି, ପିସିସି ସଭାପତି ବଡ ଭାଇ ଭଳି, ତାଙ୍କ ନେତୃତ୍ୱରେ ଦଳ ଆଗକୁ କାମ କରିବ । ତେବେ ପୂର୍ବରୁ ନୋ କମ୍ପ୍ରୋମାଇଜ୍ ମୁଡରେ ଥିବା ତାରାଙ୍କ ଏହି ହଠାତ୍ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ମୁଡ୍ ବଦଳିଲା ମନ୍ତବ୍ୟ ବଦଳିଲା । ରାଜ୍ୟ ପ୍ରଦେଶ କଂଗ୍ରେସ ପ୍ରଭାରୀ ଏ ଚେଲ୍ଲା କୁମାର ଓଡ଼ିଶା ପହଞ୍ଚିବା ପୂର୍ବରୁ ନରମିଗଲା ତାରାଙ୍କ ସ୍ୱର । କଂଗ୍ରେସ ନେତାଙ୍କ ଭିତରେ ପଡିଲା ପ୍ୟାଚ୍ । ଦିନେ ନୋ କମ୍ପ୍ରୋମାଇଜ୍ କଥା କହୁଥିବା ଜୟପୁର ବିଧାୟକ ତାରା, ପିପିସି ସଭାପତି ଓ ଦଳ ଉପରେ ଆଭିମୁଖ୍ୟ ବଦଳାଇଛନ୍ତି ।

ପିସିସି ପ୍ରଭାରୀଙ୍କ ୱାନ ଟୁ ୱାନ ଆଲୋଚନା । ଅସନ୍ତୁଷ୍ଟ ଓ ଅମାନିଆ ନେତାଙ୍କ କଥା ଶୁଣିଲେ ଓ ଶୁଣାଇଲେ । ପ୍ରଭାରୀ ଚେଲ୍ଲା କୁମାର ଓଡ଼ିଶା ପହଞ୍ଚିବା ପୂର୍ବରୁ ତାରାଙ୍କ ସହ ଫୋନ ଯୋଗେ ଆଲୋଚନା କରିଥିଲେ । ତା ପରେ ତୁଟିଥିଲା କଂଗ୍ରେସ ନେତାଙ୍କ କଳି । ଶେଷରେ ନିଜ ଭୁଲ ଗଣମାଧ୍ୟମ ଆଗରେ ସ୍ୱୀକାର କରି ସ୍ୱର ନରମ କରିବା ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ବଡଭାଇ ବୋଲି କହିଛନ୍ତି ତାରା । ସେମାନେ ଗୋଟିଏ ପରିବାର ଏବଂ ତାଙ୍କୁ ଅଯୋଗ୍ୟ କହିବାର ନଥିଲା ବୋଲି କହିଛନ୍ତି । ଏହାରି ଭିତରେ ପ୍ରଭାରୀ କହିଛନ୍ତି ତାରା ନିଜ ଭୁଲ ମାନିଥିବାରୁ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ନାହିଁ । ଦଳରେ ବ୍ଲାକମେଲର ରାଜନୀତି ଚଳିବ ନାହିଁ ।

୪ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଭାରୀ, ପିସିସି ସଭାପତି ଓ ତାରାଙ୍କ ମଧ୍ୟରେ ପ୍ୟାଚ୍ ପକାଇବା ପରେ ଏବେ ଏକ ଘରୋଇ ହୋଟେଲରେ ଦଳର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ସମେତ ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା ଆଦି ଜିଲ୍ଲାର ଜିଲ୍ଲା ସଭାପତିମାନଙ୍କୁ ଡାକି ଆଲୋଚନା କରିଛନ୍ତି । ଜିଲ୍ଲା ସଭାପତିମାନଙ୍କ ସହ ତାରାଙ୍କ ମଧ୍ୟରେ ରହୁଥିବା ମତ ପାର୍ଥକ୍ୟର ସମାଧାନ କରିବାକୁ ଚେଷ୍ଟା କରିଛନ୍ତି ।

ବୈଠକ ପୂର୍ବରୁ ପ୍ରଭାରୀ ନେତାଙ୍କ ଉଦ୍ଦେଶ୍ୟରେ କଡା ବୟାନ ରଖିଥିଲେ । କଂଗ୍ରେସରେ ବ୍ଲାକମେଲ ରାଜନୀତି ଚଳିବ ନାହିଁ । କିମ୍ବା ରାଜନେତା ଏହାକୁ ଲଚିଂ ପ୍ୟାଡ ଭାବେ ବ୍ୟବହାର କରିପାରିବେ ନାହିଁ । ପ୍ରଭାରୀଙ୍କ ଏହି ନାଲି ଆଖି ହିଁ ବିଦ୍ରୋହୀ ନେତାଙ୍କ ମୁଡ ବଦଳାଇ ଦେଲା । ଏହାରି ଭିତରେ ଆସନ୍ତାକାଲି ପ୍ରଭାରୀ, ଦଳର ବରିଷ୍ଠ ନେତା, ଜିଲ୍ଲା ସଭାପତି, ପୂର୍ବତନ ବିଧାୟକ, ମନ୍ତ୍ରୀ, ସାଂସଦଙ୍କୁ ନେଇ କଂଗ୍ରେସ ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛନ୍ତି । ବୈଠକ ଡକାଇବା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ଏକାଠୀ ହୋଇ ନିର୍ବାଚନ ଲଢିବା ଉପରେ ଆଲୋଚନା କରିବେ ।